ପରିବା ଦର ଆକାଶଛୁଆଁ; ନାକେଦମ୍ ଖାଉଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ଲୋକଙ୍କ ଦୈନନ୍ଦିନ ଜୀବନ ଯାତ୍ରା ଉପରେ ପ୍ରଭାବ ପକାଇଛି। ଗତ କିଛିଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ପରିବା ଦର। ଅସାଧୁ ବ୍ୟବସାୟୀ ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକି ମାଲାମାଲ ହେଇଥିବାବେଳେ କାନ୍ଦୁଛନ୍ତି ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକ। ପରିବା ବଜାର ଭିତରକୁ ପସିବାକୁ ଡର ହୋଇଗଲାଣି। ଟଙ୍କା ୫୦୦ ରେ ବି ପୁରୁନି ବ୍ୟାଗ। ଏହା ସାରା ଓଡିଶାର ଚିତ୍ର ହୋଇଥିବାବେଳେ କଳାହାଣ୍ଡିରେ ବି ସମାନ ଅବସ୍ଥା। କୌଣସି ପନିପରିବା ଦର ଏବେ କିଲୋ ପିଛା ୬୦ ଟଙ୍କା ତଳକୁ ନାହିଁ। ଗୋଟିଏ ଗୋଟିଏ ପରିବା ୧୦୦ ଛୁଇଁଲାଣି। ଅଦା, ରସୁଣ ଦର ନ କହିଲେ ଭଲ। ଏପରି ସ୍ଥିତି ଖାଉଟି ଙ୍କୁ ବେଶ ବାଧିଛି। ସେମାନେ ଏବେ ମୁଣ୍ଡରେ ହାତ ଦେଇ ବସିଲେଣି। ବଜାରରେ ଯଦି ପରିବା ଦର ଏତେ ତେବେ ପରିବାର ଲୋକେ କ’ଣ ଖାଇବେ। ଗୃହିଣୀମାନେ ଏବେ ଦୋଛକିରେ ପହଞ୍ଚିଛନ୍ତି। ଏହିଭଳି ପରିସ୍ଥିତି ସେମାନଙ୍କୁ ଏକ ସଙ୍ଗୀନ ମାନସିକତାରେ ପକାଇଛି ବୋଲି ଅନେକ ଖାଉଟି ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ତଥା ନର୍ଲାର ବିଭିନ୍ନ ହାଟ ତଥା ପସରା ମାନଙ୍କରେ ପରିବା ଦର ଆକାଶଛୁଆଁ ରହିଛି। ନର୍ଲା ରେ ବସୁଥିବା ରବିବାର ଓ ଗୁରୁବାର ସାପ୍ତାହିକ ହାଟରେ ଟୋମାଟୋ ୬୦, ଝୁଡଙ୍ଗ ୮୦, ପୋଟଳ ୧୦୦, ବନ୍ଧାକୋବି ୭୦, ଫୁଲକୋବି ୧୨୦, ଅଦା ୨୦୦, ଗାଜର ୬୦, କ୍ୟାପସିକମ ୧୨୦, କଖାରୁ ୪୦, ଭେଣ୍ଡି ୬୦, ସାରୁ ୬୦, କଞ୍ଚା କଦଳୀ ୫୦, ବାଇଗଣ ୬୦, ଆଳୁ ୩୫, ପିଆଜ ୩୦-୩୫, କଲରା ୬୦, କାକୁଡ଼ି ୬୦ ଟଙ୍କା କିଲୋପ୍ରତି ଦରରେ ବିକ୍ରୀ ହେଉଛି। ସାଗ, ଲାଉ, କଞ୍ଚା ମରିଚ, ଲେମ୍ବୁ ସହ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ସବୁ ଚଢ଼ା ଦର ରହିଛି। ବ୍ୟବସାୟୀମାନେ କହିଛନ୍ତି, ଆମେ ଯେମିତି ଚଢା ଦର ଦେଇ କିଣୁଛୁ ସେହି ଦରରୁ କିଲୋ ପିଛା କିଛି ଲାଭ ରଖି ବିକ୍ରି କରୁଛୁ। ଆମେ ଚଢ଼ା ଦରରେ କିଣି ଥିବାରୁ ବାଧ୍ୟ ହୋଇ ଚଢ଼ା ଦରରେ ବିକିବାକୁ ପଡୁଛି।ଏବେ କିନ୍ତୁ ବିକ୍ରି ପୂର୍ବ ଭଳି ହେଉ ନାହିଁ। ତେଣୁ ଆମର ଲାଭ ପରିମାଣ ମଧ୍ୟ ଆଶାତୀତ ହେଉ ନାହିଁ। ଏପଟେ ପରିବା ଦର ରୋଷେଇ ଘର ଉପରେ ପାହାର ପକାଉଥିଲେ ବି ଜିଲ୍ଲା ପ୍ରଶାସନ ଏପରିକି ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଛି ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଗ୍ରାହକମାନଙ୍କ କହିବା କଥା ହେଲା ପ୍ରଶାସନ ଚାହିଁଲେ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ହେଲେ ପ୍ରଶାସନ ନୀରବ ରହୁଥିବାରୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.