ଦେହେଲିରେ ବାଇକ ଓ ପିକଅପ ଭ୍ୟାନ ଦୁର୍ଘଟଣା ପ୍ରସଙ୍ଗ: ଶବ ରଖି ରାସ୍ତା ଅବରୋଧ, ବାପ-ପୁଅଙ୍କ ସ୍ପଟ ଡେଥ୍ ଏବେ ଡାକ୍ତରଖାନାରେ ଆଖି ବୁଜିଲା କୁନି ଝିଅ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଦେହେଲି ନିକଟରେ ଆଜି ସକାଳ ୯ ଟା ବେଳେ ବାଇକ ଓ ପିକଅପ ଦୁର୍ଘଟଣାରେ ଘଟଣା ସ୍ଥଳରେ ବାପ ପୁଅ ଦୁଇଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ମାଆ ଝିଅ ଗୁରୁତର ରହି ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ଆଖି ବୁଜିଛି କୁନି ଝିଅ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ରାସ୍ତା ଉପରେ ଶବ ରଖି ଧାରଣା ଦେଇଥିବା ବେଳେ ସକାଳ ୧୦ ଟା ସମୟରୁ ନର୍ଲା- ମ ରାମପୁର ରାଜପଥ ଜାମ ହୋଇ ପଡିଛି। ଘଟଣା ସ୍ଥଳରେ ତହସିଲଦାର ବିଭୁ ପ୍ରସାଦ ସିଂ ପହଞ୍ଚି ଲୋକଙ୍କୁ ବୁଝା ବୁଝି କରି ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦,୦୦୦ ପ୍ରଦାନ କରାଯିବ ବୋଲି କହିଥିଲେ। ପରିବାର ବର୍ଗ ଓ ଉତ୍ୟକ୍ତ ଲୋକେ ତହସିଲଦାରଙ୍କ ପ୍ରସ୍ତାବକୁ ମନା କରିଦେବା ସହ ଦୁର୍ଘଟଣା ଘଟେଇଥିବା ପିକଅପ ଭ୍ୟାନ ମାଲିକ ଘଟଣା ସ୍ଥଳକୁ ଆସି କ୍ଷତି ପୁରଣ ପ୍ରଦାନ କରନ୍ତୁ ବୋଲି ନିଜ ଜିଦରେ ଅଡିବସି ରାସ୍ତାରୁ ହଟି ନଥିବା ଦେଖିବାକୁ ମିଳୁଛି। ଗୁରୁତର ମାଆ ଝିଅକୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଇଠି ଝିଅ ମଧ୍ୟ ଏବେ ୧୨.୩୦ ବେଳେ ମୃତ୍ୟୁ ବରଣ କରିଥିବା ସୂଚନା ମିଳୁଛି। ଅନ୍ୟପକ୍ଷେ ରାସ୍ତା ଅବରୋଧ ଯୋଗୁଁ ଶହ ଶହ ଗାଡି ମଟର ରାସ୍ତା ଦୁଇପଟେ ଛିଡ଼ା ହୋଇଥିବା ବେଳେ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.