ଡ୍ରାଇଭର ମାନଙ୍କ ଦାବି ପୂରଣ କରନ୍ତୁ ସରକାର -ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଡ୍ରାଇଭର ମହାସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରା ଶନିବାର ପଞ୍ଚମ ଦିନରେ ପହଞ୍ଚିଛି। ଗତ ୪ ଦିନ ହେଲା ରାଜ୍ୟରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥ‌ିବାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ପେଟ୍ରୋଲ୍ ଡିଜେଲର ଅଭାବ ଯୋଗୁଁ ଅନେକ ଟାଙ୍କିରେ ତାଲା ପଡ଼ିଯାଇଥିବା ବେଳେ ପରିବା, ଗ୍ୟାସ୍ ଓ ଫଳ ଆଦି ସାମଗ୍ରୀ ପରିବହନରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି।

ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି। ପାର୍ଟିର ରାଜ୍ୟ ସଭାପତି ଶିବ ହାତି ଯାଦବ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାଜପା ସରକାରକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅନେକ ସାମଗ୍ରୀର ଏବେ ଦରଦାମ୍ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିଛି। ଡ୍ରାଇଭରମାନେ ଏବେ ଏ ବି ନିଜ ଜିଦିରେ ଅଟଳ ରହିଥ‌ିବା ବେଳ ସରକାର ଲିଖୂତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି।

ଡ୍ରାଇଭରମାନଙ୍କ ଦାବି ପୂରଣ କରିବାରେ ସରକାର ଉଦାସୀନ ମନୋଭାବ ପୋଷଣ କରୁଥିବାରୁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ପରିବହନ ମନ୍ତ୍ରୀ ଏହାର ସମାଧାନ କରିବା ପରିବର୍ତ୍ତେ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଜଧାନୀ ଛାଡ଼ି ନିଜ ବିଧାନସଭା କ୍ଷେତ୍ରକୁ ଚାଲିଯାଇଛନ୍ତି। ଫଳରେ ଆନ୍ଦୋଳନ ଜାରି ରହିଛି ଓ ସାଧାରଣ ଲୋକମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଥମ ଦୁଇଦିନ ଆନ୍ଦୋଳନରେ ପେଟ୍ରୋଲିୟମ ସାମଗ୍ରୀର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ତୃତୀୟ ଓ ଚତୁର୍ଥ ଦିନ ଆନ୍ଦୋଳନ ଯୋଗୁଁ ରନ୍ଧନ ଗ୍ୟାସର ଅଭାବ ଖାଉଟିଙ୍କୁ ଚିନ୍ତାରେ ପକାଇଛି।

ଡ୍ରାଇଭର ସଂଘ ସହକୌଣସି ପ୍ରକାର ଆଲୋଚନା କରା ନ ଯିବା ଓ ସରକାରୀ ଭାବେ ଆନ୍ଦୋଳନରତ ଡ୍ରାଇଭରମାନଙ୍କ ପାଖକୁ କୌଣସି ପ୍ରତିନିଧି ଦଳ ନ ଯାଇଥିବାରୁ ଆନ୍ଦୋଳନ କେବେ ଶେଷ ହେବ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଡ୍ରାଇଭର ମହାସଂଘ ସେମାନଙ୍କ ଦାବି ପୂରଣ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା କିମ୍ବା ଲିକ୍ଷିତ ପ୍ରତିଶ୍ରୁତି ଦାବିରେ ଅଟଳ ରହିଛି। ୫ ଦିନ ହେବ ଡ୍ରାଇଭରମାନେ ରାଜରାସ୍ତାରେ ବସିଛନ୍ତି। ଏସବୁ ସତ୍ତ୍ୱେ ସରକାର କାହିଁକି ଏହି ପ୍ରସଙ୍ଗରେ ଉଦାସୀନ ରହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ଖୋଦ୍ ବିଭାଗୀୟ ମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ବିଶେଷ ତତ୍‌ପରତା ଦେଖାର ନ ଥିବା ପରିଲକ୍ଷିତ ହୋଇଛି ଯାହାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରବଳ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଓଡିଶାର ମୁଖ୍ୟମନ୍ତ୍ରୀ ଯେତେବେଳେ ବିରୋଧୀ ଦଳରେ ଥିଲେ ସେତେବେଳେ ଡ୍ରାଇଭର ମାନଙ୍କ ଦାବି ସପକ୍ଷରେ ଯୁକ୍ତି ବଢୁଥିବା ବେଳେ ଏବେ ତାଙ୍କର ନୀରବତା ଡ୍ରାଇଭର ମାନଙ୍କ ପ୍ରତି ତାଙ୍କର ଅସହିଷ୍ଣତାର ପରିପ୍ରକାଶ। ତେଣୁ ସରକାର ଯଥାଶୀଘ୍ର ଡ୍ରାଇଭର ସଙ୍ଘ ସହିତ ଆଲୋଚନା କରି ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରନ୍ତୁ ବୋଲି ସମାଜବାଦୀ ପାର୍ଟି ଦାବି କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.