ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାସକ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଛି ତିନୋଟି ହତ୍ୟାକାଣ୍ଡ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଥାନା ଅଞ୍ଚଳରେ ଘଟିଥିବା ଏସବୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବିଶ୍ଵନାଥପୁର ପୁଲିସ। ପୂର୍ବରୁ ଲାଞ୍ଜି ପଞ୍ଚାୟତ କାଣ୍ଡାମା ଓ ବେଡ଼ାଗାଁ ପଞ୍ଚାୟତ ମନସ୍ତରା ପରେ ଗତକାଲି କୁମଖାଲ ପଞ୍ଚାୟତ ଅନ୍ତର୍ଗତ ମେରାଙ୍ଗପଦର ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଥିବା ହତ୍ୟାକାଣ୍ଡରେ ମଧ୍ୟ ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୁଲିସ ଶବ ଜବତ କରି ତଦନ୍ତ କରିବା ପରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଆଜି ବିଶ୍ୱନାଥପୁର ଥାନା ପରିସରରେ କଳାହାଣ୍ଡି ପୁଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ତାଙ୍କ ସହିତ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ସମ୍ୱିତ କୁମାର ମାଝୀ, ବିଶ୍ଵନାଥପୁର ଥାନାଧିକାରୀ ତୁଳସୀରାମ ଶବର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ମେରାଙ୍ଗପଦର ଗାଁର ସାନ୍ଦୁ ମାଝୀ (୪୦) ଗତକାଲି ବୁଧବାର ଦିନ
ନିକଟସ୍ଥ ଖଜୁରଗୁଡ଼ା ଗାଁକୁ ନିଜ ସାଇକେଲ ସଜାଡ଼ିବାକୁ ଯାଇ ଘରକୁ ଫେରିନଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ତାଙ୍କ ସ୍ତ୍ରୀ ରାଜା ମାଝୀ ବିଶ୍ଵନାଥ ପୁର ଥାନାରେ ଅଭିଯୋଗ କରିଥିଲେ। ଏପରିକି ଗୁଣିଗାରେଡ଼ି ସନ୍ଦେହରେ ତାଙ୍କ ସ୍ବାମୀକୁ ହତ୍ୟାକରି ଫିଙ୍ଗି ଦିଆଯାଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୋଗ ପାଇବା ପରେ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ମାଝୀଙ୍କ ନେତୃତ୍ୱରେ ବିଶ୍ଵନାଥପୁର ଥାନା ଅଧିକାରୀ ଶ୍ରୀ ଶବର, ଏଏସ୍ଆଇ ବୁଦ୍ଧିଶ୍ୟାମ ମାଝୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଏହି ସ୍ବତନ୍ତ୍ର ଟିମ୍ ମେରାଙ୍ଗପଦର ଗାଁକୁ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଥିଲେ। ଏହାସହିତ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ସହାୟତା ନେଇଥିଲେ। ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସହିତ ଏହି ମାମଲାରେ ପାଞ୍ଚଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ସେମାନଙ୍କ ଠାରୁ ସୂଚନା ପାଇ ମେରାଙ୍ଗପଦର ଜଙ୍ଗଲ ଭିତରେ ପୋତା ଯାଇଥିବା ଅବସ୍ଥାରେ ସାନ୍ଦୁଙ୍କ ଶବ ଠାବ କରାଯାଇଥିଲା। ଏହାପରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ସନ୍ଦୀପ ତିର୍କିଙ୍କ ଉପସ୍ଥିତିରେ ମାଟି ଖୋଳି ଶବ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତମାନଙ୍କଠାରୁ ସୂଚନା ପାଇ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଧାରୁଆ ଛୁରୀକୁ ଜବତ କରିଥିଲା ପୁଲିସ। ଶବ ଉଦ୍ଧାର ଓ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ସେହି ଗାଁର ଘୁରୁଣା ମାଝୀ (୫୩), ପୁଷ୍ଟା ଓରଫ କୁଷ୍ଟା ମାଝୀ (୩୫), ସାନ୍ଦ୍ରୁ ମାଝୀ(୩୮), ଲଛମନ ମାଝୀ (୩୯), ରାଜୁ ମାଝୀ (୩୨)ଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ସେମାନେ ସାନ୍ଦୁଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରିଥିବା ସ୍ବୀକାର କରିବା ପରେ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟ ଜାମିନ ନାମଞ୍ଜୁର କରିବାରୁ ସେମାନଙ୍କୁ ଜେଲ ଯିବାକୁ ପଡ଼ିଛି। ଏନେଇ ବିଶ୍ଵନାଥପୁର ଥାନା କେସ ନଂ ୫୮/୦୩.୯.୨୦୨୫ରେ ମାମଲା ରୁଜୁ କରି ବିଶ୍ଵନାଥପୁର ଥାନାଧିକାରୀ ଶ୍ରୀ ଶବର ତଦନ୍ତ କରୁଛନ୍ତି। ତେବେ ମାସକ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ତିନୋଟି ହତ୍ୟାକାଣ୍ଡ ଘଟିବା ପରେ ପୁଲିସର ମୁଣ୍ଡବ୍ୟଥା ବଢିଯାଇଛି। ଆଗାମୀ ଦିନରେ ବିଶ୍ଵନାଥପୁର ଥାନା ଅଞ୍ଚଳରେ ପୁଲିସ ପ୍ରଶାସନ, ନିର୍ବାଚିତ ପ୍ରତିନିଧି, ସ୍ବେଛାସେବୀ ସଂସ୍ଥା, ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ନେଇ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ବିରୋଧରେ ଲୋକଙ୍କୁ ସଚେତନ କରିବାକୁ କଳାହାଣ୍ଡି ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।