ଗୁରୁ ଦିବସ ଓ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ

ଭାରତବର୍ଷରେ ଗୁରୁଙ୍କର ସ୍ଥାନ ଯଥେଷ୍ଟ ଉଚ୍ଚରେ। ଗୁରୁଙ୍କର ସଂଜ୍ଞା ନିରୂପଣ କରାଯାଇ ଯଥାର୍ଥରେ କୁହାଯାଇଛି ଯେ- “ଗୁକାରୋନ୍ଧକାରସ୍ତୁ ଗୁକାରସ୍ତନ୍ନବର୍ତ୍ତକଃ, ଅନ୍ଧକାର ନିବୃତ୍ୟାକୁ ଚାରୁରିତ୍ୟଭିଧୀୟତେ।।” ଅର୍ଥାତ୍ ‘ଗୁ’ ଅର୍ଥ ଅନ୍ଧକାର, ‘ରୁ’ ଅର୍ଥ ଅଜ୍ଞାନ।ଛାତ୍ରଛାତ୍ରୀମାନଙ୍କର ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରକରି ଜ୍ଞାନରୂପକ ଆଲୋକକୁ ପ୍ରଦାନ କରିବାରେ ଶିକ୍ଷକମାନେ ସମର୍ଥ ହୋଇଥିବାରୁ ତାଙ୍କୁ ‘ଗୁରୁ’ ଆଖ୍ୟା ପ୍ରଦାନ କରାଯାଇଛି। ପୁନଶ୍ଚ :- “ଗୁରୁର୍ବହ୍ମା ଗୁରୁର୍ବିଷ୍ଣୁ ଗୁରୁଦେବ ମହେଶ୍ବର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରୁବେ ନମଃ।”

ଅର୍ଥାତ୍ ଗୁରୁ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର।ସେ ମଧ୍ୟ ପରଂବ୍ରହ୍ମ ସଦୃଶ ପ୍ରତୀୟମାନ ହୋଇଥା’ନ୍ତି। ଏଣୁ ଗୁରୁଙ୍କୁ କୋଟି ନମସ୍କାର ସର୍ବାଦୌ କରଣୀୟ। ମୁଖ୍ୟତଃ ଗୁରୁ ହେଉଛନ୍ତି ଦେବତା ସମାନ। ତାଙ୍କରି ଶୁଭାଶିଷ ଲାଭ କରି ଶିଷ୍ୟ ପ୍ରକୃତ ମନୁଷ୍ୟତା ଲାଭ କରିଥାଏ।ଗୁରୁକୃପା ହିଁ ଛାତ୍ର-ଛାତ୍ରୀଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ଦେଇଥାଏ।ଏଣୁ ଗୁରୁଭକ୍ତି ଛାତ୍ରଛାତ୍ରୀଙ୍କର ଭୂଷଣ ହେବା ଦରକାର।ଅପରପକ୍ଷରେ ଗୁରୁଙ୍କର ଶୁଭଦୃଷ୍ଟି ଛାତ୍ରଙ୍କ ଉପରେ ପଡ଼ିବା ଆବଶ୍ୟକ।ଏ ପରିପ୍ରେକ୍ଷୀରେ ପ୍ରତିବର୍ଷ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମତିଥିକୁ ଗୁରୁଦିବସ ରୂପେ ପାଳନ କରାଯାଉଛି।ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନିକ, ଭାରତ ବର୍ଷର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ବିତୀୟ ରାଷ୍ଟ୍ରପତି ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ।

୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ । ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା।ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା । ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା ।ଏହା ପରଠାରୁ ରାଧାକ୍ରିଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ।୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ।ତାହାପରେ କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ, ମାଂଚେଷ୍ଟର ବିଶ୍ବବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ନିୟୋଜିତ ହୋଇଥିଲେ।

୧୯୪୯ରେ ସୋଭିଏତ ଋଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ମିଳିଥିଲା ସମ୍ମାନଜନକ ଭାରତ ରତ୍ନ ।ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା।ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ଥାଏ।ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି।ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ’ ନିଜକୁ ଯେ ନିରନ୍ତର ଶିକ୍ଷା ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ’।ଗୁରୁ ଓ ରାସ୍ତା ଏକାପରି।ସେମାନେ ଗୋଟିଏ ଜାଗାରେ ଥିବେ,କିନ୍ତୁ  ଆଗକୁ ବଢିବାକୁ ପ୍ରୋତ୍ସାହିତ କରିବେ। ଏହା ହିଁ ତ ଗୁରୁଙ୍କ ମହାନତା। ଛାତ୍ର-ଛାତ୍ରୀଙ୍କ ଏକ ସୁନ୍ଦର ଭବିଷ୍ୟତ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ।କଞ୍ଚାମାଟିର ପିତୁଳାକୁ ସେ ଦେବତା ରୂପେ ଗଢିବାକୁ ନିରନ୍ତର ପ୍ରୟାସ ଜାରି ରଖିଥାଆନ୍ତି । ବିନା ଗୁରୁରେ କେହି ବି ଜ୍ଞାନୀ ପଦବାଚ୍ୟ ହୋଇପାରି ନଥାଏ । ଗୁରୁ ହିଁ ପ୍ରେରଣାର ଉତ୍ସ । ଯେତେବେଳେ ଆମେ ଜନ୍ମ ନେଉ, ସର୍ବପ୍ରଥମେ ଆମେ ନିଜ ପିତାମାତାଙ୍କଠାରୁ ଜୀବନର ପ୍ରାରମ୍ଭିକ ଶିକ୍ଷା ମିଳେ । ପିତା-ମାତା ହେଉଛନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ । ଶିଶୁଟି ଧରା ଛୁଇଁବା ପରେ ତାକୁ ତା ମାଆ କୋଳେଇ ନିଏ, ତାର ଅଳି-ଅର୍ଦ୍ଦଳି ସବୁ ସହେ । କେମିତି ଚାଲିବ, କେମିତି ଖାଇବ, କେମିତି କଥା କହିବ, କେମିତି ବସିବ ପରି ଅନେକ ଶିଷ୍ଟାଚାର କଥା, ସମାଜରେ ଅନୁରୂପ ବଞ୍ଚିବାର କଳା ଶିଖେଇଥାଆନ୍ତି ପିତା-ମାତା । ବ୍ୟବହାର, ଶୈଳୀ, ଶିଷ୍ଟାଚାର, ଭଦ୍ରାମୀ କ’ଣ ତାହା ଉଭୟ ବାପା-ମାଆ ହିଁ ଶିଶୁଟିକୁ ଜଣାଇଥାଆନ୍ତି । ତେଣୁ ଉଭୟ ତାର ପ୍ରଥମ ଗୁରୁ । ଜଣେ ଶିକ୍ଷକଙ୍କୁ ଯେମିତି ସମ୍ମାନ ଦିଆଯାଏ, ଠିକ୍‌ ସେହିଭଳି ନିଜ ବାପା-ମାଆଙ୍କୁ ମଧ୍ୟ ସମ୍ମାନ ଦେବା ଉଚିତ୍‌ । 

ଯିଏ ନିଜ ବାପା-ମାଆଙ୍କୁ ସମ୍ମାନ ଦେଇ ଜାଣେନା, ସେ କାହାକୁ ସମ୍ମାନ କରିବା ଶିଖି ପାରେନା । କାରଣ ଉଭୟ ନଥିଲେ ଜଣେ ଶିଶୁର ଭବିଷ୍ୟତ କେବେ ବି ଉତ୍ତମ ରୂପେ ଗଢା ହୋଇପାରିବ ନାହିଁ । ପିତାମାତାଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି, ସେ ହେଉଛନ୍ତି ଶିକ୍ଷା ଗୁରୁ । ଯିଏ ଆମକୁ ଶିକ୍ଷା ଦାନ କରନ୍ତି ତାଙ୍କ ସ୍ଥାନ ବି ଅପୂରଣୀୟ । ପିଲାର ସମ୍ପୂର୍ଣ୍ଣ ଭବିଷ୍ୟତ ନ୍ୟସ୍ତ ଥାଏ ଜଣେ ଶିକ୍ଷକଙ୍କ ଉପରେ । ପିଲାଟି ଯେବେ ଖଡି ଧରିବା ଆରମ୍ଭ କରିଥାଏ, ଶିକ୍ଷା ଗୁରୁର ଶିକ୍ଷକତା ସେହିଠାରୁ ହିଁ ଆରମ୍ଭ ହୋଇଥାଏ । ବିନା ଗୁରୁରେ ଛାତ୍ରର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଥାଏ । ତେଣୁ ତାଙ୍କୁ କେବେ ବି ଅବମାନନା କରିବା ଉଚିତ୍‌ ନୁହେଁ । ଶିକ୍ଷା ହେଉଛି ପ୍ରଗତିର ମାପକାଠି । ଏହା ମାଧ୍ୟମରେ ହିଁ ସମାଜର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଅଣାଯାଇପାରିବ । ସବୁଠୁ କଠିନ କାର୍ଯ୍ୟ ମଧ୍ୟରେ ଗୋଟିଏ ବଡ କାର୍ଯ୍ୟ ହେଉଛି ଜଣେ ଭଲ ଆଦର୍ଶ ଶିକ୍ଷକ ହେବା । ମୋ ଜୀବନର ପ୍ରତ୍ୟେକ ଟି ପାହାଚରେ ଶିକ୍ଷା ଦେଇ ଆସିଥିବା ସମସ୍ତ ଗୁରୁଙ୍କୁ ପବିତ୍ର ଗୁରୁ ଦିବସ ଉପଲକ୍ଷେ ମୋର ପ୍ରଣାମ ।

ବିଶ୍ବବିଜୟୀ ଦାଶ

ସମ୍ପାଦକ, ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକା 

ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା

ପିନ୍- ୭୫୨୦୩୫

ମୋବାଇଲ ନଂ- ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.