ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ବୁଢୀପଦର ସ୍ଥିତ ଦେବଗିରି ମଠରେ ଶ୍ରାବଣ ପ୍ରଥମ ସୋମବାର ଦିନ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ପରିଳକ୍ଷିତ ହେଇଛି। ପ୍ରାଚୀନ ମହାକାନ୍ତାର ସଭ୍ୟତାର ଧାର୍ମିକ ପିଠସ୍ଥଳୀ ଦେବଗିରି ଐତିହାସିକ, ପ୍ରତ୍ନତାତ୍ତ୍ବିକ ଓ ପୌରାଣିକ ବିଭବରେ ପରିପୂର୍ଣ୍ଣ। ଭବାନୀପାଟଣା ଠାରୁ ୩୦ କିମି ଦୂରରେ ଥିବା ଏହି ସ୍ଥାନ ପ୍ରାକୃତିର ମନୋରମ ପରିବେଶ ମଧ୍ୟରେ ରହିଥିବାରୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୂଅ ଛୁଟିବାରେ ଲାଗିଥାଏ। ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଦେବଗିରି ମଠରେ ମହାଶିବରାତ୍ରୀ, ରଥଯାତ୍ରା, ନବରାତ୍ର, ଗଣେଶ ଚତୁର୍ଥୀ ଓ ଜନ୍ମାଷ୍ଟମୀ ଆଦି ମୂଖ୍ୟ ପର୍ବପର୍ବାଣୀ ପାଳିତ ହେଉଥିବାବେଳେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ମଧ୍ୟ ପ୍ରବଳ ଭକ୍ତ ସମାଗମ ହୋଇଥାଏ। ଆଜି ଚଳିତବର୍ଷ ଶ୍ରାବଣର ପ୍ରଥମ ସୋମବାର ହୋଇଥିବାରୁ ଦୂର ଦୂରାନ୍ତରୁ ମହାଦେବଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥିଲେ। ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁମାନେ ଭକ୍ତି ସହକାରେ ପବିତ୍ର ପାଣି ନେଇ ଦେବଗିରି ଗୁମ୍ଫା ମଧ୍ୟସ୍ଥ କାଶି ବିଶ୍ୱନାଥ ମହାଦେବଙ୍କୁ ଜଳାଭିଷେକ କରିଥିଲେ। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ସେବାୟତ ଓ ପୂଜକ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଟ୍ରଷ୍ଟ ବୋର୍ଡ଼ ସଦସ୍ୟମାନେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନର୍ଲା ପୋଲିସ ମୁତୟନ ହୋଇଥିଲେ।




