ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ପାଳିତ ହେଲା ଜାତୀୟ ଆତ୍ମହତ୍ୟା ନିରାକରଣ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜାତୀୟ ଆତ୍ମହତ୍ୟା ଓ ତାର ନିରାକରଣ ଦିବସ ପାଳିତ ହୋଇଯାଇଛି। ଏହି ଜାତୀୟ ଦିବସ ପାଳନ ଅବସରରେ ଏ ଏନ ଏମ ତାଲିମ୍ ଶିକ୍ଷାନୁଷ୍ଠାନର ଅଧ୍ୟୟନରତ ଛାତ୍ରୀ ଓ ବିଭିନ୍ନ ବ୍ଲକରୁ ଆସିଥିବା ଗୋଷ୍ଠୀ ସ୍ଵସ୍ଥ୍ୟାଧିକାରୀମାନଙ୍କ ଉପସ୍ଥିତିରେ ଏକ ସଚେତନତା ସଭା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରଭାତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ଦିବସ ପାଳନ ପରିପ୍ରେକ୍ଷୀରେ ସଭାପତି, ପ୍ରତ୍ୟକ୍ଷ ଭାବେ ଆଲୋଚନା ଦ୍ୱାରା ଆତ୍ମହତ୍ୟା ପ୍ରବଣତାକୁ ରୋକାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଡାକ୍ତର ବ୍ରଜ କିଶୋର ଗିରି ମାନସିକ ଅବସାଦ (ଡିପ୍ରେସନ) କଣ ଏବଂ ଏହା କିପରି ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରେ, ତା ଉପରେ ଆଲୋକପାତ କରିଥିଲେ ଏବଂ ଟୋଲ ଫ୍ରି ନମ୍ବର ୧୪୪୧୬କୁ କଲ୍ କରିବା ପାଇଁ ଅବଗତ କରାଇଥିଲେ । ପରେ ପରେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଡାକ୍ତର ସଞ୍ଜୀବ ପ୍ରଧାନ (ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ- କୁଷ୍ଠ), ଡାକ୍ତର ସତ୍ୟପ୍ରକାଶ ରାଉତରାୟ (ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ- ଭିବିଡି), ଡାକ୍ତର ପ୍ରଦୀପ କୁମାର କର (ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ), ଶ୍ରୀଯୁକ୍ତ ଗୋବର୍ଦ୍ଧନ ବିଶ୍ଵାଳ (ଏସ.ଡି.ଆଇ.ପି.ଆର.ଓ, ନୀଳଗିରି) ,ଶ୍ରୀମତୀ ମୌସୁମୀ ସାମଲ, ଶ୍ରୀମତୀ ଅନିତା କୁଣ୍ଡୁ ମଞ୍ଚରେ ଉପସ୍ଥିତ ରହି ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିବା ବେଳେ ଶେଷରେ ରୁଦ୍ରନାରାୟଣ ଦାସ (ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ସଂଯୋଜକ) ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.