ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ‘ପିତୃ ପକ୍ଷ’ କୁହାଯାଏ। ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ। ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ‘ପିତୃ ପର୍ବ’ ମଧ୍ୟ କୁହାଯାଏ।ଏହି ସମୟରେ ଦେବତା ଓ ଋଷି ମାନଙ୍କୁ ତର୍ପଣ ଓ ପିତୃ ପୁରୁଷଙ୍କୁ ଜଳ ଦେବା ଉଚିତ।
ବର୍ଷର ଯେକୌଣସି ତିଥିରେ ମୃତ୍ୟୁ ହୋଇଥିଲେ ମଧ୍ୟ ଏହି ତିଥିରେ ସେହ ମୃତ ବ୍ୟକ୍ତିର ଶ୍ରାଦ୍ଧ କରିବା ପରମ୍ପରା ରହିଆସିଛି। ଯିଏ ପ୍ରତିଦିନ ତର୍ପଣ କରିପାରନ୍ତି ନାହିଁ ସେ ଏହି ପକ୍ଷର ଅମାବାସ୍ୟାରେ ଅବସ୍ୟ ତର୍ପଣ ଓ ଜଳଦାନ କରିବା ଉଚିତ। କୁହାଯାଏକି ପିତୃଗଣ ଏହି ଦିନ ଆପଣାର ପୁତ୍ର, ପୌତ୍ରଙ୍କ ଦ୍ବାରଦେଶରେ ଆପଣାର ତୃପ୍ତି ଆଶାନେଇ ଆସିଥାନ୍ତି। ଯେଉଁ ଲୋକ ଶ୍ରାଦ୍ଧ କରିଥାନ୍ତି ପିତୃଗଣ ସନ୍ତୁଷ୍ଟ ହୋଇ ଆଶିର୍ବାଦ ପ୍ରଦାନ କରିଥାନ୍ତି। ଯେଉଁମାନେ ଶ୍ରାଦ୍ଧ କରନ୍ତିନାହିଁ ତାଙ୍କର ପିତୃଗଣ ନିରାଶ ହୋଇ ଫେରି ଯାଆନ୍ତି।
ପୌରାଣିକ ଆଖ୍ୟାନ ଅନୁସାରେ ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା। ହେଲେ, ଖାଦ୍ୟ ଦିଆଯାଇ ନ ଥିଲା। କାରଣ, ଜୀବିତାବସ୍ଥାରେ ସେ କେବେ ଅନ୍ନଦାନ କରି ନ ଥିଲେ। ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା। ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃ ପକ୍ଷ।
ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ। ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରାଦ୍ଧ କୁହାଯାଏ। ସନାତନ ଧର୍ମଧାରାରେ ପିତୃ ପକ୍ଷର ଯଥେଷ୍ଟ ଗୁରୁତ୍ଵ ରହିଛି, ତେଣୁ ଗୃହସ୍ଥିମାନେ ଏହାକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି।





