ମଦନପୁର ରାମପୁରରେ ଦେବୀ ଡୋକରୀଙ୍କ ଭବ୍ୟ ଛତର ଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁରର ଅଧିଷ୍ଠାତ୍ରୀ ଦେବୀ ଡୋକରୀଙ୍କ ବିଜେ ଛତର ଯାତ୍ରା ହର୍ଷ ଉଲ୍ଲାସ ସହ ସମାପନ ହୋଇଛି। ମଙ୍ଗଳବାର ଭୋରରେ ନୂତନ ଥାନା ସମ୍ମୁଖ ଜେନାଗୁଡିରେ ଗୁପ୍ତ ପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ମୁଖ୍ୟ ପୂଜକ ଅଶୋକ କୁମାର ପଣ୍ଡା ଡୋକରୀଙ୍କ ଛତର ଧରି ସକାଳ ୬ ଘ ସମୟରେ ଜେନାଗୁଡ଼ି ଠାରୁ ବାହାରିଥିଲେ। ସିଂ ବାଜା, ଘୁମୁରା, ଦୂଲଦୁଲି, ଘଣ୍ଟ ଦଳ, ଢାପ ଓ ଆଦିବାସୀ ନୃତ୍ୟର ତାଳେ ତାଳେ କଳାକାରମାନେ ଦେବୀଙ୍କୁ ସ୍ବାଗତ କରିଥିଲେ। ଏହି ଛତର ଯାତ୍ରା ଦେଖିବାକୁ ହଜାର ହଜାର ଜନସାଧାରଣ ଛୁଟି ଆସିଥିଲେ। ଦେବୀଙ୍କ ଛତର ମୁଖ୍ୟ ରାସ୍ତାରେ ଆସି ରାଜଭାଟି ସ୍ଥିତ ଡୋକରୀ ମନ୍ଦିରଠାରେ ପହଞ୍ଚିଥିଲେ। ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓ ଛତରକୁ ବନ୍ଦାପନା କରି ମାଆଙ୍କୁ ମନ୍ଦିର ଭିତରକୁ ନେଇ ସିଂହାସନରେ ଅବସ୍ଥାପିତ କରିଥିଲେ। ଏହାପରେ ମନ୍ଦିର ଭିତରେ ପୂଜକ, ରାଜା ଓ କର୍ତ୍ତା ଗୁପ୍ତ ନୀତିରେ ପୂଜା ବିଧି କରିଥିଲେ। ପ୍ରକାଶ ଥାଉ କି ମଦନପୁର ରାମପୁରର ନାଗବଂଶୀ ରାଜାମାନଙ୍କ ଅମଳରୁ ଡୋକରୀ ଦେବୀଙ୍କ ପୂଜା ରାଜାଙ୍କ ତତ୍ବାବଧାନରେ ଆଜି ପର୍ଯ୍ୟନ୍ତ ହୋଇଆସୁଛି। ତେବେ ସମସ୍ତଙ୍କର ଯୋଗଦାନ ଓ ସହଯୋଗରେ ମାଆଙ୍କ ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ ହୋଇଥିବାରୁ ମାଁ ଡୋକରୀ ପରିଚାଳନା କମିଟିର ସଭାପତି ତଥା ପ୍ରଧାନ ସେବକ ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ସମ୍ପାଦକ ଯଶୋବନ୍ତ ସିଂଦେଓ ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସମେତ ସାମ୍ବାଦିକ, ପ୍ରଶାସନ ଓ ପୋଲିସ ବିଭାଗକୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରିଛନ୍ତି। ହିରେନ୍ଦ୍ର ପ୍ରତାପ ସିଂହଦେଓ, ସତ୍ୟନାରାୟଣ ସାହୁ, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ଦୁତିଆ ଭୋଇ, ଗୋପାଳ ପୁରୋହିତ, ଅମର ପୋଢ଼, ଅନାଦି ଭୋଇ, ରଞ୍ଜନ ନାୟକ, ଧରଣୀଧର ଧଙ୍ଗଡ଼ା ମାଝୀ ପ୍ରମୁଖ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.