କବି ଅମରେନ୍ଦ୍ର ମାଧବ ଦାଶ ପାଇବେ ଚଳିତ ବର୍ଷର ବସନ୍ତ ମୁଦୁଲି କବିତା ପୁରସ୍କାର

• ନଭେମ୍ବର ୨ରେ ଭୁବନେଶ୍ଵର ଠାରେ ହେବ ବସନ୍ତ ମୁଦୁଲି ସ୍ମୃତି ସମାରୋହ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଦିବଙ୍ଗତ କବି ବସନ୍ତ ମୁଦୁଲିଙ୍କ ସ୍ମୃତିରେ ଗଠିତ କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ତରଫରୁ ପ୍ରଦତ୍ତ କବି ବସନ୍ତ ମୁଦୁଲି କବିତା ପୁରସ୍କାର-୨୦୨୫ ପାଇବା ପାଇଁ କବି ଅମରେନ୍ଦ୍ର ମାଧବ ଦାଶ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସଂସଦର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ଚୟନ କମିଟି ବୈଠକରେ ପ୍ରାକ୍ତନ ସଭାପତି ରଜନୀକାନ୍ତ ମହାନ୍ତି, ଆବାହକ ଅରୁଣ ଖିଲାର, କାର୍ଯ୍ୟକାରୀ ସଭାପତି ନିରାକାର ଦାସ, ଉପସଭାପତି କିଶୋର ପାଣିଗ୍ରାହୀ, ଯୁଗ୍ମ ସଂପାଦକ ଅମିତାଭ ଖିଲାର, କବିପୁତ୍ର ପାର୍ଥସାରଥି ମୁଦୁଲିଙ୍କ ସମେତ ଅନ୍ୟ ସଦସ୍ଯମାନେ ଉପସ୍ଥିତ ଥିଲେ। ରାଜ୍ୟର ୪୩ ଜଣ ବରିଷ୍ଠ କବିମାନଙ୍କ ଠାରୁ ଆସିଥିବା ସୁପାରିଶ କ୍ରମେ କବି ଅମରେନ୍ଦ୍ର ମାଧବ ଦାଶଙ୍କ ନାମ ଚୂଡାନ୍ତ ହୋଇଥିଲା।

ପ୍ରକାଶଯୋଗ୍ୟ, ୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିବା ଅମରେନ୍ଦ୍ର ୭ଟି କବିତା ପୁସ୍ତକର ସ୍ରଷ୍ଟା। ତନ୍ମଧ୍ୟରୁ ଢେର ରାତି ହେଲାଣି, କାନ୍ଦକାନ୍ଦ ମଣିଷ, ଚିତ୍ର ଆଙ୍କୁଥିବା ପୁଅ, ଶବ୍ଦ, ଅଯୋଧ୍ୟା, କବିତା ଧାଡି ବାହାରେ ପୁସ୍ତକ ମାଧ୍ୟମରେ ସେ ବିପୁଳ ପାଠକୀୟତା ଲାଭ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ଏହି କବି ନିଜ କବିତା ପାଇଁ ଯୁବକବି ସମ୍ମାନ ଲାଭ କରିବା ସହିତ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ମଧ୍ୟ ସୁବ୍ରତ ରଥ ସମ୍ମାନ ପାଇଛନ୍ତି।

ଚଳିତ ବର୍ଷ ଭୁବନେଶ୍ବର ଠାରେ ଆସନ୍ତା ନଭେମ୍ବର ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କବିଙ୍କ ସ୍ମୃତି ସମାରୋହରେ ତାଙ୍କୁ ଏହି ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂସଦର ସଂପାଦକ କୃଷ୍ଣ କୁମାର ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.