ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଏକମାତ୍ର ଖେଳ ପଡିଆ ହାଇସ୍କୁଲ ଫିଲ୍ଡ ର ପରିସ୍ଥିତି ଏବେ ଦୟନୀୟ ହୋଇପଡିଛି। ମିନି ଷ୍ଟାଡିୟମର ମାନ୍ୟତା ପାଇ ସାରିଥିବା ପାଖାପାଖି ଦୁଇ ଏକର ପରିସୀମା ବିଶିଷ୍ଟ ଏହି ଖେଳ ପଡିଆଟି ଖାଲ ଖମାରରେ ଭରି ଯାଇଥିବାରୁ କ୍ରୀକେଟ ଏବଂ ଫୁଟବଲ ଖେଳିବା କିମ୍ବା ସକାଳୁ ପଡିଆକୁ ବ୍ୟାୟାମ କରିବା ପାଇଁ ଆସୁଥିବା ଯୁବକ ମାନେ ଅନେକ ସମୟରେ ଆଘାତ ପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି। ଖେଳ ପଡିଆଟି ଆଣ୍ଠୁଏ ଲେଖାଏଁ ଘାସରେ ଭରିଯିବା ସହ ସବୁବେଳେ ପାଣି ଜମିରହି କାଦୁଅ ପଚପଚ ହେଉଥିବା ଦେଖିବାକୁ ମିଳୁଛି। ନର୍ଲା ହାଇସ୍କୁଲ ପଡିଆ ନର୍ଲାର ଏକମାତ୍ର ପଡିଆ ଯେଉଁଠି କ୍ରୀଡା ବ୍ୟତିତ ମଧ୍ୟ ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମର ପାଇଁ ବ୍ୟବହୃତ ହୋଇଥାଏ। ତାହା ରାଜନୈତିକ କାର୍ଯ୍ୟକ୍ରମ ହେଉ, ମେଳା ମହୋତ୍ସବ ହେଉ, ସ୍ୱାଧିନତା ଦିବସ ଏବଂ ସାଧାରଣ ତନ୍ତ୍ର ଦିବସ ଭଳି କାର୍ଯ୍ୟକ୍ରମ ହେଉ ଏ ସମସ୍ତ କାର୍ଯ୍ୟକ୍ରମ ଏହି ପଡିଆରେ ଅନୁଷ୍ଠିତ ହୋଇଥାଏ। ହେଲେ ଏହା ଅଧିକାଂଶ ସମୟ ରାଜନୀତିକ କାର୍ଯ୍ୟକ୍ରମ ପାଇଁ ବିଶେଷ ଭାବରେ ବ୍ୟବହୃତ ହୋଇ ଆସୁଥିବାରୁ ପଡ଼ିଆଟି ଖାଲ ଖମାରରେ ଭରି ଯାଇଥିବା ଖେଳାଳି ମାନେ ମତ ବ୍ୟକ୍ତ କରିଛନ୍ତି। ବିଗତ ଦିନରେ ରାଜ୍ୟ ନବୀନ ସରକାରଙ୍କ ମୁଖ୍ୟ ପୁରୋଧା ପାଣ୍ଡିଆନ ମଧ୍ୟ ଆସି ଏଇଠି କାର୍ଯ୍ୟକ୍ରମ କରି ଯାଇଥିଲେ। ପଡିଆର ଉନ୍ନତି କରଣ ପାଇଁ ଘୋଷଣା ମଧ୍ୟ କରିଥିଲେ। ହେଲେ ଆଗରୁ ଯାହା ରହିଥିଲା ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳର ଗ୍ୟାଲେରୀ ଓ ଅଳ୍ପ ଉଚ୍ଚର ପାଚେରୀ କାନ୍ଥ ଯାହା ଭାଙ୍ଗିବାକୁ ବସିଲାଣି। କେବଳ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର-ଭବାନେଇପାଟଣା ତରଫରୁ ନିର୍ମିତ ଏକ ଇଣ୍ଡୋର ଷ୍ଟାଡିୟମ ଓ ଏକ ସଭା ମଞ୍ଚ ହିଁ ରହିଛି । ଏହି ପଡିଆଟିର ଚତୁଃପାର୍ଶ୍ୱରେ ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ, ମଧ୍ୟ ଇଂରାଜୀ ବିଦ୍ୟାଳୟ, ଯୁକ୍ତଦୁଇ କଲେଜ, ଭୋକେସନାଲ କଲେଜ ଓ ଡିଗ୍ରୀ ମହା ବିଦ୍ୟାଳୟ ରହିଛି। ଏହାବାଦ ଆଖପାଖରେ ରହିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ମାଉଣ୍ଟେନ କିଡ୍ସ ଇଂଲିସ ମିଡିୟମ ସ୍କୁଲର ଛାତ୍ରଛାତ୍ରୀ ମାନେ ବାର୍ଷିକ କ୍ରୀଡା ପାଇଁ ଏହି ପଡିଆଟି ଉପରେ ନିର୍ଭର କରିଥାନ୍ତି। ହେଲେ ନର୍ଲାର ଏହି ଏକମାତ୍ର ଖେଳ ପଡିଆ ପାଇଁ କାହିଁକି ଯେ ପ୍ରଶାସନ ଦରଦ ଦେଖାଉ ନାହିଁ, ମରାମତି କରୁନାହିଁ ତାହା ବୁଝାପଡୁନି। ମରାମତି ଅଭାବ ଯୋଗୁଁ ଖେଳାଳୀ ଏହି ପଡିଆ ପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏହା ଏବେ ସର୍ବମୋଟ ମାଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପଡିଆ ଚତୁପାର୍ଶ୍ୱ ବୋତଲ ମୟ ହୋଇ ପଡ଼ିଛି। ସନ୍ଧ୍ୟା ହେଲେ ମାଦୁଆଙ୍କ ଭିଡ଼ ଜମୁଛି ପଡ଼ିଆରେ। ଖୋଲା ପଡିଆ ଥିଲା। ଗାଈ ଗୋରୁ, ଛେଳି ମେଣ୍ଢା ଚରୁଥିଲେ। ପଡିଆରେ ଖାଲ ଖମାର ପାଇଁ ଗାଈ ଗୋରୁଙ୍କୁ ଦାୟୀ କରାଯାଉଥିଲା। ମୁଖ୍ୟ ଫାଟକ ବସିଯିବା ପରେ ତାହା ମଧ୍ୟ ବନ୍ଦ ହୋଇଗଲା। ହେଲେ ପଡିଆଟି ଉଚ୍ଚା ନିଚ୍ଚା ସହ ଖାଲ ଖମାରରେ ଭରି ଯାଇଥିବାରୁ ଖେଳାଳୀ ମାନେ ବାରମ୍ବାର ଆହତ ହେଉଥିବାରୁ ଏବେ ଏହି ପଡିଆରେ ଖେଳିବା ପାଇଁ ଏବଂ ଅଭ୍ୟାସ କରିବା ପାଇଁ ଭୟ କରୁଛନ୍ତି। ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ଖେଳ ପଡିଆ ନର୍ଲା ହାଇସ୍କୁଲ ଫିଲ୍ଡ ଏବେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ। ତତ୍କାଳୀନ ରାଜ୍ୟ ନବୀନ ସରକାରଙ୍କ ସମୟରେ ପଡିଆର ଉନ୍ନତି କରଣ ପାଇଁ ଆସିଥିବା ଟଙ୍କାକୁ ଠିକ ଭାବରେ ବିନିଯୋଗ ନକରି ବାଟମାରଣ କରାଯାଇଥିବା ନର୍ଲାର କେତେକ କ୍ରୀଡାବିତ ଅଭିଯୋଗ କରିବା ସହ ଏହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି। ଏବେ ରାଜ୍ୟ ସରକାର କ୍ରୀଡ଼ାକୁ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟର ସମସ୍ତ ବ୍ଲକ ହେଡ କ୍ୱାଟର୍ସର ଖେଳ ପଡିଆ ଗୁଡିକୁ ମିନି ଷ୍ଟାଡିୟମ କରିବା ପାଇଁ ୪୧୨୪ କୋଟି ଟଙ୍କା ଓଡିଶା କ୍ୟାବିନେଟ ମଞ୍ଜୁର କରିଛି। ହେଲେ ଦେଖାଯାଉ ମିନି ଷ୍ଟାଡିୟମର ମାନ୍ୟତା ପାଇଥିବା ନର୍ଲା ହାଇସ୍କୁଲ ପଡିଆର ସର୍ବାଙ୍ଗୀନ ବିକାଶ କେବେ ହେଉଛି??





