ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ପକ୍ଷରୁ ସପ୍ତାହବ୍ୟାପୀ ‘ଗବେଷଣା ଓ ପ୍ରକାଶନ ନୀତି–୨୦୨୫’ ସଂପର୍କିତ କୋର୍ସ କର୍ମଶାଳାର ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆୟୋଜିତ ଉଦ୍ଘାଟନ ସମାରୋହରେ ୧୫୦ରୁ ଅଧିକ ଗବେଷଣାରତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଏକଜିକ୍ୟୁଟିଭ ଗବେଷକ ଯୋଗଦେଇ ୫-ଦିନିଆ ପ୍ରଶିକ୍ଷଣ ଶିବିରରେ ଗବେଷଣାତ୍ମକ ସତ୍ୟନିଷ୍ଠା, ପ୍ଲେଜିଆରିଜିମ ଓ ପ୍ରକାଶନ ପ୍ରକ୍ରିୟା ଉପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ସଂପର୍କରେ ଗଭୀର ଆଲୋଚନା ପାଇଁ ଅଂଶଗ୍ରହଣ କରିଛନ୍ତି।କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦଘାଟନୀ ସଭାରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ, “ଆଜିର ଶିକ୍ଷାନୁଷ୍ଠାନୀୟ ଓ ଗବେଷଣା ପରିବେଶରେ ସତ୍ୟନିଷ୍ଠା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ନୂତନତ୍ତ୍ଵର ଆବିଷ୍କାର ସହ ମୂଲ୍ୟଯୁକ୍ତ ଜ୍ଞାନ ଗଠନ ଓ ତଥ୍ୟ ସଂଗ୍ରହରେ ଗବେଷଣା ସୀମିତ ନୁହେଁ,
ବରଂ ନୀତିଶୀଳ ପ୍ରକ୍ରିୟା, ସତ୍ୟପରାୟଣତା ଓ ଦାୟିତ୍ୱଶୀଳ ପ୍ରକାଶନରେ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ସଫଳତା ନିହିତ ରହିଥାଏ” ବୋଲି ପ୍ରକାଶ କରିଥିଲେ। କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଶରତ କୁମାର ପାଲିତ ମୁଖ୍ୟବକ୍ତା ଭାବେ ଉପସ୍ଥିତ ହୋଇ, ଗବେଷଣାକୁ ଜ୍ଞାନ ସୃଷ୍ଟିର ଏକ ଭିନ୍ନ ଯାତ୍ରା ସହ ଦେଶ, ଜାତି ଓ ମାନବସମାଜର ଉନ୍ନତିକରଣର ଏକ ପ୍ରଧାନ ମାଧ୍ୟମ ବୋଲି ଉଲ୍ଲେଖ କରିଥିଲେ। ବର୍ତ୍ତମାନ କେନ୍ଦ୍ରୀକରଣ ଗବେଷଣା ପ୍ରଣାଳୀରେ ପ୍ଲେଜିଆରିଜିମ, ପ୍ରଭାବକାରୀ ପ୍ରକାଶନ ଓ ମେଟ୍ରିକ୍ସ୍ର ଅତିରିକ୍ତ ଚାପ ବଡ଼ ଚ୍ୟାଲେଞ୍ଜ୍ ରହିଥିବାର ଉଲ୍ଲେଖ କରିଥିଲେ ଓ ବିଶ୍ବବିଦ୍ୟାଳୟରେ ଆୟୋଜିତ ଆର.ପି.ଇ. ପରି କୋର୍ସ ଗୁଡିକ ଛାତ୍ରଛାତ୍ରୀମାନଙ୍କୁ ନୀତିଶୀଳ ଗବେଷଣାର ଦିଗରେ ପଥପ୍ରଦର୍ଶନ କରିବାନେଇ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ରଣୀନ୍ଦ୍ର କୁମାର ନାୟକ,ଗବେଷଣା ଓ ବିକାଶ ନିର୍ଦ୍ଦେଶକ ପ୍ରଫେସର ପଙ୍କଜ କୁମାର ପାରହୀ, ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମକୁ, ଗବେଷଣା ସମ୍ପଦ ସୁଦୃଢ କରିବାରେ ଏକ ନୂତନ ପଦକ୍ଷେପ ବୋଲି ପ୍ରକାଶ କରି କୋର୍ସର ପରିକଳ୍ପନା, ବିଷୟବସ୍ତୁ ଓ ପ୍ରଶିକ୍ଷଣ ସୂଚନା ପ୍ରଦାନ କରିଥିଲେ। ଏଥିସହ ପ୍ରକାଶନ ନୀତିରେ ଆନ୍ତର୍ଜାତୀୟ ମାନଦଣ୍ଡ ପାଳନ କରିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ। କୋର୍ସର ପ୍ରାଥମିକ ବିଷୟଗୁଡିକ ମଧ୍ଯରେ- ଗବେଷଣା ପ୍ରଶ୍ନ ଗଠନ ଓ ହାଇପୋଥେସିସ୍ ପରୀକ୍ଷା, ବୈଜ୍ଞାନିକ ଲେଖନ ଓ ପ୍ରକାଶନ ପ୍ରକ୍ରିୟା, ପ୍ଲେଜିଆରିଜିମ ଯାଞ୍ଚ ଓ ସଫ୍ଟୱେର ପ୍ରଶିକ୍ଷଣ, ପ୍ରକାଶନ ନୀତି ଓ ଗବେଷଣା ମେଟ୍ରିକ୍ସ, ବୈଜ୍ଞାନିକ ସତ୍ୟନିଷ୍ଠା ଓ ନୀତିଶାସ୍ତ୍ର ସମ୍ବନ୍ଧିତ ପ୍ରଶିକ୍ଷଣ ଦିଆଯିବ। ଏହି କୋର୍ସ ର ପ୍ରଶିକ୍ଷଣ ୨୬ ସେପ୍ଟେମ୍ବରରେ ସମାପ୍ତ ହେବ। ସେହି ଦିନ ସମାପନ ସଭାରେ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ସମ୍ମାନ ସହ “ଗବେଷଣାରେ ସତ୍ୟନିଷ୍ଠା ଓ ସାମାଜିକ ଦାୟିତ୍ୱ” ବିଷୟରେ ଦିଗନିର୍ଦ୍ଦେଶନ ଦିଆଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚୀତ କରିଯାଇଛି। କାର୍ଯ୍ୟକ୍ରମକୁ ଡ଼କ୍ଟର ରାଜଶ୍ରୀ ଦତ୍ତ ସଂଯୋଜନା ଓ ପରିଚାଳନା କରିଥିଲେ ତଥା ଡ଼କ୍ଟର ଦେବଦତ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।