ଲକ୍ଷ୍ନୌ ଜୁନିଅର ଏଣ୍ଡ ୟୁଥ୍ ନେସନାଲ ପାରା ବେଡମିଣ୍ଟନ ଚାମ୍ପିଅନ-୨୦୨୫: ବ୍ରୋଞ୍ଜ ପଦକ ପାଇ ଗୌରବ ଆଣିଲେ ନର୍ଲାର ଅଜୟ କୁମାର ପ୍ରଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସଙ୍ଗୀତା ପ୍ରଧାନ ଓ ସ୍ୱର୍ଗତ କୁଞ୍ଜବିହାରୀ ପ୍ରଧାନଙ୍କ ସୁପୁତ୍ର, କଳାହାଣ୍ଡି ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟର ଛାତ୍ର ଅଜୟ କୁମାର ପ୍ରଧାନ ଲକ୍ଷ୍ନୌରେ ଅନୁଷ୍ଠିତ ସେକେଣ୍ଡ ଯୁନିଅର ଏଣ୍ଡ ୟୁଥ୍ ନେସନାଲ ପାରା ବେଡମିଣ୍ଟନ ଚାମ୍ପିଅନ- ୨୦୨୫ କ୍ରୀଡ଼ା ପ୍ରତିଯୋଗିତାରେ ଓଡିଶା ର ପ୍ରତିନିଧିତ୍ଵ କରି ଏସ ୟୁ -୫ ଡବଲ୍ସ ରେ ଖେଳି ବ୍ରୋଞ୍ଜ ପଦକ ପାଇ ନର୍ଲା, କିମ୍ବା କଳାହାଣ୍ଡି ବୋଲି ନୁହଁ ସାରା ଓଡିଶା ପାଇଁ ଗୌରବ ଆଣିଛନ୍ତି। ଗତ ମାସରେ ଶ୍ରୀ ପ୍ରଧାନ କଳାହାଣ୍ଡିରୁ ପ୍ରତିନିଧିତ୍ଵ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଲକ୍ଷ୍ନୌ ପ୍ରତିଯୋଗୀତା ପାଇଁ ତାଙ୍କୁ କମିଟି ଚୟନ କରିଥିଲା। ନର୍ଲା ବିଡିଓ ବିପିନ ବିହାରୀ ଦୀପ ଓ ନର୍ଲା ବେଡମିଣ୍ଟନ ଆସୋସିଏସନ୍ ର ସଭାପତି ସୁବୋଧ (ଟିଟୁ) ମିଶ୍ର ବାହାର ରାଜ୍ୟକୁ ଖେଳି ଯିବା କ୍ଷେତ୍ରରେ ଶ୍ରୀ ପ୍ରଧାନ ଙ୍କୁ ବହୁତ ସାହାଯ୍ୟ କରିଥିଲେ। ଗତ ୮ ତାରିଖରୁ ଲକ୍ଷ୍ନୌ ରେ ଏକକ ଖେଳାଳି ଓ ଡବଲ ଖେଳାଳିଙ୍କ ପାରା ବେଡମିଣ୍ଟନ ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି। ଓଡ଼ିଶା ମୁଖ୍ୟ କୋଚ୍ ଶିବ ପ୍ରସାଦ ଦାସ ଙ୍କ ତତ୍ତ୍ୱାବଧାନରେ ୯ ଜଣ ଖେଳାଳି ଲକ୍ଷ୍ନୌ ପାରା ବେଡ ମିଣ୍ଟନ ପ୍ରତିଯୋଗିତାକୁ ଯାଇଥିବା ସୂଚନା ମିଲିଛି। ପ୍ୟାଲା ଗଣେଶଙ୍କ ସହ ଯୋଡ଼ି ପ୍ରତିଯୋଗିତାରେ ଖେଳି ଶ୍ରୀ ପ୍ରଧାନ କ୍ୱାର୍ଟର ଫାଇନାଲ ରେ କେରଳ ର ଯୋଡ଼ିଙ୍କୁ ପରାସ୍ତ କରି ସେମି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ। ସେମି ଫାଇନାଲ ରେ ଦିଲ୍ଲୀ ସହ ପରାଜିତ ହୋଇ ବ୍ରୋଞ୍ଜ ପଦକ ପାଇଥିବା ଜଣାପଡ଼ିଛି। ବେଡ ମିଣ୍ଟନ ଖେଳାଳି ଶ୍ରୀ ପାଧନ ତାଙ୍କ ମାମୁଁ ଯତୀନ ସାହୁଙ୍କ ଘର ସର୍ଗିଗୁଡା ରେ ରହି ନବୋଦୟ ବିଦ୍ୟାଳୟରେ ପାଠ ପଢୁଥିଲେ। ସେ ନବୋଦୟ ବିଦ୍ୟାଳୟ ନର୍ଲାରେ ଷଷ୍ଠ ଶ୍ରେଣୀ ପଢ଼ିବା ସମୟରୁ ବେଡମିଣ୍ଟନ ଖେଳି ଜିଲ୍ଲା ସ୍ତରରେ ମଧ୍ୟ ଅନେକ ପୁରସ୍କାର ପାଇଛନ୍ତି। ତାଙ୍କର ଏହି ଗୌରବମୟ ସଫଳତାରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ନର୍ଲା ସମିତି ସଭ୍ୟ ସଂଘ ସଭାପତି ଜୟ ମେହେର, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆ, ନର୍ଲା ସରପଞ୍ଚ ତନୁଜା ହରପାଲ ପ୍ରମୁଖ ଶ୍ରୀ ପ୍ରଧାନ ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.