ସୃଜନ ସଳିତା ‘ନବନୀତା’ ପକ୍ଷରୁ ଯୁବ ସାହିତ୍ୟିକ ସମାବେଶ ‘ପଲ୍ଲବନ’ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପଞ୍ଚାନନ ଭୋଇ, ରଜତ ବଂଶଲ): ବଲାଙ୍ଗିର ସାମ୍ବାଦିକ ଭବନଠାରେ ସୃଜନ ସଳିତା ‘ନବନୀତା’ ପତ୍ରିକା ପକ୍ଷରୁ ଯୁବ ସାହିତ୍ୟିକ ସମାବେଶ ‘ପଲ୍ଲବନ’ ଅନୁଷ୍ଠିତ ହେଇଯାଇଛି। ପତ୍ରିକାର ସଂପାଦକ ରାଜେଶ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇଥିବା ବେଳେ ମୁଖ୍ଯବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ବାସୁଦେବ ସୁନାନୀ, ସମ୍ମାନୀତ ଅତିଥି ଭାବେ ସାମାଜିକ କର୍ମୀ ତଥା ସାହିତ୍ୟିକ ସରୋଜ ମହାନ୍ତି ଯୋଗଦେଇଥିଲେ।

ଅତିଥିମାନେ ଗଛକୁଣ୍ଡରେ ପାଣି ଦେଇ ସମାବେଶର ଉଦ୍‌ଘାଟନ କରିଥିବା ବେଳେ ପତ୍ରିକାର ସଂପାଦକ ରାଜେଶ ଝାଙ୍କର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନଙ୍କ ଦ୍ଵାରା ନବନୀତାର ପଲ୍ଲବନ ବିଶେଷାଙ୍କ-୨୦୨୫ ଉନ୍ମୋଚିତ ହୋଇଥିଲା।

ମୁଖ୍ୟ ଅତିଥି ସାଂସଦ ପୁରୋହିତ ସ୍ଵାଧୀନତା ଆନ୍ଦୋଳନ ଓ ଜନ ଆନ୍ଦୋଳନ ପରିପ୍ରେକ୍ଷୀରେ ଏହା ସୁସ୍ପଷ୍ଟ ଯେ, ମଣିଷକୁ ଚେତନଶୀଳ କରିବାରେ ସାହିତ୍ୟର ଭୂମିକା ଅତୁଳନୀୟ ବୋଲି କହିଥିବା ବେଳେ ମୁଖ୍ୟବକ୍ତା ଡ. ବାସୁଦେବ ସୁନାନୀ ମଣିଷଜାତିର ମଣିଷ ହେବା ପ୍ରକ୍ରିୟା ଏବେବି ଜାରି ରହିଛି ଏବଂ ମାନବୀୟ ସମ୍ବେଦନା ଯୁକ୍ତ ପ୍ରତିକ୍ରିୟଶୀଳତା ହିଁ ସାହିତ୍ୟକୁ ପରିପୁଷ୍ଟ କରିଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ସରୋଜ ଆସନ୍ତା କାଲିର ସାହିତ୍ୟ ସାହିତ୍ୟରେ ପୂର୍ବଗ୍ରହ ରହିତ ପରିଦୃଷ୍ଟି ନ ରହିଲେ କୃତିମ ବୁଦ୍ଧିମତା ଆମ ସୃଜନଶୀଳତାକୁ ମାରିଦେବ କି ବୋଲି ଆଶଙ୍କା ପ୍ରକାଶ କରିଥିଲେ।

ଏହି ଅବସରରେ ତରୁଣ ଲେଖକ କେତନ ରଣା, ଚନ୍ଦନ ନାଗ, ବିକେଶ ସାହୁ, ସାଗରିକା ସାହୁ, ଚିତ୍ତରଂଜନ ପ୍ରଧାନ, ପ୍ରଜ୍ଞାପ୍ରଭା କୁଅଁର, ପୁଣ୍ୟଦୀପା ଖମାରୀ, ରମାକାନ୍ତ ନାଏକ ଓ ରଜତ ବଂଶଲଙ୍କୁ ଶବ୍ଦ ସମ୍ମାନ ପ୍ରଦାନ କରାଯାଇଥିଲା। ପରେ ପରେ ତରୁଣ ଲେଖକ ଲେଖିକାମାନେ ସ୍ବରଚିତ କବିତା ଓ କ୍ଷୁଦ୍ରଗଳ୍ପ ପାଠ କରିଥିଲେ।

ଏହି ଅବସରରେ ବରିଷ୍ଠ ଲେଖକ ଡ. ବାସୁଦେବ ସୁନାନୀଙ୍କ ପ୍ରଥମ ଗଳ୍ପ ସଂକଳନ ‘ଗହଁଟିଆର ଛେଳି’ ଓ କବି ବଳବନ୍ତ ସାହୁଙ୍କ ପ୍ରଥମ କବିତା ସଂକଳନ ‘ଧାନଫୁଲ’ ଉନ୍ମୋଚିତ ହୋଇଥିଲା। କବି ଶ୍ରୀ ସାହୁ ପୁସ୍ତକ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିବା ବେଳେ ଅଧ୍ୟାପକ ଡ. କୌତୁକ ପନ୍ଦର ସଂକ୍ଷିପ୍ତ ସମୀକ୍ଷା ଉପସ୍ଥାପନ କରିଥିଲେ।

ପତ୍ରିକାର ସୃଜନ ସହଯୋଗୀ ଡ. କୌତୁକ ପନ୍ଦର ଓ ଡ. ଜଗନ୍ନାଥ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଚାଳନା ସମ୍ପାଦକ ଯୁଜେଷ୍ଠି ମେହେର ଧନ୍ଯବାଦ ଅର୍ପଣ କରିଥିଲେ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସମେତ ପଡୋଶୀ ବିଭିନ୍ନ ଜିଲ୍ଲାରୁ ବିଶିଷ୍ଟ ସାହିତ୍ୟିକ ଓ ଗୁଣମୁଗ୍ଧ ପାଠକଙ୍କ ସଂଖ୍ୟାଧିକ ଯୋଗଦାନ ଏହି କାର୍ଯ୍ୟକ୍ରମଟିକୁ ସଫଲ୍ୟ ମଣ୍ଡିତ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.