ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ର, ଭୁବନେଶ୍ୱର ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଉପଲକ୍ଷେ ଏକ ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର ଆରମ୍ଭ ହୋଇଛି। ସଭାରେ ପ୍ରଫେସର ଦେବାଶିଷ ପାତ୍ର (ମୁଖ୍ୟ, ଭାଷା ଓ ସାହିତ୍ୟ ବିଭାଗ) ସ୍ବାଗତ ଭାଷଣ ଦେଇ ଆଲୋଚନାଚକ୍ରର ଉଦ୍ଦେଶ୍ୟ ବିଷୟରେ କହିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜ ଉଦବୋଧନରେ, ଡ଼କ୍ଟର ହରେକୃଷ୍ଣ ମହତାବ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତର ସ୍ଵାଧୀନତା ସଂଗ୍ରାମ ଓ ରାଜନୀତିରେ ଏକ ଅମଳିନ ବ୍ଯକ୍ତିତ୍ବ କହି ସମ୍ବୋଧନ କରିଥିଲେ। ରାଜନୀତି ସହ ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ଆଜିର ପିଢ଼ି ପାଇଁ ପ୍ରେରଣାଦାୟକ। ଏଣୁ ସେ ଇତିହାସରେ ଛାଡି ଯାଇଥିବା କୃତିତ୍ବକୁ ଅନୁସରଣ ତଥା ତାଙ୍କ ଜୀବନାଦର୍ଶନରେ ଅନୁପ୍ରାଣିତ ହେବା ପାଇଁ ସମସ୍ତକୁ ଆହ୍ଵାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଯୋଗଦେଇ, ମହତାବଙ୍କ ସାହସିକ ନେତୃତ୍ୱ ଓଡ଼ିଶାର ପରିଚୟକୁ ନବ ଦିଗନ୍ତ ଦେଇଥିବାରୁ ତାଙ୍କୁ ‘ଉତ୍କଳ କେଶରୀ’ ଭାବରେ ସମ୍ମାନିତ କରାଯାଇଥିଲା ଓ ଆଜିର ଯୁବବର୍ଗ ତାଙ୍କର ସାହସ, ସତ୍ୟନିଷ୍ଠା ଓ ସ୍ୱପ୍ନକୁ ଅନୁସରଣ କରିବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ ।

ମୁଖ୍ୟବକ୍ତା ତଥା ଲବ୍ଧପ୍ରତିଷ୍ଠ ସାହିତ୍ୟିକ ଓ ସ୍ତମ୍ଭକାର ଶ୍ରୀ ଦାଶ ବେନହୁର ଏକ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରି କହିଲେ , “ମହତାବ ଜଣେ ପାନ୍ଥଶାଳା, ଜନନେତା ତଥା ମାନବତା ଓ ଜାତୀୟତା ସହ ସାହିତ୍ୟିକ, ସାମାଜିକ ଓ ରାଜନୀତିକ ପ୍ରତୀକ ଥିଲେ। ତାଙ୍କ ଲେଖା ‘ଗାଳ୍ପିକ’ ଓ ‘ଇତିହାସିକ’ ପରମ୍ପରାରେ ଆଜିମଧ୍ୟ ସମାନ ପ୍ରାସଙ୍ଗିକ କହି ବିଭିନ୍ନ ପ୍ରତିଷ୍ଠିତ ଲେଖକମାନଙ୍କ ଲେଖନୀରେ ମହତାବଙ୍କ ବ୍ୟକ୍ତିତ୍ବକୁ ବ୍ୟାଖ୍ୟା କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ। ସେ ନିଜ ଅଭିଭାଷଣରେ
ଡ଼କ୍ଟର ମହତାବଙ୍କୁ ଜଣେ ସାମଗ୍ରିକ ବ୍ୟକ୍ତିତ୍ବ ତଥା ‘ନବଉତ୍କଳର ନିର୍ମାତା’ କହି ସମ୍ବୋଧନ କରିଥିଲେ ଓ ତାଙ୍କ ବିନା ଓଡ଼ିଶାର ସ୍ଵାଧୀନ ପରିଚୟକୁ ଚିନ୍ତା କରିହେବ ନାହିଁ ବୋଲି କହିଥିଲେ। ସେ ଆହୁରି ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହତାବଙ୍କ ନାମରେ ନାମିତ କେନ୍ଦ୍ରୀୟ ପାଠାଗାରକୁ ନେଇ ଗର୍ବୀତ ହେବା ସହ ତାଙ୍କର ମୂଲ୍ୟବୋଧକୁ ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବାରେ ପ୍ରୟାସ ଜାରି ରହିବା ନେଇ ଆଶାବ୍ୟକ୍ତ କରିଥିଲେ।

ପ୍ରଫେସର ଉପେନ୍ଦ୍ର ପାଢ଼ୀ (ସଚିବ, ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ର- ଭୁବନେଶ୍ବର) ସମସ୍ତଙ୍କୁ କୃତଜ୍ଞତା ଜଣାଇ, ମହତାବଙ୍କ ଚିନ୍ତାଧାରାକୁ ଆଜିର ଶିକ୍ଷା, ସାହିତ୍ୟ ଓ ସମାଜଚର୍ଚ୍ଚାରେ ସାମିଲ କରାଯିବା ସହ ଗବେଷଣା ଓ ଅଧ୍ୟୟନ କରାଇବା ପାଇଁ ଏହିପରି ପ୍ରୟାସ ଆଗକୁ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ। ଏଥିସହ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ଗବେଷଣାତ୍ମକ ଉନ୍ନତିକରଣରେ ସହାୟତା ପାଇଁ ପ୍ରସ୍ତାବ ରଖିଥିଲେ। ଦୁଇ ଦିନରେ ପାଞ୍ଚଟି ଆଲୋଚନାଚକ୍ର ଅଧିବେଶନରେ “ଓଡ଼ିଆ ସାହିତ୍ୟର ମାର୍ଗଦର୍ଶକ ଡ଼କ୍ଟର ହରେକୃଷ୍ଣ ମହତାବ”, “ଓଡ଼ିଆ ସାମ୍ବାଦିକତାର ନବଦିଗନ୍ତ”, “ସ୍ବାଧୀନତା ସଂଗ୍ରାମ”, “ନବଉତ୍କଳ ନିର୍ମାତା” ଓ “ସ୍ବାଧୀନୋତ୍ତର ଓଡ଼ିଶାର ରାଜନୀତି” ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି। କାର୍ଯ୍ୟକ୍ରମରେ ବାଲେଶ୍ୱରର ପ୍ରମୁଖ ସାହିତ୍ୟିକ, ଗାଳ୍ପିକ, ଔପନ୍ୟାସିକ, ବରିଷ୍ଠ ସାମ୍ବାଦିକ, ଶିକ୍ଷାବିତ, ଛାତ୍ର, ଗବେଷକ, ଅଧ୍ୟାପକ-ଅଧ୍ୟାପିକାମାନେ ସକ୍ରିୟ ଭାଗଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.