ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରକୃତିକୁ ଭଲ ପାଇବା, ପ୍ରକୃତିର ସୁରକ୍ଷା ପାଇଁ ଅଧିକରୁ ବୃକ୍ଷ ରୋପଣ କରିବା ଓ ଛାତ୍ର ଛାତ୍ରୀଙ୍କ ଏଥିପାଇଁ ଦୀର୍ଘ ଦିନରୁ ଉତ୍ସାହିତ କରି ଆସୁଥିବା ଜଣେ ଶିକ୍ଷକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଘଣ୍ଟମାଳ ବିଘ୍ନେଶ୍ୱର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବସନ୍ତ ସାମନ୍ତରାୟ। ତାଙ୍କୁ ବିଶ୍ୱ ପରିବେଶ ଦିବସରେ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଛି। କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ଭବାନୀପାଟଣା ନିକଟସ୍ଥ ମେଦିନୀପୁର ଉଚ୍ଚ ବିଦ୍ୟାଳୟ ଠାରେ ଜଙ୍ଗଲ, ଅବକାରୀ ଓ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ବନଖଣ୍ଡ ଅଧିକାରୀ (ଦକ୍ଷିଣ) କଲାଇବନାନ୍ ସମ୍ମାନୀତ ଅତିଥିଭାବେ ବନଖଣ୍ଡ ଅଧିକାରୀ (ଉତ୍ତର) ରମେଶ କୁମାର ବିସ୍କୋଇ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ, ସଚିବ ସ୍ନିଗ୍ଧା ପଣ୍ଡା, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପ୍ରଧାନ, ଶିକ୍ଷକ ସୁଶୀଲ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରକୃତି ବନ୍ଧୁ ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ବିଘ୍ନେଶ୍ୱର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବସନ୍ତ ସାମନ୍ତରାୟଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ତାଙ୍କ ନିକଟକୁ ଶିକ୍ଷକ ସମାଜ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।