ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯୁବ କଂଗ୍ରେସ ସଭାପତି ମାନଙ୍କ ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇଛି । ଏହି ପରିପ୍ରେକ୍ଷିରେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ଆଲୋକ ରଂଜନ ପୁଟେଲଙ୍କ ନାମ ଘୋଷଣା ହୋଇଛି । ଏଥିପାଇଁ ଶ୍ରୀ ପୁଟେଲ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କ ଠାରେ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ପୁଟେଲ ଅଞ୍ଚଳରେ ସମାଜସେବୀ ଭାବେ ପରିଚିତ ହୋଇଥିବା ବେଳେ, ସେ ରକ୍ତଦାନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଛନ୍ତି । ସେ ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମଧ୍ୟ ସୁଚାରୁରୂପେ କାର୍ଯ୍ୟ ତୁଲାଇଛନ୍ତି । ପଞ୍ଚାୟତ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କୁ ଯୁବ କଂଗ୍ରେସ ସଭାପତି ଭାବେ ଚୟନ କରାଯାଇ ଥିବାରୁ ଯୁବ କଂଗ୍ରେସ ମହଳରେ ଉତ୍ସାହ ଦେଖା ଦେଇଛି । ମୁଁ ସଂଗଠନ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବି ଓ ଯୁବ ସଂଗଠନକୁ ମଜଭୁତ କରିବି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ମତ ପ୍ରକାଶ କରିଛନ୍ତି । ସେହିପରି ଭାବେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପାଇଁ ଜଗା କାଳିଆ, ଜୁନାଗଡ଼ ପାଇଁ ଦେବରାଜ ଭାଟି, ଧର୍ମଗଡ଼ରେ ଗୋଲକ ନାଏକ ଓ ନର୍ଲା ନିର୍ବାଚନ ମଣ୍ଡଳୀର ନୂତନ ଯୁବ କଂଗ୍ରେସ ସଭାପତି ଭାବେ ଦୀପୁ ପାତ୍ର ମନୋନୀତ ହୋଇଥିବାରୁ ଯୁବ କଂଗ୍ରେସ ମହଲରେ ଶୁଭେଚ୍ଛା ଓ ଅଭିନନ୍ଦନର ବାର୍ତ୍ତା ଛୁଟିବାରେ ଲାଗିଛି ।