କଲବଲ କରୁଛି ମାଇକ୍ରୋଫାଇନାନ୍ସ ଋଣ ବୋଝ: ସ୍ବର୍ବସ୍ବାନ୍ତ ହୋଇ ଗାଁ ଛାଡୁଛନ୍ତି ଋଣୀ ପରିବାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ମାଇକ୍ରୋଫାଇନାନ୍ସ ଋଣ ବୋଝରେ ଅନେକ ଲୋକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ ଗାଁ ଗାଁ ବୁଲି ମହିଳା ଏସ୍ଏସଜିଗୁଡ଼ିକୁ ଋଣ ଦେଉଛନ୍ତି, ସରଳ ନିରୀହ ମହିଳାମାନେ କିଛି ନ ବୁଝି ସହଜରେ ଋଣ ମିଳୁଥିବାରୁ ଖୁସିରେ ଟଙ୍କା ଉଠାଇ ନେଉଛନ୍ତି। ସେହି ଟଙ୍କାକୁ ଘରୋଇ କାର୍ଯ୍ୟରେ ଖର୍ଚ୍ଚ କରି ଦେଉଛନ୍ତି। ଉଚ୍ଚ ସୁଧ ହାର ଯୋଗୁଁ ପରବର୍ତ୍ତୀ ସମୟରେ ମହିଳାମାନେ ଋଣ ପରିଶୋଧ କରି ନପାରି ହଇରାଣ ହରକତ ହେଉଛନ୍ତି।

ପରିଶୋଧ ପାଇଁ କମ୍ପାନିଗୁଡ଼ିକ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏଜେଣ୍ଟମାନେ ଘର ଦୁଆରେ ବସି ରହୁଛନ୍ତି। ଋଣୀଙ୍କୁ ନାନା କଥା କହି ଅପମାନିତ କରୁଛନ୍ତି। କିଛି ଲୋକ ଋଣ ପରିଶୋଧ ପାଇଁ ପୁଣି ଋଣ କରୁଥିବା ଜଣାଯାଇଛି। ଆଉ କିଛି ଋଣ ପରିଶୋଧ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ପୁଣି କେହି ଘରର ସୁନା, ଜମି ସବୁ ବନ୍ଧକ ଦେଇ ଋଣମୁକ୍ତ ହେଉଛନ୍ତି। ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗାଁର କିଛି ପରିବାର ଏହି ମାଇକ୍ରୋଫାଇନାନ୍ସ ସଂସ୍ଥାରୁ ଋଣ ନେଇ ପରିଶୋଧ କରି ନ ପାରି ଗାଁ ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି।

ଏଜେଣ୍ଟ ମାନେ ବିଭିନ୍ନ ପ୍ରକାର ମାଧ୍ୟମରେ ପ୍ରରୋଚିତ କରି ଗୋଷ୍ଠୀଋଣ (ଗ୍ରୁପ୍‌ଲୋନ) ପ୍ରଦାନ କରୁଛନ୍ତି। ପରେ ଅସୁଲି ସମୟରେ ଏମାନେ ଏମିତି ସୁଧ ନେଉଛନ୍ତି ଯେ ଏହାର ସୁଧହାରରେ ଗରିବ ପରିବାରଗୁଡ଼ିକ ସର୍ବସ୍ବାନ୍ତ ହୋଇଯାଉଛନ୍ତି। କେବଳ ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ଯଥେଷ୍ଟ କହି ଏଜେଣ୍ଟମାନେ ଋଣ ଗ୍ରହିତାଙ୍କୁ ପ୍ରଲୋଭିତ କରୁଛନ୍ତି।

ବ୍ୟାଙ୍କକୁ ଯାଇ ହଇରାଣ ହେବା ଅପେକ୍ଷା ଦୁଆର ମୁହଁରେ ଟଙ୍କା ମିଳୁଥିବାରୁ ସେମାନେ ମଧ୍ୟ ସୁବିଧାଜନକ ବୋଲି ଭାବୁଛନ୍ତି ମାତ୍ର ପରବର୍ତ୍ତୀ ସମୟରେ ଏହି ଏଜେଣ୍ଟମାନେ ସପ୍ତାହ ଓ ମାକ୍ଷିକ ହିସାବରେ ମୂଳସୁଧ ଅସୁଲି କରୁଛନ୍ତି। ଯେଉଁମାନେ ସାମାନ୍ୟ ସମୟ ଖିଲାପ କଲେ ମଧ୍ୟ ସେମାନଙ୍କ ଘରମୁହଁରେ ଜଗି ବସୁଛନ୍ତି।

ବର୍ତ୍ତମାନ ଖରିଫ ସମୟରେ ଅନେକ କୃଷି ଶ୍ରମିକ ପରିବାର ଚାଷ କାର୍ଯ୍ୟରେ ନିୟୋଜିତ ରହୁଛନ୍ତି। ମାତ୍ର ଏହି ଲଗାଣକାରୀ ସଂସ୍ଥାର ଏଜେଣ୍ଟମାନେ କୌଣସି କଥାକୁ ବିଚାର ନକରି ମହିଳାମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି। ଏଭଳି ସଂସ୍ଥାର କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.