ଅସୀମ ବସୁଙ୍କ ୯୩ତମ ଜୟନ୍ତୀ ଅବସରରେ ଉଦଘାଟିତ ହେଲା “ଅସୀମ ଦା’ ଖଟି”

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରର ରବୀନ୍ଦ୍ର ମଣ୍ଡପ ସାମ୍ନା ଏକ ନିର୍ଦ୍ଦିଷ୍ଟ ସ୍ଥାନ ସମ୍ପ୍ରତି ‘ଅସୀମ୍ ଦା ଖଟି’ ଭାବେ ଉଦଘାଟିତ ହୋଇଯାଇଛି। ଏଇଠି ଏକଦା ବିଶିଷ୍ଟ ଚିତ୍ରଶିଳ୍ପୀ, ଲେଖକ, ମଞ୍ଚ କଳାକାର ଅସୀମ ବସୁ ବସୁଥିଲେ ଓ ବନ୍ଧୁମାନଙ୍କ ସହିତ ଖୁସି ଗପସପ ଓ ଆଡ୍ଡା ମାରୁଥିଲେ। ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏହି ଖଟି ଓଡ଼ିଆ ଲେଖକ ମହଲରେ ଏବେ ଖୁସି ଆଣି ଦେଇଛି।

ମଂଚ ଓ ଚଳଚ୍ଚିତ୍ରରେ କଳା ନିର୍ଦ୍ଦେଶନା, ଅକ୍ଷରକୁ ଛବି କରି ପାରିବାର ଦକ୍ଷତା ସହ ପୁସ୍ତକ ଓ ପତ୍ରପତ୍ରିକାର ପ୍ରଚ୍ଛଦ ଅଙ୍କନ, ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି, ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ଏବଂ ନାଟ୍ୟ ନିର୍ଦ୍ଦେଶନା ଆଦି କ୍ଷେତ୍ରରେ ଅସୀମ ବସୁ(ଅସୀମ ଦା’ ଭାବେ ପରିଚିତ)ଙ୍କ ଅବଦାନ ଓ ବିଶେଷତ୍ୱ ସର୍ବ ସ୍ୱୀକୃତ। ଏହା ବ୍ୟତୀତ ସେ ଜଣେ ସୁଖ୍ୟାତ ଲେଖକ ଓ ସ୍ତମ୍ଭକାର ମଧ୍ୟ।

ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ସମ୍ମୁଖ ଚା’ ଖଟିକୁ ସବୁଦିନ ଆସନ୍ତି ନାଟ୍ୟକାର, ଅଭିନେତା, ସାହିତ୍ୟିକ ଓ ଆହୁରି ଅନେକ ଜ୍ଞାନୀ ଗୁଣୀ ବ୍ୟକ୍ତି। ଏକଦା ଏଇ ଖଟିକୁ ନିୟମିତ ଆସୁଥିଲେ ଦିବଂଗତ ଚିତ୍ରଶିଳ୍ପୀ ଅସୀମ ବସୁ। ଏଇ ଖଟିକୁ ସେ ନିତି ଆସୁଥିଲେ, ବସୁଥିଲେ, ଚା’ ପିଉଥିଲେ, ନାଟକ, ସାହିତ୍ୟ ଓ କଳା ସମ୍ପର୍କରେ ଆଲୋଚନା ତଥା ଖଟି କରୁଥିଲେ। ଅସୀମ ବସୁଙ୍କ ତିରୋଧାନ ପରେ ଖଟିକୁ ଆସୁଥିବା ନିୟମିତ ଖଟିଆଳମାନେ ଖଟିକୁ ଅସୀମ ଦା’ଙ୍କୁ ଉତ୍ସର୍ଗ କରିଛନ୍ତି।

ଅସୀମ ଦା’ଙ୍କ ୯୩ତମ ଜୟନ୍ତୀ ଅବସରରେ ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ଅନୌପଚାରିକ ଉତ୍ସବରେ ଖଟିର ନୂଆ ନାମକରଣ କରାଯାଇଛି “ଅସୀମ ଦା’ ଖଟି”। ଏଇ ଖଟିରେ ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନାଙ୍କ ଦ୍ୱାରା ଅଙ୍କିତ ଅସୀମ ବସୁଙ୍କ ପୋଟ୍ରେଟକୁ ଆଜି ବହୁ ପରିଚିତ ଅସୀମ ପ୍ରେମୀମାନେ ଉପସ୍ଥିତ ରହି ଉନ୍ମୋଚନ କରିଥିଲେ। ଅସୀମ ବସୁ ଫାଉଣ୍ଡେସନର ସଭାପତି ରାମହରି ଜେନା ଓ ସମ୍ପାଦକ ପବିତ୍ର ମୋହନ କରଙ୍କ ଉପସ୍ଥିତିରେ ଅତିଥିମାନେ ଚିତ୍ର ଉନ୍ମୋଚନ କରିଥିଲେ।

ବିଶିଷ୍ଟ କବି କେଦାର ମିଶ୍ର, ସାମ୍ବାଦିକ ଦିଲ୍ଲୀପ ବିଶୋଇ, କପିଳାସ ଭୂୟାଁ, ଅସିତ ମହାନ୍ତି, ଭାସ୍ଵତୀ ବସୁ, ଅତସୀ ବସୁ, ଅମର ଜେନା, ଅସିତ୍ ମହାନ୍ତି, ପ୍ରସନ୍ନ ମିଶ୍ର, ରାହାସ ବିହାରୀ ବେହେରା, ହରେନ ସାହୁ , ବାଞ୍ଛାନିଧି ପଟ୍ଟନାୟକ ଆଦି ବହୁ ଅସୀମ ପ୍ରେମୀ ଏହି ସମାଗମରେ ଉପସ୍ଥିତ ଥିଲେ। ସମଗ୍ର ଓଡ଼ିଶାରେ ଜଣେ ସାହିତ୍ୟ ସଂସ୍କୃତି ଓ ନାଟକ ଚିତ୍ରକଳା ପ୍ରତି ଉତ୍ସର୍ଗୀକୃତ ବ୍ୟକ୍ତିତ୍ଵଙ୍କୁ ଏକ ଖଟି ଉଦଘାଟନ ହେବା ନିଆରା ଘଟଣା ପାଲଟିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.