ଓଡିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କେତେକ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଚଢ଼ା ଦରରେ ମଦ ବିକ୍ରି କରିବା ସହ ବିଭିନ୍ନ ବାର୍ କୋଚିଆଙ୍କୁ ମଦ ଦେଇ ମଧ୍ୟ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏନେଇ ଜଣେ ଗ୍ରାହକ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ବର୍ଗର ବିଅର୍ କିଣି ତା’ର ମାନ ନିର୍ଣ୍ଣୟ ପାଇଁ କୋକସରା ଅବକାରୀ ବିଭାଗ ଓ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। କୋକସରା ଅବକାରୀ ଅଧିକାରୀ ଅନ୍ୟ କଲ୍ ରେ ବ୍ୟସ୍ତ ଥାଇ ମଧ୍ୟ ବାରମ୍ବାର କଲ୍ କରିବା ସତ୍ୱେ ଫୋନ ଉଠେଇ ନଥିଲେ। ଏପଟେ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ପଚାରିବାରୁ ତମେ ମଦ ଧରିକି ଆସ ଭବାନୀପାଟଣା କାର୍ଯ୍ୟାଳୟକୁ ବୋଲି କହିଥିଲେ। ଏବେ ରବି ଧାନ ବିକ୍ରୟ ହୋଇଛି, ଏହା ସାଙ୍ଗକୁ ରଥଯାତ୍ରା ଓ ନୂଆଖାଇ ପର୍ବ ପାଇଁ ବ୍ୟାପକ ପରିମାଣରେ ମଦ ବିକ୍ରି ହୋଇପାରେ ବୋଲି ଆକଳନ କରାଯାଉଛି। ତେଣୁ ବେଆଇନ ବିଦେଶୀ ମଦ ବିକ୍ରି ରୋକିବାକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।