ପ୍ରତିବର୍ଷ ପ୍ରହସନ ପାଲଟୁଛି ବନ ମହୋତ୍ସବ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ଜଙ୍ଗଲ ଭାବେ ସାହାଜଖୋଲ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରି ଆସିଛି। କୋକସରା ଓ ଧର୍ମଗଡ ବ୍ଲକର ବୃହତ ଅଞ୍ଚଳରେ ପରିବ୍ୟାପ୍ତ ଏହି ବନ୍ୟାଞ୍ଚଳ ଆଜି ଶ୍ରୀହୀନ ହୋଇ ପଡ଼ିଛି। ଜଙ୍ଗଲ ବିଭାଗ ଓ ପ୍ରଶାସନର ଉଦାସୀନତାର ସୁଯୋଗ ନେଇ ହଜାର ହଜାର ସଂଖ୍ୟାରେ ଗଛ କାଟି ମକା ଚାଷ କରୁଛନ୍ତି ମାଫିଆ। ଏନେଇ ବାରମ୍ବାର ସାହାଜଖୋଲ ବନ ସୁରକ୍ଷା ସମିତି ସ୍ବର ଉତ୍ତୋଳନ କରିଛି କିନ୍ତୁ କେତେକ ଅସାଧୁ ଅଧିକାରୀ ମକା ମାଫିଆଙ୍କୁ ଏହି ବେନିୟମ କାର୍ଯ୍ୟରେ ସହଯୋଗ କରୁଥିବାରୁ ସେମାନେ ବେଫିକର ଭାବେ ବର୍ଷ ବର୍ଷ ଧରି ଜଙ୍ଗଲ ଅଞ୍ଚଳରେ ମକା ଚାଷ କରୁଛନ୍ତି। ଗତ ୨ମାସରୁ ଉର୍ଦ୍ଧ୍ୱ ହେବ ମକା ଚାଷ ନିମନ୍ତେ ବଙ୍ଗୀୟ ଓ ବିହାରୀ ମାଫିଆ ମାନେ ଡେରା ପକେଇ ନିରିହ ଆଦିବାସୀଙ୍କୁ ହାତ କରି ବେହେରା ଓ ଆମପାଣି ଫରେଷ୍ଟ ସେକ୍ସନ ଅଧିନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ଶହ ଶହ ହେକ୍ଟର ଜମିରେ ମକା ଲଗାଇ ସାରିଲେଣି। ଏବେ ଜଙ୍ଗଲରେ ମକା ଗଛ ଉଠି ପତ୍ର କଅଁଲି ସିରିଲାଣି। ଅଥଚ ବନ ବିଭାଗ ସବୁ ଜାଣି ହାତବାନ୍ଧି ବସିଥିବାବେଳେ ଏଭଲି ବେଆଇନ ଚାଷକୁ ରୋକିବାରେ ବିଭାଗ କାହିଁକି ତତ୍ପରତା ଦେଖାଉ ନାହିଁ ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଲାଣି। ବିଗତ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ଆମପାଣି ଫରେଷ୍ଟ ସେକ୍ସନ ଅଧିନ ସାହାଜଖୋଲ ଜଙ୍ଗଲର ବିରିମୁହାଣ, କାଦୋମଲି, ଆନ୍ଦିଝରନ, କୁଟୁରୁ, ସର୍ଗିପାନୀ, ଗୋଇଚଞ୍ଚରା, ଛକପଡା, ଗାଇବନ୍ଧା ସମେତ ବେହେରା ଫରେଷ୍ଟ ଅଧିନ ଧୋବେନ ଚଞ୍ଚରା, ମୁଗୁନାପଦର, ଖଲିଗଡ, ଭଟାପାଣି, ଡୁମେରପେନ ଆଦି ସ୍ଥାନରେ ଜଙ୍ଗଲ ଜମିରେ ବ୍ୟାପକ ମକା ଚାଷ ହୋଇ ଆସୁଛି। ଅନ୍ୟପଟେ ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ଜଙ୍ଗଲରେ ବେଆଇନ ଚାଷ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ଓ ସେହି ସ୍ଥାନରେ ବୃକ୍ଷରୋପଣ କରୁଥିବା ଦୃଢ଼ତାର ସହ କହି ଆସୁଛନ୍ତି। କିନ୍ତୁ ପ୍ରତିବର୍ଷ ଜଙ୍ଗଲ ଭିତରେ ମକା ଚାଷ କମିବା ପରିବର୍ତ୍ତେ ଢେର ଗୁଣା ବଢ଼ିବାରେ ଲାଗିଛି। ଏଣେ ପ୍ରତିବର୍ଷ ବନିକରଣ କରାଯାଉଥିବା ସତ୍ତ୍ୱେ ଜଙ୍ଗଲ ବଢ଼ିବା ପରିବର୍ତ୍ତିତ ତା’ର ଦଶ ଗୁଣ ଅଧିକ କ୍ଷୟ ହେବାରେ ଲାଗିଛି। କାଠ ଓ ମକା ମାଫିଆ ମାନଙ୍କ ସହିତ ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ହାତ ମିଳାଇଥିବାରୁ ଏହି ବେଆଇନ ଚାଷ ଉପରେ ଅଙ୍କୁଶ ଲାଗି ପାରୁନାହିଁ। ଏବଂ ମାଫିଆ ମାନଙ୍କ ଠାରୁ ମାସିକିଆ ମୋଟା ଅଙ୍କର ଚାନ୍ଦା ନେଇ ବନ ବିଭାଗ ନିରବ ସମର୍ଥନ କରୁଥିବାରୁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ତାର ସତ୍ତା ହରେଇ ବସିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏଣେ ୫ଶହ ପ୍ରଜାତିର ଔଷଧୀୟ ବୃକ୍ଷ ସହ ବହୁମୂଲ୍ୟ ବୃକ୍ଷରେ ପରିପୂର୍ଣ୍ଣ ଥିବା ସାହାଜଖୋଲ ଏବେ ଗଛ ପରିବର୍ତ୍ତେ ମକା ଗଛରେ ସବୁଜୀମା ବଢ଼ିବାରେ ଲାଗିଛି। ଯାହାକୁ ନେଇ ପ୍ରକୃତି ପ୍ରେମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।