ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଳକରେ ଦିନକୁ ଦିନ ଦାଦନ ଶ୍ରମିକ ଦୁଃଖ ଅଞ୍ଚଳରେ ବଢ଼ିବାରେ ଲାଗିଛି। କେତେ ବେଳେ ଦାଦନ ଶ୍ରମିକ ସାଉକାରଙ୍କ ଠାରୁ ନିର୍ଯ୍ୟାତିତ ହେଉଛି ତ କେତେବେଳେ ନିଖୋଜ ଆଉ ପୁଣି କେତେବେଳେ ଶବ ହୋଇ ଗାଁକୁ ଫେରୁଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଛତ୍ରପୁର ପଞ୍ଚାୟତ ଲେପଟାଗୁଡା ଗ୍ରାମର ଦେବରାଜ ମାଝୀ(୨୮) ନାମକ ଏକ ଶ୍ରମିକ ଦାଦନ ଖଟିବାକୁ ଟ୍ରେନରେ ଯାଉଥିବା ବେଳେ ଅଧା ରାସ୍ତାରେ ନିଖୋଜ ହୋଇଯାଇଛନ୍ତି। ଏହି ଖବର ପାଇବା ପରେ ଆଜି ଭାଇ ସତ୍ୟ ମାଝୀ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାନୁସାରେ ଲେପଟାଗୁଡା ଗ୍ରାମର ଦେବରାଜ ମାଝୀ ଗତ ୬ ତାରିଖ ଶନିବାର ଦିନ ଅପରାହ୍ନ ୨ ଟା ସମୟରେ ସେହି ଗ୍ରାମର ପୁଲୁ ମାଝୀ ସହିତ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ମୁନିଗୁଡା ଟ୍ରେନ ଷ୍ଟେସନରେ ବସିଥିଲେ। ଟ୍ରେନଟି ଭିଡ ରହିଥିବା ବେଳେ ଦୂର ବାଟ ଯିବାକୁ ଥିବାରୁ ନିଜ ନିଜ ସିଟରେ ସୋଇ ପଡ଼ିଥିଲେ। ତେବେ ଅଧା ବାଟ ଯିବା ପରେ ବିଜୟବାଡ଼ା ଷ୍ଟେସନ ନିକଟରେ ପୁଲୁ ନିଦରୁ ଉଠି ଦେଖିଲା ବେଳକୁ ଦେବରାଜ ନିଜ ସିଟ ରେ ନାହିଁ। ସେ କେଉଁ ଷ୍ଟେସନରେ ଓଲ୍ଲାଇ ପଡ଼ିଛି ଜାଣି ପାରିଲା ନାହିଁ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେ ଦେବରାଜଙ୍କୁ ପାଇନଥିଲା। ଏହା ପରେ ପୁଲୁ ୭ ତାରିଖରେ ଦେବରାଜଙ୍କ ପରିବାର ଲୋକଙ୍କୁ ଜଣାଇବା ପାଇଁ ଫୋନ କରିଥିଲା। କିନ୍ତୁ ଗାଁରେ ମୋବାଇଲ ନେଟୱର୍କ ନଥିବା ଯୋଗୁଁ ୧୦ ତାରିଖରେ ଭାଇ ନିଖୋଜ ହୋଇ ଯାଇଥିବା ଖବର ପାଇ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛି ବୋଲି ନିଖୋଜ ଦେବାରାଜଙ୍କ ଭାଇ ସତ୍ୟ ମାଝୀ ପ୍ରକାଶ କରିଛନ୍ତି।ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଭାଇକୁ ଖୋଜି ଆଣିବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଏନେଇ ଲାଞ୍ଜିଗଡ଼ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିବା ବେଳେ ଏହାର ତଦନ୍ତ କରିବୁ ବୋଲି ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲ ସୂଚନା ଦେଇଛନ୍ତି।