ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଆଉ ମାତ୍ର ୨ଦିନ ପରେ ମା’ଙ୍କ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯିବ । ଏ ନେଇ ଚଳଚଞ୍ଚଳ ରହିଛି ସହର ଠାରୁ ଗ୍ରାମାଞ୍ଚଳ | ମା’ଙ୍କ ଆଗମନର ବାର୍ତ୍ତା ନେଇ ଆସିଛି କାଶତଣ୍ଡୀ । ପ୍ରକୃତି ମଧ୍ଯ କାଶତଣ୍ଡୀରେ ସଜେଇ ହୋଇ ଧରାପୃଷ୍ଠରେ ସୌନ୍ଦର୍ଯ୍ୟ ଭରି ଦେଇଛି । ନଦୀପଠା, ବିଲବାଡି, ପଡିଆ ତଥା ରାସ୍ତାକଡରେ ଗୋଛା ଗୋଛା ଧବଳ ମୁଖୀ କାଶତଣ୍ଡୀ ପବନରେ ଲହରା ଭାଙ୍ଗୁଛି । ପ୍ରବଳ ଖରାର ଝାଂଜି ଏବଂ ଲଗାଣ ମୁଷଳ ଧାରା ବର୍ଷାର ଅବସାନ ପରେ ଏବେ କାଶ ତଣ୍ଡି ହସି ଉଠିଛି । ତାର ଏହି ସ୍ମିତହାସ୍ୟ, ଦେଖି କବି ଓ ଭାବୁକ ଆତ୍ମ ବିଭୋର ହୋଇ ଲେଖି ଚାଲିଛନ୍ତି ମନର ଭାବନାର କଥା | ଖାଲି ସେତିକି ନୁହଁ
ଜନମାନସରେ ଭିନ୍ନ ଏକ ପୁଲକ ସୃଷ୍ଟି କରିବା ସହ ନୂତନ ବିଶ୍ଵାସ ସୃଷ୍ଟି କରିଛି । ଭବିଷ୍ୟତର ନୂତନ କାର୍ଯ୍ୟ ସୂଚୀକୁ ନେଇ ଖୁବଶ୍ରୀଘ ଆଗୁଆ ହୋଇ ଝିରି ଝିରି ସୁକ୍ଷ୍ମ କେଶୀ କାଶତଣ୍ଡୀ ପୃଥିବୀ ପୃଷ୍ଠରେ ପଦାର୍ପଣ କରିଛି । ସତେଯେମିତି ଧରା ପୃଷ୍ଟରେ ସମସ୍ତଙ୍କୁ ସ୍ଵାଗତ କରିବା ନିମନ୍ତେ ନିଜକୁ ଧଳା ଚଦରରେ ସଜେଇ ଦେଇଛି | ଗାଁ ଗହଳିର ସାମାଜିକ ଜୀବନରେ କାଶତଣ୍ଡୀର ମହତ୍ତ୍ଵ ସବୁଠାରୁ ଅଲଗା ଆଉ ଅନନ୍ୟ । ଶୁଭ୍ର ସ୍ଵଚ୍ଛତାର ବାର୍ତ୍ତା ବହନ କରୁଥିବା ଏଇ କାଶତଣ୍ଡୀକୁ ନା କିଏ ରୋପଣ କରେ ନା କିଏ ତାର ଯନ୍ ନେଇଥାଏ । ଆପଣାଛାଏଁ ଶାରଦୀୟ ଅଭିନନ୍ଦନର ପୁଷ୍ପଗୁଚ୍ଛା ଧରି ଶରତ ଋତୁର ପ୍ରାରମ୍ଭରେ ଦେଖାଦେଇ ପୁଣି କୁଆଡେ ଉଭେଇଯାଏ । । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଗୁଆ ପଦାର୍ପଣ କରିଥିବା କାଶତଣ୍ଡୀ ମା’ଙ୍କ ଆଗମନର ବାର୍ତ୍ତା ଦେବା ସହିତ ସମଗ୍ର ପରିବେଶକୁ ବିମଳ ନିର୍ମଳ କରିବାରେ ଲାଗି ପଡିଛି ତାର ଅର୍ନୀବଚ ନୀୟ ଆନନ୍ଦ ସହ ଓ ସୁକ୍ଷ୍ମ ସ୍ୱର୍ଶ ମାନବ ସମାଜର୍ ପ୍ରେମର ବାର୍ତ୍ତାକୁ ନେଇ । ଜଞ୍ଜାଳମୟ ଜୀବନକୁ ଉପଭୋଗ କରିବା ଆଧ୍ୟାତ୍ମିକତାରେ କିଛିସମୟ ହଜିଯିବାର ବାର୍ତ୍ତା ନେଇ କାଶତଣ୍ଡୀ ଆଜି ପ୍ରଚୁର ଭାବେ ଫୁଟି ଉଠିଛି | ସମାଜରେ ନୁଆ ବିଶ୍ୱାସ ନୂଆ ଆଶା ସଞ୍ଚାର କରୁଛି । ଦୁଃଖ ଯାଇ ସୁଖ ଆସିବ, ଅନ୍ଧାର ହଟିଯାଇ ଆଲୋକର ପ୍ରଭା ପ୍ରକାଶିତ ହେବ । ଏହି ଦୃଢ ପ୍ରତିଶୃତିର ଇସ୍ତାହାର ନେଇ କାଶତଣ୍ଡୀ ପଦାର୍ପଣ କରିଛି । ସିଂହବାହିନୀ ମା’ ଦୁର୍ଗା ବିଜୟ ଦଶମୀରେ ବିଜୟ ମଣ୍ଡିତ ହୋଇ ସମସ୍ତଙ୍କୁ ଦର୍ଶନ ଦେବେ । ଏହି ଆନନ୍ଦପ୍ରଦ ଶୁଭ ମୁହୁର୍ଭରେ ଅପେକ୍ଷାରେ ଜନସମାଜ ରହିଛି । ଯେଉଁ ଆଡେ ଦେଖୁଲେ କେଣ୍ଡା କେଣ୍ଡା ହୋଇ ଝୁଲୁଥିବା କାଶ ଶତଣ୍ଡୀର ଶୁଭ୍ର, ସ୍ଵଚ୍ଛ ରୂପ ଏକ ଉତ୍ସବମୟ ପରିବେଶ ସୃଷ୍ଟି କରୁଛି । ଏହାହିଁ ହାସ୍ୟମୟୀ ଲାସ୍ୟମୟୀ ପ୍ରକୃତିର ଜନସମାଜକୁ ଅବଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।





