ଲାଞ୍ଜିଗଡ ଏସବିଆଇ ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ: ପୋଲିସର ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ ଥିବା ବେଦାନ୍ତ କମ୍ପାନୀର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ ଫେଲ ମାରିଛି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ। ସୂଚନାନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ପରିସରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଏଟିଏମରେ କୌଣସି ଚୋର ପ୍ରଥମେ ସଟର ଭାଙ୍ଗି ସେଥିରେ ସଫଳ ନହେବାରୁ ଉପରେ ଥିବା କାଚ କବାଟ ଭାଙ୍ଗି ଭିତରେ ପଶିବା ସହିତ ଏଟିଏମ୍ ତାଡ଼ି ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବେଦାନ୍ତ କାରଖାନାକୁ ଲାଗି ରହିଥିବା ଏହି ବ୍ୟାଙ୍କ ଶାଖା ଓ ଏଟିଏମ୍ ନିକଟରେ ଦିନରାତି ଭିଡ଼ ଓ କମ୍ପାନୀର କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। କିନ୍ତୁ ଏହାସତ୍ୱେ ଜଣେ ଚୋର ଦେହରେ ରେନକୋର୍ଟ ଓ ମୁହଁରେ ମାସ୍କ ପିନ୍ଧି ଏଟିଏମ୍ ଭିତରକୁ ପଶି ଚୋରି ଉଦ୍ୟମ କରିବା ସିସିଟିଭିରେ କଏଦ ହୋଇଛି। ଏ ସମ୍ପର୍କରେ ଖବର ପାଇ ବଡ଼ିଭୋରରୁ ଖବର ପାଇ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ସନ୍ଦୀପ ମାଝୀ, ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ କୁମାର ହିଆଲଙ୍କ ନେତୃତ୍ୱରେ ପୁଲିସ ଦଳ ପହଞ୍ଚି ସିସିଟିଭି ଯାଞ୍ଚ ସହିତ ତଦନ୍ତ ଆରମ୍ଭ ବେଳେ ଲାଞ୍ଜିଗଡ଼ ଶାଖା ପରିଚାଳକ ସତୀଶ ମହାକୁଡ଼ ଏବଂ ବ୍ୟାଙ୍କର ସମସ୍ତ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବ୍ୟାଙ୍କ ଶାଖା ପକ୍ଷରୁ ଏଟିଏମ୍ ରେ କୌଣସି ନିଜସ୍ୱ ସୁରକ୍ଷା କର୍ମଚାରୀ ନଥିବାବେଳେ ବେଦାନ୍ତ କମ୍ପାନୀର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ଏଟିଏମ୍ ରେ ଚୋରି ଉଦ୍ୟମ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏପରିକି କମ୍ପାନୀ ମୁଖ୍ୟ ଫାଟକକୁ ଲାଗି ରହିଥିବା ଏହି ଏଟିଏମ୍ ରେ ଚୋରି ଉଦ୍ୟମ କମ୍ପାନୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭବାନୀପାଟଣା ଏଚଆର ମ୍ୟାନେଜର ରଶ୍ମି ରଞ୍ଜନ ଦାସ, ଚାନେଲ ମ୍ୟାନେଜର ଅଜୟ କୁମାର ସାହୁ ଏବଂ ଲାଞ୍ଜିଗଡ ଶାଖା ପରିଚାଳକ ସତୀଶ ମହାକୁଡ଼ ପ୍ରମୁଖ ଲାଞ୍ଜିଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ କମ୍ପାନୀ ଗେଟରେ ଥିବା ସିସିଟିଭି ଯାଞ୍ଚ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଜଣକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ କରୁଛୁ ବୋଲି କେସିଙ୍ଗା ଏସଡିପିଓ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରି ଫିଙ୍ଗର ପ୍ରିଣ୍ଟ ଯାଞ୍ଚ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.