ନର୍ଲାରେ ବଳ ଗୋଟାଉଛି କଂଗ୍ରେସ

ମଙ୍ଗ ଧରିଛନ୍ତି ଯୁବଗୋଷ୍ଠୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଗତ ୧୫ ବର୍ଷ ହେଲା କଂଗ୍ରେସ ସଂଗଠନ ଭୁଷୁଡି ପଡ଼ିଥିଲା। ଭୁପିନ୍ଦର ସିଂ କଂଗ୍ରେସ ଦଳ ତରଫରୁ ଲଢ଼ି ନର୍ଲାର ବିଧାୟକ ହେବା ସହ ବିରୋଧି ଦଳର ଆସନ ଅଳଙ୍କୃତ କରିଥିଲେ। ସେ ବିରୋଧି ଦଳ ନେତା ରହି କଂଗ୍ରେସକୁ ପଦାଘାତ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ହାତ ମିଳାଇ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭାକୁ ଗଲେ। ବିଜେଡ଼ି ଟିକେଟରୁ ପୁଣି ନର୍ଲା ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହେଲେ। କଂଗ୍ରେସର ଗଡ କୁହାଯାଉଥିବା ନର୍ଲାରେ ସେତେବେଳ ଠୁଁ ଭୁଷୁଡି ପଡିଥିଲା କଂଗ୍ରେସ ସଙ୍ଗଠନ। ନର୍ଲାରେ ବିଜେଡ଼ି ଓ ବିଜେପି ମଧ୍ୟରେ ଗତ ୧୫ ବର୍ଷ ହେଲା ପ୍ରତିଦ୍ବନ୍ଦିତା ହୋଇ ଆସୁଛି। ନର୍ଲାରେ କଂଗ୍ରେସ କେବଳ ଜୀବିତ ଥିଲା। ହେଲେ ଉଧେଇ ପାରୁ ନ ଥିଲା। ଏବେ ନର୍ଲାରେ ବଳ ଗୋଟାଉଛି କଂଗ୍ରେସ। କଂଗ୍ରେସ ନର୍ଲା ତଥା ସାରା କଳାହାଣ୍ଡିରେ ସଂଗଠିତ ହୋଇ ସାଂଗଠାନିକ କାୟା ବିସ୍ତାର କରିବାରେ ଲାଗିଛି। ଯୁବ ନେତୃତ୍ବ ମାନଙ୍କୁ ଦଳୀୟ ଦାୟୀତ୍ୱ ଅର୍ପଣ କରି ସାଂଗଠାନିକ ସ୍ଥିତି ମଜବୁତ କରିବାରେ ଲାଗିଛି ଦଳ। ବିଗତ ଦିନରେ ନର୍ଲାରେ ସଫଳ ରହିଥିବା କଂଗ୍ରେସ ତାର ସୁପ୍ତ ଓ ପୁରୁଣା କର୍ମୀ ମାନଙ୍କୁ ଜାଗୃତ କରୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ପିସିସି ସଭାପତି ହେବା ଏବଂ ତାଙ୍କ ପୁଅ ସାଗର ଚରଣ ଦାସ ସଦର ବିଧାୟକ ହେବାପରେ ନର୍ଲାରେ କଂଗ୍ରେସ ସଂଗଠନ ଧିରେ ଧିରେ ମଜବୁତ ସ୍ଥିତିକୁ ଫେରୁଥିବା ଆଲୋଚନା ହେଉଛି। ଭକ୍ତ ଦାସ ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ପରେ ନାରୀ ସୁରକ୍ଷାକୁ ନେଇ ରାଜ୍ୟର ବିଜେପି ସରକାରଙ୍କୁ ଘେରିବାରେ ଲାଗି ପଡିଛନ୍ତି। ବିଜେପି ସରକାରଙ୍କ ଅପାରଗତାକୁ ନେଇ ଓଡିଶା ବନ୍ଦ, ବିଡ଼ିଓଙ୍କ ଜରିଆରେ ନାରୀ ସୁରକ୍ଷା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ମହାମହିମ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ ଭଳି କାର୍ଯ୍ୟକ୍ରମ ଗତ ୭ ଅଗଷ୍ଟରେ ଯୁବ କଂଗ୍ରେସ ଓ ଛାତ୍ର କଂଗେସ ନେତୃତ୍ବରେ ନର୍ଲାରେ ଆୟୋଜନ କରିଥିଲା କଂଗ୍ରେସ। ଏଥିରେ ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକ, ନର୍ଲା କଂଗେସର ଯୁବ ନେତୃତ୍ୱ ନୀରଜ (ସାନୁ) ଶର୍ମା, ନୂତନ ଭାବରେ ନିର୍ବାଚିତ ନର୍ଲା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର, ନିଶାଣପୁର ସରପଞ୍ଚ ମନୋଜ କରୁଆଁ ପ୍ରମୁଖଙ୍କୁ ନର୍ଲାର ତିନିଗୋଟି ଜୋନର ଦାୟୀତ୍ୱ ନେଇ ଯୁବ ପୀଢ଼ିଙ୍କ ସହଯୋଗରେ  କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିଥିଲେ। ସେହିଭଳି ସେପ୍ଟେମ୍ବର ୧ ରୁ କଳାହାଣ୍ଡି ପର୍ଯ୍ୟବେକ୍ଷକ ଦାୟୀତ୍ୱରେ ରହି ଜିଳ୍ଲାର କଂଗେସ କର୍ମୀଙ୍କୁ ନେଇ ତୃଣମୂଳ ସ୍ତରରୁ ସାଂଗଠାନିକ ସ୍ଥିତିକୁ ପରଖୁଥିବା ଓ ସଙ୍ଗଠନର ନେତୃତ୍ଵ ଚୟନ କରୁଥିବା କେନ୍ଦ୍ର ପର୍ଯ୍ୟବେକ୍ଷକ ସେଖ ମୁସ୍ତାନ ଅଲ୍ଲୀ ଓ ରାଜ୍ୟ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଅଭିମନ୍ୟୁ ବେହେରାଙ୍କୁ ନେଇ ସାରା ଜିଲ୍ଲାରେ ନେତୃତ୍ଵ ଚୟନ ପାଇଁ କର୍ମୀ ସମ୍ମିଳନୀରେ ସହଯୋଗ କରିଥିଲେ ଏହି ଯୁବ ନେତୃତ୍ବଗଣ। ଏଣୁ ସୁପ୍ତ କଂଗ୍ରେସ ଦଳପାଇଁ ନେତୃତ୍ୱ ପରିବର୍ତ୍ତନ କ୍ଷେତ୍ରରେ ଏକ ଚାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସର ମଙ୍ଗ ସମ୍ଭାଳି, କଂଗ୍ରେସ ଦଳକୁ ମଜବୁତ ସ୍ଥିତିକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଯୁବ ନେତୃତ୍ବ। ଏଣୁ ଉପରୋକ୍ତ ଯୁବ ନେତୃତ୍ଵ ମାନଙ୍କୁ ମଙ୍ଗୁଆଳ କଲେ ଦଳ ଆଗାମୀ ଦିନରେ ଏହାର ପୂର୍ବସ୍ଥିତିକୁ ଫେରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.