ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ଚ଼େତନା ମହାବିଦ୍ୟାଳୟ ଠାରେ ନିଖିଳ ଉତ୍କଳ ଅବସରପ୍ରାପ୍ତ ବିଶ୍ଵ ବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘର ସାଧାରଣ ପରିଷଦ ତଥା ଅଷ୍ଟମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ମୁଖ୍ୟ ଅତିଥି, ସ୍ତମ୍ଭକାର ତଥା ସଂପାଦକ ଶ୍ରୀ ମନୋଜ କୁମାର ମହାପାତ୍ର ମୁଖ୍ୟବକ୍ତା ଏବଂ ଝାଡ଼ଖଣ୍ଡ ରାଞ୍ଚିର ପ୍ରଫେସର ଡ଼ଃ ହରି ଓମ୍ ପାଣ୍ଡେ ଓ ଚେତନା ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ଡ଼ଃ ନାରାୟଣ ଚନ୍ଦ୍ର ପତି ସମ୍ମାନିତ ଅତିଥି ଯୋଗଦେବା ସହ ଅରୁକ୍ଟା ସଂଘର ସଭାପତି ପ୍ରଫେସର ବାଲ୍ମୀକ ପଟ୍ଟନାୟକ, ସମ୍ପାଦକ ଡ଼ଃ ନିରଞ୍ଜନ ପାଢ଼ୀ ଏବଂ ସାଧାରଣ ସମ୍ପାଦକ ପ୍ରଫେସର ଗୋପାଳ କୃଷ୍ଣ ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ। ଉକ୍ତ ସଭାରେ ଦେଶ ତଥା ରାଜ୍ୟରେ ପ୍ରଚଳିତ ଶିକ୍ଷାନୀତି, ନୂତନ ଶିକ୍ଷାନୀତି ୨୦୨୦, ମାନସିକ ସ୍ଵାସ୍ଥ୍ୟ ଏବଂ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଅଧିକାର ଓ ସଂଘର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ ସମ୍ମିଳନୀରେ ମଞ୍ଚାସିନ ଅତିଥି ତଥା ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସଂଗ୍ରାମୀ ବରିଷ୍ଠ ଶିକ୍ଷକ ଯଥା ଡ଼ଃ ବିନୟ ଭୂଷଣ ମହାପତ୍ର, ଡ଼ଃ ଉଷା ପାଢ଼ୀ, ଡ଼ଃ ଶ୍ୟାମ ସୁନ୍ଦର ଦାଶ, ଡ଼ଃ ମନୋଜ କୁମାର ମହାନ୍ତି, ଡ଼ଃ ହରେନ୍ଦ୍ର କୁମାର ପଣ୍ଡା, ଡ଼ଃ ଧୀରେନ୍ଦ୍ରନାଥ ଶ୍ରୀଚନ୍ଦନ, ଡ଼ଃ ଯୁଗଳ କିଶୋରେ ଦାଶ, ଡ଼ଃ ପି ଶଙ୍କର ନାରାୟଣ ପାତ୍ର, ପ୍ର ଦିବାକର ପଟ୍ଟନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନେକ ଯୁବ ଛାତ୍ରଛାତ୍ରୀ ଚେତନା ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହ ଡ଼ଃ ସୁରେନ୍ଦ୍ର ଜେନା, ଡ଼ ନଗେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫେସର ନନ୍ଦ ଓ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ପରିଶେଷରେ ଚେତନା ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ କର ଓ ଡ଼ଃ ନିରଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।