ନବରାତ୍ରୀ ଦୁର୍ଗାପୂଜା ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ, ରୁପ୍ରାରୋଡ, ବାଲିପଡା ଓ ନର୍ଲାର ନବରାତ୍ରୀ ଦୁର୍ଗାପୂଜା ସବୁର କଳସ ଯାତ୍ରା ମହାଳୟା ଅମାବାସ୍ୟା ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ରୁପ୍ରାରୋଡ ଦୁର୍ଗାପୂଜା ପାଇଁ ସ୍ଥାନୀୟ ସାନ୍ଦୁଲ ନଦୀ, ନର୍ଲା ଦୁର୍ଗାପୂଜା ପାଇଁ ସ୍ଥାନୀୟ ପୁଷ୍କରିଣୀ ଓ ନର୍ଲାରୋଡ ନବରାତ୍ରୀ ଦୁର୍ଗାପୂଜା ପାଇଁ ଡିଗିରା ପଡା ସାନ୍ଦୁଲ ଘାଟରୁ ଜଳ ନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ନର୍ଲାରୋଡ ନବରାତ୍ରୀ ଦୁର୍ଗାପୂଜା ପାଇଁ ପୂଜା ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନ ଓ ସମ୍ପାଦକ ବିମଲ କୁମାର କେଡିଆଙ୍କ ନେତୃତ୍ୱରେ କମିଟିର ବରିଷ୍ଠ ସଦସ୍ୟ ଅମର ରାଉତ, ବାବୁଲା ରାଉତ, ବିନାୟକ ମହନ୍ତ, ବରିଷ୍ଠ ମାର୍ଗଦର୍ଶକ ଜହରଲାଲ ବିଶ୍ୱାଳ, ରାଜୀନ ସାହୁ, ମନୋଜ ଅଗ୍ରୱାଲ, ଜୟଦେବ ପୋଢ଼, କୃଷ୍ଣ ପୋଢ଼, ଦୀପକ ଜେଠୁଆ, ବନମାଳୀ ଗୌଡ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ଡିଗିରାପଡା ପଟ ସାନ୍ଦୁଲ ନଦୀ ପଠାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ଆସିଥିବା ବ୍ରହ୍ମା ପଣ୍ଡିତ କୃପାସିନ୍ଧୁ ରଥ ଓ ତାଙ୍କ ସହଯୋଗୀ ପୂଜକ ଦଳ ପୂଜା ପାଠ ଓ ରୀତି, ନୀତି ସମାପନ ପରେ ୫୦ ରୁ ଉର୍ଦ୍ଧ୍ୱ ମହିଳା ଭକ୍ତ କଳସରେ ଜଳ ଭରି କଳସ ଶୋଭାଯାତ୍ରା କରିଥିଲେ । ପୁଜା କର୍ତ୍ତା ଦମ୍ପତି ମଞ୍ଜୁଲତା ଜୈନ ଓ କମରଲାଲ ଜୈନ ବର୍ଦ୍ଧନୀ କଳସ ମୁଣ୍ଡେଇ ଆଗରେ ଚାଲିଥିଲେ । ଘଣ୍ଟ, ଶଙ୍ଖ ଓ ସଂକୀର୍ତ୍ତନ ବାଦ୍ୟ ଓ ପଣ୍ଡିତଙ୍କ ମନ୍ତ୍ର ପାଠରେ ସର୍ଗିଗୁଡା, ନର୍ଲାରୋଡ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଦୁର୍ଗା ପୂଜା ମଣ୍ଡପରେ କଳସ ସବୁ ପହଞ୍ଚିବା ପରେ ଉପସ୍ଥିତ ଜନସାଧାରଣ ଓ ଶ୍ରଦ୍ଧାଳୁ ଭକ୍ତ କଳସ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ପୂଜା ସ୍ଥଳି ଯାଏଁ ପାଛୋଟି ନେଇଥିଲେ । ଦୁର୍ଗା ମନ୍ଦିର ଓ ପୂଜା ବେଦୀ ପରିକ୍ରମା କରିଥିଲେ କଳସ ଯାତ୍ରୀ ଦଳ। ପୂଜା ମଣ୍ଡପରେ କଳସ ସ୍ଥାପନା ପରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା । ସୋମବାର ସକାଳୁ ଦୁର୍ଗାପୂଜା ବିଧିବଦ୍ଧ ଭାବରେ ଆରମ୍ଭ ହେବ ବୋଲି ଜଣାପଡିଛି । ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡିଓ ବିପିନ ବିହାରୀ ଦୀପ, ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂ ପ୍ରମୁଖ ନବରାତ୍ରୀ ଦୁର୍ଗାପୂଜା ଅବସରରେ ନର୍ଲା ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମା ମୃଣ୍ମୟୀ ଦେବୀ ଜଗଜ୍ଜନନୀଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.