ମୁଖ୍ୟମନ୍ତ୍ରଙ୍କ ଇସ୍ତଫା ଦାବି କଲା ସମାଜବାଦୀ ପାର୍ଟି
ଭୁବନେଶ୍ବର: ରାଜ୍ୟରେ ଦୃତ ଗତିରେ ବଢ଼ି ଚାଲିଛି ମହିଳା ହିଂସା, ବଳତ୍କାର, ହତ୍ୟା, ଆତ୍ମହତ୍ୟା ଭଳି ଘୃଣ୍ୟ ଏବଂ ହୃଦୟ ବିଦାରକ ଘଟଣା । ଏହା ଜଗନ୍ନାଥ ସଂସ୍କୃତି ଏବଂ ରାଜ୍ୟର ଛବିକୁ ବିଶ୍ୱ ସ୍ତରରେ ମଳିନ କରିଛି l ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟକ୍ତି ପରେ ପ୍ରତିକ୍ରିୟା ରଖିଛି ସମାଜବାଦୀ ପାର୍ଟି l ପାର୍ଟିର ରାଜ୍ୟ ସଭାପତି ଶିବ ହାତି ଯାଦବ ବିଜେପି ସରକାରଙ୍କୁ ଭର୍ସନା କରିବା ସହ ଓଡିଶାରେ ଏବେ ତାଲିବାନ ଶାସନ ଚାଲିଛି କହି କଟାକ୍ଷ କରିଛନ୍ତି l ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାଇ ଗତ ୧୪ ମାସରେ ରାଜ୍ୟରେ ୩୭ହଜାର ୬୧୧ଟି ନାରୀ ନିର୍ଯାତନା ମାମଲା ରୁଜୁ ହୋଇଛି । ଏଥିରେ ୯୧୮୧ଟି ଅସଦାଚରଣ ମାମଲା ରହିଛି । ସେହିପରି ଦେଢ଼ ବର୍ଷ ମଧ୍ୟରେ ରାଜ୍ୟର ୪୫୪୪ ଜଣ ମହିଳା ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଏହି ଅବଧୂ ମଧ୍ଯରେ ରାଜ୍ୟରେ ୨୯୩୩ଟି ଦୁଷ୍କର୍ମ, ୧୨୭୮ଟି ଯୌନ ନିର୍ଯାତନା, ୮୨୨୭ଟି ଅପହରଣ ମାମଲା ରୁଜୁ ହୋଇଛି | ସେହିପରି ୫୪୬୪ଟି ଯୌତୁକ ନିର୍ଯାତନା ମାମଲା ବିଭିନ୍ନ ଥାନାରେ ମଧ୍ଯ ରୁଜୁ କରାଯାଇଛି | ୪୫୪୪ଟି ଦୁଷ୍କର୍ମ ଘଟଣାରେ ୩୮୦୫ ଜଣ ପୁରୁଷ ଏବଂ ୫୭ ମହିଳା ଗିରଫ ହୋଇଛନ୍ତି I ସୂଚନା ଅନୁସାରେ ଗତ ୧ ବର୍ଷ ମଧ୍ୟରେ ରାଜ୍ୟରେ ମହିଳା ଅସଦାଚରଣ ମାମଲା ବୃଦ୍ଧି ପାଇଛି | ୪୪ଟି ଯୌତୁକ ଜନିତ ଆତ୍ମହତ୍ୟା, ୨୧୬୧ଟି ସର୍ବସାଧାରଣ ସ୍ଥାନରେ ମହିଳାଙ୍କୁ ଦୁବ୍ୟବହାର, ୧୨୭୮ ଯୌନ ନିର୍ଯାତନା, ୨୨୪ ଶାରିରୀକ ସମ୍ପର୍କ ରଖ୍ ବିବାହ ନ କରିବା ଆଦି ମାମଲା ରୁଜୁ ହୋଇଛି l
ରାଜ୍ୟରେ ମହିଳାବିରୋଧୀ ଅପରାଧ ବୃଦ୍ଧି ପାଉଥିବା ବେଳେ ଆତ୍ମାହୁତି ଘଟଣା ମଧ୍ୟ ଢେର୍ ବଢ଼ିଛି । କିଏ ନିର୍ଯାତନା ସହି ନପାରି ଆତ୍ମାହୁତି ଦେଇଛି ତ ଆଉ କିଏ ପାରିବାରିକ କଳହରୁ ଏଭଳି ଚରମ ନିଷ୍ପଭି ନେଇଛି । ବିଶେଷକରି, ଗତ ୧୫ ମାସରେ ରାଜ୍ୟରେ ୧୫ଜଣ ଯୁବତୀ ଓ ମହିଳା ଆତ୍ମାହୁତି ଦେଇଛନ୍ତି । ରାଜ୍ୟରେ ପାରିବାରିକ କଳହଠାରୁ ଆରମ୍ଭ କରି ଯୌତୁକ ଓ ମାନସିକ ନିର୍ଯାତନା ମାମଲା ବଢ଼ିଛି | ଏସବୁର ଶିକାର ହେଉଥିବା ଛାତ୍ରୀ ଓ ମହିଳାମାନେ ନିଜକୁ ଜାଳିଦେବା ଭଳି ଚରମ ପଦକ୍ଷେପ ନେଇଛନ୍ତି । ବିଗତ ଦିନରେ ବାଲେଶ୍ବର, ବଳଙ୍ଗା, ଜଟଣା, ଜଗତପୁର,ବ୍ରହ୍ମପୁର ସଦର, ମାହାଙ୍ଗା, ପଟ୍ଟାମୁଣ୍ଡାଇ, ଖଇରା, ରାଉରକେଲା, ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି | ମୋଟ ୧୫ ଜଣ ଛାତ୍ରୀ ଓ ମହିଳା ଏଥିରେ ପ୍ରାଣ ହରାଇଛନ୍ତି | ଏ ସଂକ୍ରାନ୍ତରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ ୯ଟି ଧର୍ଭବ୍ୟ ଓ ୬ଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ସେହିଭଳି ଭାବରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ଗତ ୧୫ ମାସ ମଧ୍ୟରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି I
ଏତେ ସବୁ ଘଟଣା ମାନ ଘଟିବା ପରେ ମଧ୍ୟ ସରକାର କୁରୁ ସଭାର ଧୃତରାଷ୍ଟ୍ର ସାଜି ନୀରବରେ ନାରୀ ନିର୍ଯ୍ୟାତନାକୁ ମନୋରଞ୍ଜନ ଭାବେ ଦେଖୁଛନ୍ତି l ଏହା ଘୋର ନିନ୍ଦନୀୟ ଆଉ ଦୁର୍ଭାଗ୍ୟପୁର୍ଣ ବିଷୟ l ନାରୀଙ୍କୁ ସୁରକ୍ଷା ଦେଇପାରୁନଥିବା ସରକାର ନିଜର ନୈତିକତା ହରାଇ ସାରିଛନ୍ତି l ଯଦି ଓଡିଆ ଅସ୍ମିତା ଥାଏ ତେବେ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ସମାଜବାଦୀ ପାର୍ଟି l