ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ପ୍ରସିଦ୍ଧ ବେତାଳୀ ଭୈରବ ପାଟଖଣ୍ଡାଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ସମେତ ପଡ଼ୋଶୀ ରାୟଗଡା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇ ବେତାଳୀ ଭୈରବ, ପାଟଖଣ୍ଡାଙ୍କ ଆଶୀର୍ବାଦ ନେଇଥିଲେ।
ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କ ସମେତ ହରିଶଙ୍କର ପାତ୍ର, ବଟକୃଷ୍ଣ ପୁଷ୍ଟି, ଜଗଦୀଶ ବେନିଆ, ମନୋହର ହରପାଲ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, କିଶୋର ହରପାଲ, ଅଜିତ ପ୍ରଧାନୀ, ହରିହର କୁମାର, ବିରଞ୍ଚି ପ୍ରଧାନୀ, ସୂରଜ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ଆଶୀର୍ବାଦ ନେଇଥିଲେ।
ବିଶ୍ୱନାଥପୁର ଗୌନ୍ତିଆ ପ୍ରଦୀପ କୁମାର ଘଡେଇଙ୍କ ଆବାହକତ୍ୱରେ ଆୟୋଜିତ ଝାମୁଯାତ୍ରାରେ ବେତାଳୀ ଭୈରବଙ୍କ ମୁଖ୍ୟପୂଜକ ନଳୀନ ପ୍ରଧାନୀ, ପାଟଖଣ୍ଡାଙ୍କ ପୂଜକ ରବି ପୁଝାରୀଙ୍କ ଦେହରେ କାଳେସୀ ଲାଗି ମୁଖ୍ୟ ମନ୍ଦିରରୁ ବାହାରି ବାଲିଘରକୁ ଆସିଥିଲେ।
ଅଧାରାସ୍ତାରୁ ଗୌନ୍ତିଆ, ପୂଜକ ଗ୍ରାମବାସୀ ଓ ଅତିଥିମାନେ ସେମାନଙ୍କୁ ସ୍ୱାଗତ ଜଣାଇ ବାଲିଘରକୁ ପାଛୋଟି ନେଇଥିଲେ। ସେଠାରେ ପହଞ୍ଚିବା ପୂର୍ବରୁ ପ୍ରଥମେ ପାଦପୂଜା ଓ ଝାମୁ ପରିକ୍ରମା ପରେ ପରେ ବେତାଳୀ ଭୈରବ ଓ ପାଟଖଣ୍ଡା ଦେବଙ୍କ କାଳେସୀ ଡହଡହ ତତଲା ରଡ଼ ନିଆଁରେ ଚାଲି ନିଜର ଅମାପ ଶକ୍ତିର ନିଦର୍ଶନ ଦେଇଥିଲେ।
ବାହୁକ ଫାଲଗୁନୀ ପ୍ରଧାନୀ,ପାଟ ଘୁମରିଆ ଉଦେ ପ୍ରଧାନୀ, ଚିନ୍ତାମଣି ଦଣ୍ଡସେନାଙ୍କ ସହିତ ଅନ୍ୟମାନେ ପରିଚାଳନା କରିଥିଲେ। ଘୁମୁରା ଓ ଡମ ବାଜାର ତାଳେ ତାଳେ ଅଞ୍ଚଳ ଘୁମୁରି ଉଠୁଥିବାବେଳେ ମାନସିକ କଲା ଲୋକେ ଛେଳି, ପୋଢ଼, କୁକୁଡ଼ା, ପାରା ଆଦି ବଳି ଦେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଶ୍ୱନାଥପୁର ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସୂଚନାଯୋଗ୍ୟ, ଭାଦ୍ରବ ଦଶମୀ ନୂଆଖାଇ ପରେ ଦ୍ୱାଦଶୀ ତିଥିରେ ନଦୀରୁ ବାଲି କାଢ଼ି ବିଭିନ୍ନ ଶସ୍ୟ ଗଜା କରିବା ପରେ ଝାମୁଯାତ୍ରା ଦିନକ ପୂର୍ବରୁ ପୂଜାର୍ଚ୍ଚନା ଓ ଝାମେରା କଣ୍ଟା ଦୋଳିରେ ବସି ଲୋକଙ୍କ ଗୁହାରି ଶୁଣିଥିଲେ ବେତାଳୀ ଭୈରବ ଓ ପାଟଖଣ୍ଡା। ଶହଶହ ବର୍ଷ ଧରି ଲୋକବିଶ୍ୱାସ ଓ ପରମ୍ପରା କ୍ରମେ ଏହି ଝାମୁଯାତ୍ରା ପାଳିତ ହୋଇ ଆସୁଥିବାବେଳେ ଅଞ୍ଚଳବାସୀ ଏହି ଦିନକୁ ଚାତକ ପରି ଚାହିଁ ବସିଥାନ୍ତି। ସେହିପରି ଆଜି ବ୍ଲକର ବନ୍ଧପାରୀ ଓ ଜଗନ୍ନାଥପୁର ପଞ୍ଚାୟତ କଦମ୍ବଗୁଡାରେ ମଧ୍ୟ ଭୈରବ ଦେବଙ୍କ ଝାମୁଯାତ୍ରା ପାଳିତ ହୋଇଯାଇଛି।




