ଆନ୍ତଃ-ମହାବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା: ଫକୀରମୋହନ ବିଶ୍ୱବିଦ୍ୟାଳୟ ଦଳ ହେଲେ ଉପବିଜେତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଚରମ୍ପା ମହାବିଦ୍ୟାଳୟ, ଭଦ୍ରକରେ, ୨୩ ସେପ୍ଟେମ୍ବର ୨୦୨୫ରେ ଆୟୋଜିତ ଆନ୍ତଃ- ମହାବିଦ୍ୟାଳୟ ସ୍ତରୀୟ ପୁରୁଷ କବାଡ଼ି ପ୍ରତିଯୋଗିତା ୨୦୨୫-୨୬ ରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପି.ଜି. କାଉନ୍ସିଲ୍‌ ଟିମ୍‌ ଶୃଙ୍ଖଳାବଦ୍ଧତା ଓ କୌଶଳମୟ ଖେଳ ପ୍ରଦର୍ଶନ କରି ଉପବିଜେତା ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ ଅଞ୍ଚଳର ବିଭିନ୍ନ ପ୍ରତିଷ୍ଠିତ ମହାବିଦ୍ୟାଳୟ ଦଳ ଅଂଶଗ୍ରହଣ କରିଥିଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟର ଖେଳାଳିମାନଙ୍କର ମନୋବଳ, ସମ୍ମିଳିତ ଖେଳ ମନୋଭାବ ଓ ଯୋଜନାମୂଳକ ଖେଳ ଦ୍ବାରା ଫାଇନାଲରେ ଉପବିଜେତା ସ୍ଥାନ ଅଧିକାର କରିଛନ୍ତି ଓ ବାଲିଆପାଳର ଏସ.ଆର ମହାବିଦ୍ୟାଳୟ ଦଳ ବିଜୟୀ ହୋଇଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ପବିତ୍ର ମୋହନ ନାୟକ, ଉପନିର୍ଦ୍ଦେଶକ ଡ଼କ୍ଟର ଅମିତ କୁମାର ଶର୍ମା, ପିଇଓ ଶ୍ରୀ ସଂଗ୍ରାମ ବିଶୋଇଙ୍କ ସହିତ ଆୟୋଜକମାନେ ସମସ୍ତ ଅଂଶଗ୍ରହୀ ଦଳଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏପରି ପ୍ରତିଯୋଗିତାମାନଙ୍କରୁ ଯୁବମାନଙ୍କ ଶାରୀରିକ ସୁସ୍ଥତା, ସମ୍ମିଳିତ ସହଭାଗିତା ଓ ନେତୃତ୍ୱଗୁଣର ବିକାଶ ହେବାକୁ ଉଲ୍ଲେଖ କରିଥିଲେ। ଏହି କବାଡ଼ି ପ୍ରତିଯୋଗିତାର ସଫଳ ଆୟୋଜନ ତଥା ବିଜୟୀ ଦଳମାନଙ୍କୁ ଉତ୍ସାହିତ କରିବା ସହିତ, ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ନିମନ୍ତେ ପ୍ରୋତ୍ସାହନ ଓ ସାମଗ୍ରିକ ଉନ୍ନତିର ପ୍ରୟାସକୁ ସଫଳ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.