ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଲମସିଂହା ୟୁପି ସ୍କୁଲ

ମୌଳିକ ସୁବିଧାରୁ ବଞ୍ଚିତ ଛାତ୍ରଛାତ୍ରୀ; ଆନୁସଙ୍ଗିକ ବ୍ୟବସ୍ଥା ନାହିଁ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘୋଡାବନ୍ଧ ଗ୍ରାମ ପଞ୍ଚାୟତର ଲମସିଂହା ୟୁପି ସ୍କୁଲ। ଯେଉଁ ସ୍କୁଲର ଛାତ୍ର ଭେଙ୍କଟ କୁମାର ରେଳବାଇ ବିଭାଗରେ ଉଚ୍ଚ ପଦସ୍ଥ ଅଧିକାରୀ ରହିଥିବା ବେଳେ ଜଗଦୀଶ କୁମାର ବୈଜ୍ଞାନିକ ଭାବରେ ସରକାରୀ କ୍ଷେତ୍ରରେ ସେବା ଯୋଗାଉଛନ୍ତି। ଏଭଳି ଅନେକ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟରୁ ପାଠ ପଢି ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି। ହେଲେ ଏହି ବିଦ୍ୟାଳୟ ଏବେ ଅବହେଳିତ ହୋଇପଡିଛି। ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଏଇଠି କୌଣସି ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ୧୯୬୨ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟଟି ୬୩ ବର୍ଷ ବୟସରେ ପଦାର୍ପଣ କରିସାରିଥିବା ବେଳେ ୩ ଗୋଟି ଶ୍ରେଣୀ ଗୃହରେ ଖୁନ୍ଦାଖୁନ୍ଦି ହୋଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ପ୍ରଥମରୁ ଅଷ୍ଟମ ଯାଏଁ ୮ ଗୋଟି ଶ୍ରେଣୀର ୫୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୪ ଜଣ ଶିକ୍ଷକ ରହିଥିବା ବେଳେ କାହାକୁ କେମିତି ପାଠ ପଢେଇବୁ ଆମେ ଜାଣି ପାରୁନୁ ବୋଲି ମତବ୍ୟକ୍ତ କରିଛନ୍ତି ଶିକ୍ଷକମାନେ।

କୋଉ ୫୦ ବର୍ଷ ତଳେ ନିର୍ମିତ ଦୁଇ ଗୋଟି ଶ୍ରେଣୀ କୋଠରୀ ଛାତର ଛଡ ସବୁ ପଦାକୁ ଫୁଟି ବାହାରି ସାରିଲାଣି।ଏବଂ କାନ୍ଥ ସବୁ ଫାଠି ଆଁ କଲାଣି। ସେଥି ମଧ୍ୟରୁ ଦୁଇ ଗୋଟି କୋଠରୀ ରେ ଅନାବନା ଜିନିଷ ଭରି ତାଲା ଦେଇ ରଖିଛନ୍ତି ଶିକ୍ଷକ ମାନେ। ଗୋଟିଏ କୋଠରୀ କୁ ପ୍ରଧାନ ଶିକ୍ଷକ ବାଧ୍ୟ ହୋଇ ଅଫିସ ରୁମ ଭାବରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଶ୍ରେଣୀ ତିନୋଟିକୁ ଛାଡି ଦେଲେ ଆଉ ଅତିରିକ୍ତ କୋଠରୀ ନଥିବାରୁ ଏହି ଭଙ୍ଗା ଦଦରା ବିପଦ ସଂକୁଳ କୋଠରୀ ଟିକୁ ଅଫିସ ରୁମ ଭାବରେ ବ୍ୟବହାର କରୁଥିବା କଥା ଦୁଃଖର ସହିତ ବର୍ଣ୍ଣନା କରିଛନ୍ତି ପ୍ରଧାନ ଶିକ୍ଷକ ଦେବାର୍ଚ୍ଚନ ରଣା।

କୋଉ ଆବହମାନ କାଳକୁ ନିର୍ମିତ ପାଚେରୀ କାନ୍ଥ ଭାଙ୍ଗି ପଡିଛି। ଅସୁରକ୍ଷିତ ଅବସ୍ଥାରେ ବିଦ୍ୟାଳୟରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଏଭଳି ବିପଦକୁ ଆହୁରୀ ଘନିଭୂତ କରୁଛି ବିଦ୍ୟାଳୟ ପରିସର ଦେଇ ଯାଇଥିବା ଖୋଲା ବିଦ୍ୟୁତ ତାର। ବାରମ୍ବାର ବିଭାଗକୁ ଜଣାଇଲେ ମଧ୍ୟ ବିଦ୍ୟୁତ ବିଭାଗ ସାମନାରେ ନାମକୁ ମାତ୍ର ଦୁଇଗୋଟି ଖମ୍ବ ପୋତି ଦେଇ କେବୁଲ ଟାଣି ଦାଇତ୍ୱ ସାରି ଦେଇଥିବା ଶିକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି।

ସେହି ତିନୋଟି ନୂଆ ଭାବରେ ପୋତା ହୋଇଥିବା ବିଦ୍ୟୁତ ଖୁଣ୍ଟି ଗୁଡିକ ମଧ୍ୟ ଜମି ଭିତରକୁ ଢଳି ପଡିଲାଣି। ଆମ ଓଡିଶା ନବୀନ ଓଡିଶା ପାଣ୍ଠିରେ ୫,୦୦,୦୦୦ ଟଙ୍କା ବ୍ୟୟ ଅଟକଳରେ ପଞ୍ଚାୟତ ସମିତି ତରଫରୁ ଗୋଟିଏ ଅତିରିକ୍ତ ଶ୍ରେଣୀ ଗୃହ ଗତ ୧୫ ଜାନୁୟାରୀ ୨୦୨୪ ରୁ ନିର୍ମାଣ ଚାଲିଛି ଯେ ଦେଢବର୍ଷ ବିତିବାକୁ ବସିଲାଣି ଉକ୍ତ ଶ୍ରେଣୀ ଗୃହ କୋଠରୀଟି ସମ୍ପୂର୍ଣ୍ଣ ହୋଇ ପାରୁନି।

ଅତିରିକ୍ତ ଶ୍ରେଣୀ ଗୃହ କୋଠରୀ ହେଲେ ପିଲାଏ ଖୁନ୍ଦା ଖୁନ୍ଦି ହୋଇ ବସିବାରୁ ଟିକେ ତ୍ରାହି ପାଇବେ ବୋଲି ଚାତକ ପରି ଚାହିଁ ବସିଥିଲେ ମଧ୍ୟ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ତାହା ବି ହୋଇ ପାରୁନି। ଏହାବାଦ ପିଲାଙ୍କ ମୌଳିକ ଆବଶ୍ୟକତା ପାନୀୟ ଜଳ। ୪୦ ବର୍ଷ ତଳେ ବିଦ୍ୟାଳୟ ପରିସରରେ ଖୋଳା ଯାଇଥିବା ନଳକୂଅଟି ର ବର୍ତ୍ତମାନ ଚିହ୍ନ ବର୍ଣ୍ଣ ନାହିଁ। ଛାତ୍ରଛାତ୍ରୀ ଖାଇ ସାରିଲେ ବାହାରକୁ ପାଣି ପିଇବା ପାଇଁ ଧାଉଁଥିବା ଦୃଶ୍ୟମାନ ହେଉଛି। ହେଲେ ସ୍କୁଲର ସ୍ଥାନେ ସ୍ଥାନେ କାନ୍ଥ ମାନଙ୍କରେ ନୂଆ ପାଣି ପାଇପ ସବୁ ୱେରିଂ ହୋଇଥିବା ମଧ୍ୟ ଦୃଶ୍ୟମାନ ହେଉଛି। ନଳକୂଅ ଓ ପାଣି ଟାଙ୍କି ନଥାଇ ଏଭଳି ପାଇପ ୱାରିଂ କଣ ପାଇଁ କିଏ କରିଛି ଓ କାହିଁକି କରିଛି ତା ମା ଗଙ୍ଗେ ଜାଣନ୍ତି ବୋଲି ଅଭିଭାବକ ମାନେ କଟାକ୍ଷ କରୁଛନ୍ତି।

ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ୩୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ହିସାବରେ ୫୬ ଜଣ ପିଲାଙ୍କ ପାଇଁ ୪ ଜଣ ଶିକ୍ଷକ ତ ଠିକ ଅଛି। ହେଲେ ପାନୀୟ ଜଳ ସମସ୍ୟା କଥା କୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ନଳକୂଅ ପାଇଁ ବିଧାୟୀକା ଙ୍କୁ ଟିକେ ଜଣାଇବା କଥା ବୋଲି ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ମତବ୍ୟକ୍ତ କରିଛନ୍ତି। ଆଉ ବିଦ୍ୟାଳୟ ପରିସର ମଧ୍ୟରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଯାଇଥିବା ଖୋଲା ବିଦ୍ୟୁତ ତାର ବିଷୟରେ ନର୍ଲା ବିଦ୍ୟୁତ ବିଭାଗ ଏସଡିଓ କମଲେଶ ପଧାନ କହିଛନ୍ତି ଏ ସମସ୍ୟା ମୋର ଦୃଷ୍ଟି ଗୋଚର ହୋଇନାହିଁ। ସ୍କୁଲ ସମ୍ମୁଖରେ କେବୁଲ ଟଣା ହୋଇଛି। ସେଇଠି କନେକ୍ସନ୍ ଦେଇ ଖୋଲା ବିଦ୍ୟୁତ ତାରକୁ ଖୁବ ଶୀଘ୍ର ହଟାଇ ଦିଆଯିବ। ହେଲେ ଦେଖାଯାଉ ବିଦ୍ୟାଳୟରେ ରହିଥିବା ସମସ୍ୟାର ସମାଧନ କେବେ କରୁଛି ପ୍ରଶାସନ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.