ପରିତ୍ୟକ୍ତ ଅବସ୍ଥାରେ ଶବ ବ୍ୟବଚ୍ଛେଦ ଗୃହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କୁହାଯଏ ମଣିଷର ଜୀବନ ଅମୁଲ ମୁଲ। ସମାଜରେ ମଣିଷ ସମ୍ମାନର ସହିତ ଯେମିତି ବଞ୍ଚିବାର ଅଧିକାର ରହିଛି। ସେହିପରି ମଣିଷର ମୃତ୍ୟୁ ପରେ ତାର ଶବ ମଧ୍ୟ ଉପଯୁକ୍ତ ସମ୍ମାନ ପାଇବାର ହକ ଓ ଅଧିକାର ରହିଛି। ତେବେ ମଣିଷ ମରିଗଲା ପରେ ବି ଉପଯୁକ୍ତ ସମ୍ମାନ ପାଇବାର ଅଧିକାର ହରାଇବସେ ତା’ହେଲେ ସେଇଠୁ ବଳି ଦୁଃଖର କଥା ଆଉ କିଛି ନାହିଁ। ଏଭଳି ଦୁସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ଶବ ବ୍ୟବଚ୍ଛେଦ ଗୃହରେ। ଲାଞ୍ଜିଗଡ଼ ବ୍ଲକର ୧୮ଗୋଟି ପଞ୍ଚାୟତର ଲୋକେ ଦୁର୍ଘଟଣା, ହତ୍ୟା, କୌଣସି ସନ୍ଦେହଜନକ ମୃତ୍ୟୁ ଓ ଅପମୃତ୍ୟୁ ଘଟିଲେ ଶବ ବ୍ୟବଚ୍ଛେଦ ପାଇଁ ଏହି ବ୍ୟବଚ୍ଛେଦ ଗୃହ ଉପରେ ନିର୍ଭର କରିଥାନ୍ତି। ତେବେ ଦୀର୍ଘ ବର୍ଷ ହେଲା ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତାକଡ଼ରେ ଥିବା ଏହି ବ୍ୟବଚ୍ଛେଦ ଗୃହ ଅପନ୍ତରା ହୋଇ ପଡ଼ିରହିଛି। ଗୃହ ସାମ୍ନାରେ ଲଟାବୁଦା ଭର୍ତ୍ତି ହୋଇଥିବାବେଳେ ଦିନରେ ମଧ୍ୟ ସରୀସୃପ ଭୟ ଲାଗି ରହିଛି। ସଂପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଶବଗୃହରେ ଶବ ସଂରକ୍ଷିତ କରି ରଖିବା ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାବେଳେ ବ୍ୟବଚ୍ଛେଦ ପାଇଁ ଅଣାଯାଉଥିବା ଶବକୁ ଜଗି ରହିବା ମୁସ୍କିଲ ହୋଇପଡୁଛି। ବ୍ୟବଚ୍ଛେଦ ଗୃହକୁ ସଂଯୋଗ କରୁଥିବା ରାସ୍ତା ଉପରେ ଛୋଟ କଲଭର୍ଟଟିଏ ଥିବାବେଳେ ତାହା ଭାଙ୍ଗିରୁଜି ଯାଇଛି। ଏହା ନିକଟରେ ଲୋକେ ଅଳିଆ ଗଦା କରିଦେଇଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଶବ ବ୍ୟବଚ୍ଛେଦ ଗୃହର ପୁନଃରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.