ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅନ୍ତର୍ଗତ ଦେହେଲି ନିକଟରେ ବାଇକ ପିକପ ମୁହାଁ ମୁହିଁ ଧକ୍କା ହେବା ଫଳରେ ତେର୍ଲୋ ଗ୍ରାମର ଗୋଟିଏ ପରିବାରର ବାପା ଓ ପୁଅ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ମା ଓ ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣା ପଡ଼ିଛି। ଖବରରୁ ଜଣା ପଡ଼ିଛି ଯେ, ଆଜି ସୋମବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ନର୍ଲା ବ୍ଲକ ଅନ୍ତର୍ଗତ ବାଲସିଙ୍ଗା ଗ୍ରାମ ପଞ୍ଚାୟତର ତେର୍ଲୋ ଗ୍ରାମର ବୁଧ ବାରିକ (୩୫) ପୁଅ ଆରବ (୧୦) ଏଵଂ ମାଆ ଓ ଝିଅ ବାଇକ (ନଂ ଓଡି ୧୭ ସି ୦୭୬୨) ଯୋଗେ ନର୍ଲା ପଟେ ଆସୁଥିଲେ। ସାମନା ପଟୁ କ୍ଷୀପ୍ର ଗତିରେ ଯାଉଥିବା ଏକ ପିକପ ଭ୍ୟାନ (ନଂ ଏପି ୩୯ ଟି ସି ୭୭୦୬) ବାଇକକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ବାଇକ ଚାଳକ ବାପା ବୁଧ ବାରିକ ଓ ପୁଅ ଆରବଙ୍କ ଜୀବନ ଚାଲି ଯାଇଥିବ ଜଣା ପଡ଼ିଛି। ମଝିରେ ବସିଥିବା ମାଆ ଓ ଝିଅ ଗୁରୁତର ରହି ଥିବାରୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ମାଧ୍ୟମରେ ନର୍ଲା ଡାକ୍ତଖାନାକୁ ଆଣିଥିଲେ। ହେଲେ ଅଧିକ ଗୁରୁତର ହେବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ଜଣାପଡ଼ିଛି। ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖି ଦୁର୍ଘଟଣା ଘଟେଇଥିବା ଆନ୍ଧ୍ର ପିକପ ଭ୍ୟାନକୁ ଜବତ କରି ଥାନାକୁ ନେ଼ଇ ଆସିଥିବା ସୁଚନା ମିଳିଛି। ଏପଟେ କ୍ଷତିପୂରଣ ଦାବିରେ ଶବରଖି ରାସ୍ତା ଅବରୋଧ କରିଛନ୍ତି ପରିବାରବର୍ଗ ଓ ଉତ୍ୟକ୍ତ ଜନତା।




