ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଆଉ ମାତ୍ର ତିନି ଚାରି ମାସ ପରେ ଖରିଫ ଧାନ ସଂଗ୍ରହ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଗତ ଜୁଲାଇ ୧୯ ତାରିଖ ଠାରୁ ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତ ଫର୍ମ ବଣ୍ଟନ କରାଯିବ ଏବଂ ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଷୀ ମାନଙ୍କର ପଞ୍ଜିକରଣ କରାଯିବ। ଉକ୍ତ ପଞ୍ଜିକରଣ ପାଇଁ ପ୍ରକାଶିତ ନିୟମାବଳୀ ଚାଷୀକୁଳଙ୍କ ପାଇଁ ଏକ ଷଡ଼ଯନ୍ତ୍ର ସଦୃଶ ପ୍ରତୀୟମାନ ହେଉଛି। ଅନ୍ୟପ୍ରକାରେ କହିବାକୁ ଗଲେ ହାତଗୋଡ଼ ବାନ୍ଧି ଦେଇ ଦୌଡ଼ିବାକୁ କୁହାଯିବା ଭଳି ଅସଙ୍ଗତି ମୂଳକ ନିର୍ଦ୍ଦେଶ ନାମା ଚାଷୀମାନଙ୍କର ସହଜ ପଞ୍ଜିକରଣ ପ୍ରକ୍ରିୟାରେ ଅନ୍ତରାୟ ସୃଷ୍ଟି କରୁଅଛି। ଫଳରେ ଚାଷୀଭାଇ ମାନେ ହନ୍ତସନ୍ତ ହେଉଛନ୍ତି ଏବଂ ଘୋର ଅସନ୍ତୋଷ ଲାଗି ରହିଛି।
ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ବିଜେଡ଼ିର ଏକ ପ୍ରତିନିଧି ଦଳ ଶୁକ୍ରବାର ଦିନ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ବିବଦମାନ, ଅବୈଧ ଓ ଅନାବଶ୍ୟକ ଜଟିଳ ପଞ୍ଜିକରଣ ପ୍ରକ୍ରିୟାକୁ ଯଥାଶୀଘ୍ର ସରଳୀକରଣ କରାଯିବା ବା ବାତିଲ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏହା କରାନଗଲେ ବହୁ ଚାଷୀ ଖରିଫ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ବୋଲି ସେ କହିଥିଲେ।
ପ୍ରକାଶଥାଉ କି ନିକଟରେ ରାଜ୍ୟ ସରକାର ଖରିଫ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ସମ୍ପର୍କିତ ସରକାରଙ୍କ ନିୟମାବଳୀରେ ପରିବର୍ତ୍ତନ କରିଛନ୍ତି । ଏଥିରେ ଥିବା ଅସଙ୍ଗତି ଗୁଡ଼ିକ ହେଲା ୧) ଲିଗାଲ ହେୟାର ସାର୍ଟିଫିକେଟ ବାଧ୍ୟତା ମୂଳକ ହୋଇଛି। ମୃତ ବାପାର ଲିଗାଲ ହେୟାର ସାର୍ଟିଫିକେଟ ଏବଂ ମୃତ୍ୟୁ ପ୍ରମାଣ ପତ୍ର ପୁଅ ସାଙ୍ଗରେ ସମିତିକୁ ଧରି ଆସିବ। କେତେକ ସ୍ଥଳେ ୧୦/୧୫ ବର୍ଷ ପୂର୍ବେ ବାପ ମରିଯାଇଛି ଏବଂ ୫ ପୁଅଙ୍କ ମଧ୍ୟରୁ କାହା ପାଖରେ ମୃତ୍ୟୁ ପ୍ରମାଣ ପତ୍ର ଅଛି ତାହାକୁ ନେଇ ଏବେ ବହୁସ୍ଥାନରେ ପୁଅ ମାନଙ୍କ ଭିତରେ କଳି ଏବଂ ସମସ୍ୟା ଆରମ୍ଭ ହୋଇଯାଇଛି। ଏଥିସହ ନିଜ ସହିତ ଭାଇମାନଙ୍କ ନାମରେ ଥିବା ଜମିକୁ ପଞ୍ଜୀକୃତ କରିବାକୁ ହେଲେ ଅନ୍ୟ ଭାଇ ମାନଙ୍କ ସହମତି ଓ ଦସ୍ତଖତ ଆବଶ୍ୟକ ଯାହକି ବହୁସ୍ଥଳେ ତାହା ଅସମ୍ଭବ ଅଟେ ।
୨) ଆଧାର ସଂଯୋଗ ନହେଲେ ଏଥର ଚାଷୀ ପଞ୍ଜୀକରଣ ହୋଇପାରିବ ନାହିଁ। ଚାଷୀଙ୍କ ଧାନ ଟଙ୍କା ଯେଉଁ ବ୍ୟାଙ୍କକୁ ଯିବ ସେହି ବ୍ୟାଙ୍କ ଖାତା ଓ ଆଧାର ମଧ୍ୟରେ ଇ-କେୱାସି ସଂଯୋଗ କରିବାକୁ ବାଧ୍ୟ । ଅଧିକାଂଶ ଚାଷୀ ନିଜ ବ୍ୟାଙ୍କ ଖାତାରେ ଇ-କେୱାସି କରିନାହାନ୍ତି। ତେଣୁ ପଞ୍ଜୀକରଣ ପାଇଁ ସେମାନେ ଅସୁବିଧାର ସମ୍ମୁଖୀନ ହେବେ। ୩) ଭାଗ ଚାଷୀ ପଞ୍ଜିକରଣ ପାଇଁ ଏଥର ନିଜ ଜମି ମାଲିକଙ୍କୁ ଧରି ସାଙ୍ଗରେ ଆସିବେ। ସୋସାଇଟି ସମ୍ପାଦକଙ୍କ ଆଗରେ ପଞ୍ଜୀକରଣ ଫର୍ମରେ ଜମି ମାଲିକ ଓ ଭାଗଚାଷୀ ଉଭୟ ଦସ୍ତଖତ କରିବେ। ଜମି ମାଲିକ ଧାନ ଚାଷ ନ କରିଥିଲେ ମଧ୍ୟ ଭାଗ ଚାଷୀ କରିଥିବାରୁ ନିଜ ସହମତି ସେହି ଫର୍ମରେ ଦସ୍ତଖତ କରିବେ ଓ ତାହା ପଞ୍ଜୀକରଣ ଆପରେ ଲୋଡ଼ ହେବ ଏବଂ ଚାଷୀକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ।
୪) ଚଳିତ ବର୍ଷ ପଞ୍ଜିକରଣ ପାଇଁ ସମସ୍ତ ଚାଷୀଙ୍କର ଆଖି ସ୍କାନ ଜରୁରି ହୋଇଛି। ଏଥିରେ କେତେକ ସ୍ଥଳେ ୬୦ବର୍ଷରୁ ଉର୍ଦ୍ଧ ଚାଷୀ ପଞ୍ଜିକରଣରେ ଅସୁବିଧାର ସମ୍ମୁଖିନ ହେବେ କାରଣ Biometrics ବାୟୋମେଟ୍ରିକ୍ ଯାଞ୍ଚ୍ ପ୍ରକିୟାରେ ସେମାନଙ୍କର ତ୍ରୁଟି ହେବା ଫଳରେ ସେମାନେ ପଞ୍ଜିକରଣରୁ ବଞ୍ଚିତ ହେବେ ।
୫) ଆଗରୁ ପଞ୍ଜିକରଣ ସମୟରେ Draft, Save & Edit option ରହୁଥିଲା ବେଳେ ବର୍ତ୍ତମାନ ହେଉଥିବା ପଞ୍ଜିକରଣରେ ତାହା ଉଠାଇ ଦିଆଯାଇଛି ଓ ସାମାନ୍ୟ ଭୁଲ ପାଇଁ ପୁନଃ ପଞ୍ଜିକରଣ କରିବାକୁ ପଡୁଛି I ପ୍ରଥମେ ଚାଷୀଭାଇ ମାନେ ଅଳ୍ପ ସମୟ ପାଇଁ ସମିତିକୁ ଆସୁଥିଲେ ଓ ନିଜ ମୋବାଇଲରେ ଓ.ଟି.ପି ଦେଇ କାମସାରି ଯାଉଥିଲେ। ଏହି ନୂତନ ବ୍ୟବସ୍ଥା ଫଳରେ ଦିନକୁ ସର୍ବାଧିକ ୧୦ ରୁ ୩୦ଟି ପଞ୍ଜିକରଣ କରିବା ସମ୍ଭବ ହେଉଛି I ବେଳେବେଳେ Server Slow ପାଇଁ ଚାଷୀଭାଇଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି I
ଏହି ସବୁ ଅସଙ୍ଗତି କାରଣରୁ ଚାଷୀଭାଇ ମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ବାଲେଶ୍ଵର – ଭଦ୍ରକ ସମବାୟ ବ୍ୟାଙ୍କ ସଭାପତି ଗଣେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ବିଜେଡ଼ି ନେତା ବରଦା ପ୍ରସନ୍ନ ପଟ୍ଟନାୟକ, ଗୌରାଙ୍ଗ ପାଢ଼ୀ, କ୍ଷତିଶ ମହାନ୍ତି, ବିଦ୍ୟାସ୍ମିତା ମହାଳିକ, ଅଜୟ ସାମଲ, ଦେବ ଦେ, ଅଞ୍ଜନ ଦଣ୍ଡପାଟ, ତପନ ଦାସ, ସିମନ ଦାସ ମହାପାତ୍ର, ସଂଗ୍ରାମ ମଲ୍ଲିକ, ଅନିରୁଦ୍ଧ ପ୍ରଧାନ, ଶରତ ବେହେରା, ଅଜୟ ମହାଳିକ, ଶାନ୍ତନୁ ଦାସ, ସଞ୍ଜୀବ ଦାସ, ଇନ୍ତେଖାବ ଅଲି ଖାନ୍, ମୃତ୍ୟୁଞ୍ଜୟ ବେହେରା, ଶୁଭମ୍ ସାଇ ମହାପାତ୍ର, ରଞ୍ଜିତା ମହାପାତ୍ର, ରୋଜି ପଟ୍ଟନାୟକ, ଅଶ୍ରିତା ତରାଇ, ସୋନାଲି ସାହା, ଜୟନ୍ତୀ ଦତ୍ତ, ହରପ୍ରିୟା ରଣାଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।