ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବହୁ ରାଷ୍ଟ୍ରୀୟ କମ୍ପାନୀ ମାନେ ନିୟମଗିରି ବକ୍ସାଇଟ ଖଣି ଖନନ ପାଇଁ ଅହରହ ଉଦ୍ୟମ କରାଯାଉଥିବା ବେଳେ ଏହାକୁ ନେଇ ନିୟମଗିରି ସୁରକ୍ଷାକୁ ନେଇ ଗ୍ରୀନ୍ କଳାହାଣ୍ଡି ନିୟମଗିରି ସୁରକ୍ଷା ସମିତି ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସମ୍ମିଳନୀରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ କହିଛନ୍ତି ଯେ, ସର୍ବ ପ୍ରଥମେ ନିୟମଗିରି ସୁରକ୍ଷା ଆନ୍ଦୋଳନ ନିୟମଗିରି ସୁରକ୍ଷା କମିଟି ନେତୃତ୍ୱରେ ଆରମ୍ଭ ହୋଇଥିଲା।ପରବର୍ତ୍ତୀ ସମୟରେ ଗ୍ରୀନ କଳାହାଣ୍ଡି ଗଠିତ ହୋଇ ଏହାକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିବା ଯୋଗୁଁ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ଥିଲା। ଏହି ନିୟମଗିରି ସୁରକ୍ଷା ଆନ୍ଦୋଳନ ସାରା ପୃଥିବୀରେ ଦୃଷ୍ଟି ଆକର୍ଷଣ କରିଥିଲା। ନିୟମଗିରିରେ ଦୁଇ ଗୋଟି କମ୍ୟୁନିଟି ବସବାସ କରୁଥିବା ବେଳେ ପାହାଡ଼ ତଳେ ବସବାସ କରୁଥିବା କମ୍ୟୁନିଟି ଆଦିବାସୀ ଝରଣିଆ ଓ ପାହାଡ଼ ଉପରେ ବସବାସ କରୁଥିବା ଡଙ୍ଗରିଆ। ସେମାନଙ୍କ ଅଧିକାରୀ, ଆର୍ଥିକ ଅଧିକାର ଓ ବିଶେଷକରି ସମ୍ବିଧାନ ପଞ୍ଚମ ଉଛେଦ ଅନୁସାରେ ପ୍ରାକୃତିକ ସମ୍ପଦର ମାଲିକ ହେଉଛନ୍ତି ସେହି ଆଦିବାସୀମାନେ। ଯେତେବେଳେ ନିୟମଗିରି ଖଣି ଖନନ ପାଇଁ ଆଦିବାସୀଙ୍କ ଅଧିକାରକୁ ଦମନ କରି କମ୍ପାନୀର ପ୍ରୟାସ ଆରମ୍ଭ କରିଥିଲେ।ସେତେବେଳେ ଆମେ ଆଦିବାସୀଙ୍କ ସୁରକ୍ଷା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଦ୍ବାରସ୍ତ ହୋଇଥିଲୁ। ମାନ୍ୟବର ସୁପ୍ରିମକୋର୍ଟ ତିନୋଟି ସିଡୁଲ ପ୍ରସଙ୍ଗ ନେଇ ପ୍ରଥମ ସିଡୁଲ ଏରିଆ ପଞ୍ଚମ ଉଛେଦ ସମ୍ବିଧାନ, ଦ୍ୱିତୀୟ ହେଲା ପେସାଏତ ୧୯୯୬ ଆଇନ ଓ ତୃତୀୟରେ ୨୦୦୬ ଜଙ୍ଗଲ ଅଧିକାରୀ ଆଇନକୁ ନେଇ ରାୟ ଦେଇଥିଲେ ଯେ ଯଦି ଖଣି ଖନନ କରାଯାଏ ତାହାହେଲେ ସମ୍ବିଧାନ ଅନୁସାରେ ଗ୍ରାମସଭା ଜରୁରୀ ଅଟେ ବୋଲି। ପରବର୍ତ୍ତୀ ସମୟରେ ଗ୍ରାମସଭା ହୋଇଥିଲା କିନ୍ତୁ ଆମେ ମାଁ ମାଟିକୁ ବିକି ଦେବୁନାହିଁ ବୋଲି ଆଦିବାସୀ ମାନେ ଶତପ୍ରତିଶତ ବିରୋଧ କରିଥିଲେ। ଏହା ବ୍ୟତୀତ ନିୟମଗିରି ପର୍ବତ ଶିଖରରେ ଆଦିବାସୀ ମାନେ ନିୟମରାଜାଙ୍କୁ ପୂଜା କରନ୍ତି।ସମ୍ବିଧାନ ଅନୁସାରେ ଆଦିବାସୀଙ୍କ ସାଂସ୍କୃତିକ କିମ୍ବା ଧାର୍ମିକ ଅଧିକାର କାହାରିକୁ ଦିଆଯିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ଗୁରୁତ୍ୱ ପୂର୍ଣ୍ଣ ରାଏ ଦେଇଥିଲେ ବୋଲି ପରିବେଶ ବିତ ଶ୍ରୀ ସାମନ୍ତରାୟ ପ୍ରକାଶ କରିଥିଲେ। ଏହି ସମ୍ବିଳନୀରେ ବର୍ତ୍ତମାନ କମ୍ପାନୀ ଖଣି ଖନନ ପାଇଁ ପୁନର୍ବାର ଗ୍ରାମସଭା କରିବା ପାଇଁ ପ୍ରୟାସ ଆରମ୍ଭକରି ଥିବାବେଳେ ଏକ ଅଣ ସଂଗଠନ ନାଁରେ କୋଟି କୋଟି ଟଙ୍କାର ବିଜ୍ଞାପନ ଦିଆଯାଇଛି। ଏତେ ଟଙ୍କା ଉକ୍ତ ସଂଗଠନ ପାଖରେ ଆସିଲା କେଉଁଠୁ ବୋଲି ରାଜ୍ୟ ସରକାର କାହିଁକି ତଦନ୍ତ କରୁନାହାନ୍ତି ତାହା ଓଡ଼ିଶା ସରକାର ତଦନ୍ତ ପରିସରକୁ ଆଣନ୍ତୁ ବୋଲି ମତ ଦେଇଛନ୍ତି। ମାନ୍ୟବର ସୁପ୍ରିମକୋର୍ଟ ମେନ ପାୱାର କମିଟି ଅନୁସାରେ ୨୦୦୬ ମସିହାରେ ଜଙ୍ଗଲ ଲିଜ ନପାଇବା ପର୍ଯ୍ୟନ୍ତ ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀକୁ ଦିଆଯାଇଥିବା ପରିବେଶ ମଞ୍ଜୁରୀ ବନ୍ଦ କରାଯାଉବୋଲି। କିନ୍ତୁ ନିର୍ଦ୍ଦେଶ ଥିଲେ ମଧ୍ୟ କମ୍ପାନୀ ବନ୍ଦ ହେଲାନାହିଁ। ଏହା ସତ୍ତ୍ୱେ ମଧ୍ୟ କମ୍ପାନୀ ପରବର୍ତ୍ତୀ ଏକ୍ସସେନସନ ଇଲିଗାଲ କରିଥିବା ଯୋଗୁଁ ଜାତୀୟ ଗ୍ରୀନ ଟ୍ରିମୁନାଲ ନିକଟରେ ପରିବେଶ ବିତ ଆବେଦନ କରିଥିଲେ। ଏଥିପାଇଁ ଜାତୀୟ ଗ୍ରୀନ ଟ୍ରିମୁନାଲ ଇଲିଗାଲ ଯୋଗୁଁ୨୫ କୋଟି କମ୍ପାନୀକୁ ଫାଇନ କରିଥିଲା। ଏହି ୨୫ କୋଟି ଟଙ୍କା ଅଞ୍ଚଳରେ ଥିବା ବିଭିନ୍ନ ଜରୁରୀ କାଳୀନ ସମସ୍ୟା ଉପରେ ଖର୍ଚ୍ଚ କରିବା ପାଇଁ ପଲିସନ ବୋର୍ଡ଼କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ୨୫ କୋଟି ଟଙ୍କା ଯେଉଁ ବାବଦରେ କମ୍ପାନୀ ଖର୍ଚ୍ଚ କରିଛି ଅଞ୍ଚଳବାସୀ ତାର ହିସାବ ମାଗନ୍ତୁ ବୋଲି ମତ ପ୍ରକାଶ କରିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଗ୍ରୀନ କଳାହାଣ୍ଡି ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ସିଧାର୍ଥ ନାୟକ, ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ନାଏକ, ଲାଞ୍ଜିଗଡ଼ ବ୍ଳକ ଗ୍ରୀନ୍ କଳାହାଣ୍ଡି ସଭାପତି କର୍ଣ୍ଣ ସାହୁ, ଲାଞ୍ଜିଗଡ଼ ବ୍ଳକ ଯୁବ ସଭାପତି ଭାସ୍କର ଚନ୍ଦ୍ର ଚନ୍ଦନ, ବରିଷ୍ଠ କର୍ମୀ ମନୋଜ କୁମାର ରାଉତ, ଗୋବିନ୍ଦ ପ୍ରଧାନୀ, ଫକୀର ଚରଣ ବିଶି, ଟଙ୍କଧର ମାଝୀ, ପୂର୍ଣ୍ଣଚନ୍ଦ୍ର ଗଉଡ଼, ଦଶରଥ ପାତ୍ର, ଗଣେଶ ବେହେରା, ମୁଲୁ ମାଝୀ, ପ୍ରସନ୍ନ ଦଳପତି, ବାସବ ବେହେରା ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।