ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ବରୀଙ୍କ ପ୍ରସିଦ୍ଧ ଖଣ୍ଡାବସା ପର୍ବ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡିର ପୂରାତନ ରାଜଧାନୀ ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ପ୍ରତିବର୍ଷ ଅଶ୍ୱିନ ମାସ ମୂଳାଷ୍ଟମୀ ରାତ୍ରିରେ ପାଳନ କରାଯାଏ। ମନ୍ଦିର ଭିତରେ ପୂର୍ବ ପରମ୍ପରା ଅନୁକ୍ରମେ ଦେବୀଙ୍କର ପ୍ରତିମା ସମ୍ମୁଖରେ ପାଟଖଣ୍ଡାକୁ ଅକ୍ଷତ ଚାଉଳ ପୁଞ୍ଜିରେ ବସାଯାଏ (ସ୍ଥାପନ କରାଯାଏ)। ତେଣୁ ଏହି ପର୍ବର ନାମ ଖଣ୍ଡାବସା।

କଳାହାଣ୍ଡି ମହାରାଜା ଏହାର ମୁଖ୍ୟ ପୁରୋଧା। ମହାରାଜା ଖଣ୍ଡାବସ୍ଥା ଦିନ ଉପବାସ ରହି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ନିଜ ଗଡ଼ ଓ ପ୍ରଜାଙ୍କ ମଙ୍ଗଳ ନିମିତ୍ତ ମା’ଙ୍କ ପାଦପଦ୍ମରେ ସେ ଶରଣାଗତ ହୋଇଥାନ୍ତି। ଦେବୀଙ୍କ ମନ୍ଦିରରୁ ପୁଝାରୀ ପାଟଖଣ୍ଡା ଓ ସଙ୍କୁଆରୀ ଅନ୍ୟ ଏକ ଖଣ୍ଡାଧରି ଡାକବଙ୍ଗଳାକୁ ଯାଇଥାଆନ୍ତି। ସେଠାରୁ ମହାରାଜଙ୍କୁ ଘୁମୁରା, ଢୋଲ, ନିଶାନ, ମହୁରୀ ଓ ବିଭିନ୍ନ ଲୋକନୃତ୍ୟ ମାଧ୍ୟମରେ ପାଛୋଟି ଅଣାଯାଏ।

ଡାକବଙ୍ଗଳା ପ୍ରାଙ୍ଗଣରେ ଖଣ୍ଡା ଦ୍ଵୟକୁ ମାର୍ଜନ କରାଯାଏ ଓ ପୂଜା କରାଯାଏ। ପାଟଖଣ୍ଡାକୁ ମନ୍ଦାରଫୁଲରେ ସଜ୍ଜିତ କରାଯାଏ। ବାହୁକ ନୂତନ ବସ୍ତ୍ର ପରିଧାନ କରି ଦେବୀଙ୍କ ପାଟଖଣ୍ଡାର ସମ୍ମୁଖ ଭାବରେ ଥାଇ ମୁଖରେ ହାତ ଧରି ଭୟଙ୍କର ଶବ୍ଦରେ ପାଟଖଣ୍ଡାରେ ଧାରେ ଧାରେ

ବାଟ କଢାଇ ନିଅନ୍ତି। ଏହି ଶୋଭାଯାତ୍ରା ଅତ୍ୟନ୍ତ ଚିତାକର୍ଷକ। ମାନସିକଧାରୀଙ୍କ ବୋକାବଳି ଦିଆଯାଏ। ପରେ ଦେବୀଙ୍କ ଆଳତୀ ଦର୍ଶନ କାର୍ଯ୍ୟ ସଂପନ୍ନ କରାଯାଏ। ଚାରିଦିଗ ଦେବତା ଓ ଭୈରବ ଦେବତାଙ୍କ ପୂଜା କରାଯାଏ। ଏହାପରେ ବୁଢାରଜା ଦେବତାଙ୍କ ପୂଜା କରାଯାଏ। ଖଣ୍ଡାବସା ଅବସରରେ ସମସ୍ତ ପାର୍ଶ୍ଵ ଦେବାଦେବୀଙ୍କ ମଧ୍ୟ ପୂଜା ଆରାଧନା ହୁଏ।

ପାଟଖଣ୍ଡା ମନ୍ଦିର ଦ୍ୱାରଦେଶରେ ଉପନୀତ ହେଲେ, ପୂଜକ ପୂଜାର୍ଚ୍ଚନା କରି ଖଣ୍ଡା ଓ ମହାରାଜାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି ମନ୍ଦିର ଭିତରକୁ ପାଛୋଟି ନେଇଥାନ୍ତି। ମହାରାଜା ମନ୍ଦିର ଭିତରେ ପ୍ରବେଶ କରନ୍ତି। ପୂଜା ନିମିତ୍ତ ଷୋଡ଼ସ କଳସ ସ୍ଥାପନ କରାଯାଇଥାଏ ଓ ପଣ୍ଡିତ ମାନଙ୍କୁ ବରଣ କରାଯାଇଥାଏ। ଦେବୀଙ୍କ ଖଣ୍ଡା ଦ୍ୱୟକୁ ଦକ୍ଷିଣ ଓ ବାମ ପାର୍ଶ୍ଵରେ ସଜ୍ଜିତ କରାଯାଇଥୁବା ଚାଉଳର ପୁଞ୍ଜିରେ ଶୁଭ ଲଗ୍ନରେ ବସାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଯାଏ।

ପୁଝାରୀ ପାଟ ଗଡ଼ରା ପଶୁ ଓ ମହାପଶୁ (ପୋଢ)ଙ୍କୁ ମନ୍ତ୍ର ଉଚ୍ଚାରଣ ପୂର୍ବକ ପ୍ରୋକ୍ଷଣ କରିଥାନ୍ତି ଓ ଏହାକୁ ବଳି ଦିଆଯାଏ। ଖଣ୍ଡାବସା ରାତି ତମାମ କୁନାଗଡ଼ ସହରରେ ଚାଲେ ସାଂସ୍କୃତିକ କାର୍ଯ୍ୟକ୍ରମ। ମୁଖ୍ୟତଃ ଦେବୀଙ୍କର ପ୍ରିୟବାଦ୍ୟ ଘୁମୁରା ପ୍ରତିଯୋଗୀତାରେ କମ୍ପି ଉଠେ ସହର। ତତ୍ ସଙ୍ଗେ ସଙ୍ଗେ ସୁଆଙ୍ଗ, ଗୀତିନାଟ୍ୟ, କୀର୍ତ୍ତନ ପ୍ରଦର୍ଶନର ସୁବ୍ୟବସ୍ଥା ରହିଥାଏ।

ଅଗଣିତ ଦର୍ଶକ ଯାତ୍ରା ଉପଭୋଗ କରିବା ସଙ୍ଗେ ସଙ୍ଗେ ଦେବୀଙ୍କ ଆଶୀର୍ବାଦ କାମନା କରିଥାନ୍ତି। ଏହି ପର୍ବ ପାଇଁ ପୂଜକ, ପୂଝାରୀ, ସୁଆର, ବୋଉନ୍, ଫୁଲବାଲା, ବାଜାବାଲା, ଘଣ୍ଟୁଆ ଓ ଶଙ୍ଖୁଆ ବଂଶାନୁକ୍ରମେ ସେବାକରି ଆସୁଛନ୍ତି। ମା ଲଙ୍କେଶ୍ବରୀଙ୍କ ଏହି ପର୍ବ ମୂଳାଷ୍ଟମୀରୁ ଆରମ୍ଭ ହୋଇ ମହାଷ୍ଟମୀ ରୀତିନୀତି ଅନୁସାରେ ଚାଲୁରହେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.