ତୀବ୍ର ହେବାରେ ଲାଗିଛି ବିଷମକଟକକୁ ଉପଖଣ୍ଡ ମାନ୍ୟତା ଦାବି

ଓଡ଼ିଆ ବାର୍ତ୍ତା/ ବିଷମ କଟକ ( ପଦ୍ମନ ଭତ୍ରା ): ରାୟଗଡା ଜିଲ୍ଲା ବିଷମ କଟକ ନାଗରିକ ମଞ୍ଚ ତରଫରୁ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବିଷମକଟକକୁ ଉପଖଣ୍ଡ ମାନ୍ୟତା ଦାବିକୁ ସୁଦୃଢ କରାଯାଇଛି । ବୈଠକଟି ବିଷମ କଟକ ବିକାଶ ମଞ୍ଚର ସଭାପତି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓକିଲ ସଂଘ, ସାମ୍ବାଦିକ ସଂଘ, ବଣିକ ସଂଘ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଗତ ଅଗଷ୍ଟରେ ରାଜ୍ୟ ସରକାର ବିଷମ କଟକକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିଥିଲେ। ତଥାପି ସହରବାସୀଙ୍କ ପୁରୁଣା ଦାବି ଉପଖଣ୍ଡ ମାନ୍ୟତା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ପୂର୍ବରୁ ଏହି ଦାବି ପାଇଁ ବିଷମ କଟକ ବିକାଶ ମଞ୍ଚ, ଓକିଲ ସଂଘ, ବଣିକ ସଂଘ ଓ ସ୍ଥାନୀୟ ସହରବାସୀଙ୍କ ତରଫରୁ ଏକାଧିକ ସମୟରେ ଆନ୍ଦୋଳନ ୧୨-ଘଣ୍ଟିଆ ବନ୍ଦ ଡାକରା ହୋଇଥିଲା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶାସନକାଳରୁ ଏହି ଦାବି ଉଠିଥିଲା ଓ ତାଙ୍କ ସମୟ ବେଳେ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ସହରରେ ଉପଖଣ୍ଡ କାର୍ଯ୍ୟାଳୟ ପାଇଁ ପର୍ଯ୍ୟାପ୍ତ ସରକାରୀ ଜମି ରହିଛି । ଯଦି ବିଷମ କଟକକୁ ଉପଖଣ୍ଡ ଭାବେ ଘୋଷଣା କରାଯାଏ ତେବେ ବିଷମ କଟକ, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକର ଲୋକେ ବହୁତ ଉପକୃତ ହେବେ । ରାଜ୍ୟ ସରକାର ୩୧ ଡିସେମ୍ବର ସୁଦ୍ଧା ଜିଲ୍ଲା, ଉପଖଣ୍ଡ ଓ ବ୍ଲକ୍‌ର ପୁନର୍ଗଠନ ପାଇଁ ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି। ସେଥିପାଇଁ ସ୍ଥାନୀୟ ନାଗରିକମାନେ ଏଥିରେ ସୁଯୋଗ ନେଇ ଦାବିପତ୍ର ପ୍ରସ୍ତୁତ କରୁଛନ୍ତି । ଆସନ୍ତା ରବିବାର, ବିଷମ କଟକର ଏକ ଦଳ ରାୟଗଡା ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଦାବିପତ୍ର ଦେବାକୁ ସମ୍ପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବୈଠକରେ ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା, ବ୍ଲକ୍ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ନବୀନ ଟ୍ରଷ୍ଟ ସଭାପତି ବାଲା ମୁକୁନ୍ଦ ପାଳ ସମେତ ରବୀନ୍ଦ୍ର ପଣ୍ଡା, ଡ଼ି ଶିବା, କିଟୁ ରଣା, ପ୍ରଶାନ୍ତ ରଥ, ବିନାୟକ ହତା, ଜି.ଶ୍ରୀନିବାସ କୁମାର, ଶିବ ନରେନ୍ଦ୍ର ଓ ଶୁଭମ ମହାପାତ୍ର, ଅରୁଣ ସାହୁକାର ସହିତ ସହରର ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.