ବିଶିଷ୍ଟ ଶିଶୁ ସାହିତ୍ୟିକ ଭାସ୍କର ଚନ୍ଦ୍ର ଦାସଙ୍କ ପରଲୋକ: ବାଲେଶ୍ଵରରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ଶିଶୁ ସାହିତ୍ୟିକ ଭାସ୍କର ଚନ୍ଦ୍ର ଦାସଙ୍କ ଆଜି ମେଘଡମ୍ବରୁସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ୮୩ ବର୍ଷ ବୟସ ହୋଇଥିବା ବେଳେ ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଆଜି ଦିନ ୨ ଘଟିକା ୩୦ ମିନିଟ୍ ସମୟରେ ହୃଦଘାତରେ ତାଙ୍କର ମୃତ୍ୟ ହୋଇଥିବା କଥା ପରିବାର ପକ୍ଷରୁ କୁହାଯାଇଛି। ମୃତ୍ୟୁ ବେଳକୁ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ କମଳ କୁମାରୀ ଦାସ, ବଡ ପୁଅ ତପନ ଓ ସାନ ପୁଅ ରଞ୍ଜନ, ବୋହୂ ମମତା ଓ କବିତା, ଝିଅ ରଞ୍ଜିତା, ସଞ୍ଜିତା, ପୁଷ୍ପିତା, ଜ୍ବାଇଁ ଗଜେନ୍ଦ୍ର, ଚିତ୍ତରଞ୍ଜନ ଓ ସୁଶାନ୍ତଙ୍କ ସମେତ ନାତିନାତୁଣୀମାନେ ଉପସ୍ଥିତ ଥିଲେ। ସ‌୍ବର୍ଗତ ଦାସ ଶିଶୁ କିଶୋର ପତ୍ରିକା ‘ଶିଶୁ ସାରଥୀ’ର ସମ୍ପାଦକ ରହିବା ସହ ନିଖିଳ ଓଡ଼ିଶା ଶିଶୁ ସାହିତ୍ୟ ଏକାଡେମୀର ସମ୍ପାଦକ ମଧ୍ୟ ଥିଲେ। ଶିଶୁ ସାହିତ୍ୟରେ ଲେଖନୀ ଚାଳନା କରି ସେ ନିଜର ପ୍ରସିଦ୍ଧି ଅର୍ଜନ କରିବା ସହ ଅନେକ ପୁରସ୍କାର ମଧ୍ୟ ଲାଭ କରିଥିଲେ। ଆଜି ସନ୍ଧ୍ୟାରେ ସ୍ଥାନୀୟ ନୁଣିଆଯୋଡି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ ପୁଅ ତପନ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟ ଖବର ପାଇ ଶେଷ ଦର୍ଶନ ନିମନ୍ତେ ଶିଶୁ ସାହିତ୍ୟିକ ପୀତାମ୍ବର ଦାସ, କମଲ ଦାସ, ରମେଶ ବେହେରା, ରେମୁଣା ବ୍ଲକ ଚେୟାରମେନ ରାଜେନ୍ଦ୍ର ରାଉତ, କୁରୁଡା ସରପଞ୍ଚ ତାପସ ପାଣିଗ୍ରାହୀ, ସମାଜସେବୀ ଆଦିତ୍ୟ ଚଣ୍ଡ, ଭଣଜା ସୁମନ୍ତ ପାତ୍ର, ପୁତୁରା ରାମକୃଷ୍ଣ ଦାସ, ହରେକୃଷ୍ଣ ଦାସ, କୁନା ଦାସ, ଭାଇ ଦିବାକର ଦାସ ଓ ନିଶାକର ଦାସ ପ୍ରମୁଖ ଉପସ୍ଥିତ ରହି ପୁଷ୍ପାର୍ଘ୍ୟ ଦେଇ ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ। ତାଙ୍କ ମୃତ୍ୟୁରେ ବାଲେଶ୍ଵର ଶିଶୁ ସାହିତ୍ୟ ମହଲରେ ଶୋକର ଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.