ବିଶ୍ଵନାଥପୁର ଲେମ୍ପରେ ସାର ଅଭାବ; ୨ ଘଣ୍ଟା ଧରି ମୁଖ୍ୟ ରାସ୍ତା ଅବରୋଧ କଲେ ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ୟୁରିଆ ସାରର ଅଭାବ ଦେଖା ଦେଇଛି। ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପ୍ରାଥମିକ କୃଷି ସମବାୟ ସମିତିରୁ ୟୁରିଆ ସାର ନେବାପାଇଁ ଆସିଥିବା ଶତାଧିକ ଚାଷୀ ଘଣ୍ଟା ଘଣ୍ଟା ଅପେକ୍ଷା କରି ସାର ନପାଇ ଅସନ୍ତୋଷ ପ୍ରକାଶ କରି ପୋଖରୀବନ୍ଧ-ଲାଞ୍ଜିଗଡ଼ ମୁଖ୍ୟ ରାସ୍ତା ୨ ଘଣ୍ଟା ଧରି ଅବରୋଧ କରିଥିଲେ। ଲାଞ୍ଜିଗଡ଼ ଦାଇତ୍ୱରେ ଥିବା ଅତିରିକ୍ତ ତହସିଲଦାର ସନ୍ଦୀପ ତିର୍କୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆସନ୍ତା ବୁଧବାର ଦିନ ୟୁରିଆ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ରାସ୍ତାରୁ ଓହରି ଯାଇଥିଲେ। ସୂଚନା ମତେ ବ୍ଲକର ବିଶ୍ଵନାଥପୁର ପ୍ରାଥମିକ କୃଷି ସମବାୟ ସମିତିରେ ୩୪୦ ବସ୍ତା ୟୁରିଆ ସାର ମହଜୁଦ୍‌ ଥିବା ବେଳେ ୧ ହଜାରରୁ ଉର୍ଦ୍ଧ୍ବ ଚାଷୀ ସାର ନେବା ପାଇଁ ଆଜି ସକାଳ ୯ ଘଣ୍ଟା ସମୟରୁ ଆଧାର କାର୍ଡ ଧରି ଧାଡ଼ିରେ ଠିଆ ହୋଇ ଅପେକ୍ଷା କରି ଥିଲେ। ହେଲେ ଚାଷୀଙ୍କୁ ସାର ଯୋଗାଇବା ସମବାୟ ସମିତି ପକ୍ଷରୁ ସମ୍ଭବ ହୋଇନଥିଲା। ଚାଷୀମାନେ ଆଧାର କାର୍ଡ ଧରି ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ୟ ସାର ମିଳିନଥିଲା।ଏହାପରେ ସମବାୟ ସମିତିର ପରିଚାଳକ ସାର କମ ପରିମାଣରେ ଥିବା ଯୋଗୁଁ ଚାଷୀଙ୍କୁ ବାଣ୍ଟିବା ସମ୍ଭବ ନୁହେଁ ବୋଲି ମନେକରି ସାର ଦେବା ପାଇଁ ମନା କରିବା ପରେ ଘଣ୍ଟା ଘଣ୍ଟା ସାର ନେବା ପାଇଁ ଉପସ୍ଥିତ ଥିବା ସମସ୍ତ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ।ଏହା ପରେ ଚାଷୀମାନେ ପୋଖରୀବନ୍ଧ-ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ସକାଳ ୧୧ ଘଣ୍ଟା ସମୟରେ ଅବରୋଧ କରିଥିଲେ।ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିବା ବେଳେ ଲୋକଙ୍କ ଯାତାୟତରେ ଘୋର ଅସୁବିଧା ଦେଖା ଦେଇଥିଲା।ଏହି ଖବର ପାଇ ଲାଞ୍ଜିଗଡ ଅତିରିକ୍ତ ତହସିଲଦାର ସନ୍ଦିପ ତିର୍କୀ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସ‌ହିତ ଆଲୋଚନା ସମବାୟ ସମିତି ପକ୍ଷରୁ ଆସନ୍ତା ବୁଧବାର ଦିନ ୟୁରିଆ ସାର ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ପ୍ରାୟ ୨ ଘଣ୍ଟା ପରେ ରାସ୍ତାରୁ ଓହରି ଯାଇଥିଲେ।।ଲାଞ୍ଜିଗଡ ବ୍ଲକରେ ଲାଞ୍ଜିଗଡ ରୋଡ଼, ଲାଞ୍ଜିଗଡ ଓ ବିଶ୍ଵନାଥପୁର ଠାରେ ସମବାୟ ସମିତି ରହିଥିବା ବେଳେ ଚାଷୀଙ୍କ ଅନୁପାତରେ ସାର ମିଳୁନାହିଁ।ଯାହା ଫଳରେ ବ୍ଳକ ମୁଖ୍ୟାଳୟ ବିଶ୍ଵନାଥପୁର ସମବାୟ ସମିତି ଉପରେ ଚାଷୀ ନିର୍ଭର କରୁଛନ୍ତି।ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆବଶ୍ୟକତାରୁ ଅଧିକ ଚାଷୀ ଆଜି ସାର ପାଇଁ ଆସିଥିବା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିଲା ବୋଲି ସମବାୟ ସମିତିର ମୂଖ୍ୟ ପରିଚାଳକ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.