୭୬ତମ ବନମହୋତ୍ସବ ସପ୍ତାହ ପାଳନ: ଲଣ୍ଡା ପାହାଡ଼ରେ ୧୬ ହଜାର ଚାରା ରୋପଣ କରାଯିବ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ଲଣ୍ଡା ପାହାଡ଼କୁ ସବୁଜିମାମୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବନାଞ୍ଚଳ ତରଫରୁ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି। ଶୁକ୍ରବାର କିଲୁଣ୍ଡି ଲଣ୍ଡା ପାହାଡ଼ର ୧୦ ହେକ୍ଟର ଜମିରେ ୧୬ ହଜାର ଚାରା ରୋପଣ କାର୍ଯ୍ୟ ଆରମ୍ଭ କରଯାଇଛି। ରେଞ୍ଜର ଯୁଧିଷ୍ଠିର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ଡିଏଫ୍‌ଓ ପ୍ରତାପ କାଟାପଲି, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର, ବିଧାୟକ ପ୍ରତିନିଧି ତାରିଣୀ ପରିଚ୍ଛା ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା, ସଚେତନତା ଦିଗରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ କଲେଜ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଏକ ଟଙ୍କାରେ ଚାରା ବିତରଣ ପାଇଁ ବ୍ୟବହୃତ ଯାନର ଶୁଭାରମ୍ଭ କରଯାଇଥିଲା। ଏହି ଯାନ ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚି ମାତ୍ର ଏକ ଟଙ୍କା ମୂଲ୍ୟରେ ଚାରା ବିକ୍ରୟ କରିବା ସହ ବୃକ୍ଷ ରୋପଣ ପାଇଁ ସଚେତନତା ସୃଷ୍ଟି କରିବ। କାର୍ଯ୍ୟକ୍ରମରେ ଫରେଷ୍ଟର ଉତ୍ସ କହଁର, ଫରେଷ୍ଟ ଗାର୍ଡ ଅଙ୍ଗଦ ଦିଗାଲ, ଲିଲି ମଲ୍ଲିକ, ମୁକ୍ତାଞ୍ଜଳି ବେହେରା, ଉର୍ସିଲା ପ୍ରଧାନ, ଟିଏଲ ସଞ୍ଜୟ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.