ଦୁର୍ଘଟଣାଗ୍ରସ୍ତ ଇନୋଭା କାର୍ ରୁ ଗଞ୍ଜେଇ ଜବତ

ଓଡ଼ିଆ ବାର୍ତ୍ତା/‎ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡୁମୁରନେଲି ଗ୍ରାମ ପଞ୍ଚାୟତର ଦଣ୍ଡାପଡା ଗ୍ରାମ ନିକଟରେ ଏକ ଗଞ୍ଜେଇ ବୋଝେଇ ଇନୋଭା କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡି ଡ୍ରାଇଭର ସାମନ୍ୟ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ଏକ ଇନୋଭା କାର୍ (ଏଚ୍ଆର୍୭୦ ବି୯୪୪୪) ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଜିଲ୍ଲାର ଗୁଡାରି ଥାନା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଗାଡ଼ି ଯାଞ୍ଚ ଚଳାଇଥିବା ବେଳେ ଉକ୍ତ ଇନୋଭା କାର୍‌କୁ ଅଟକାଇବାରୁ ଗାଡି ଡ୍ରାଇଭର ଗାଡିଟିକୁ ଦ୍ରୁତ ଗତିରେ ନେଇ ସେଠାରୁ ଚମ୍ପଟ ମାରିଥିଲା। ଫଳରେ ଗୁଡାରି ପୁଲିସ ସନ୍ଦେହ ଦୃଢିଭୂତ ହେବାରୁ ଗୁଡ଼ାରୀ ଥାନା ଅଧିକାରୀ ସମର୍ପିତା ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍‌ର ଏକ ଟିମ୍ ଇନୋଭାର ପିଛା କରିଥିଲେ | ଗାଡ଼ିଟି ବିଷମ କଟକ ଥାନା ଅଞ୍ଚଳରେ ପ୍ରବେଶ କରିଥିବାରୁ ବିଷମ କଟକ ପୁଲିସ୍ ସହ ଯୋଗାଯୋଗ କରିଥିଲେ ଗୁଡ଼ାରୀ ପୋଲିସ । ଗାଡ଼ିଟି ଦୁର୍ଗୀ ଗ୍ରାମ ପାର କରି ଡୁମୁରନେଲି ଗ୍ରାମପଞ୍ଚାୟତ ରାସ୍ତାରେ ଯାଉଥିବା ବେଳେ ଦଣ୍ଡାପଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ଡ୍ରେନ୍‌ରେ ଫସି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଗାଡି ଡ୍ରାଇଭର ସାମନ୍ୟ ଆହତ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିବା ସହ ଗାଡି ଟିକୁ ଜବତ କରିଛି। ଡ୍ରାଇଭରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥ‌ିବା ବେଳେ ଗାଡିରେ ଗଞ୍ଜେଇ ରହିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡିକୁ ବିଷମ କଟକ ପୋଲିସ୍ ଉଦ୍ଧାର କରି ବିଷମ କଟକ ଥାନାକୁ ଆଣି ଏକ ଗଞ୍ଜେଇ ଚୋରା ଚାଲାଣ ମାମଲା ରୁଜୁ କରିଥିବା ଜଣାପଡିଛି। ମାଜିଷ୍ଟ୍ରେଟ ଉପସ୍ଥିତିରେ ଗାଡିରୁ ଗଞ୍ଜେଇ ବାହାର କରି ଓଜନ କରାଯିବା ପରେ କେତେ ପରିମାଣ ଗଞ୍ଜେଇ ରହିଛି ଏବଂ ଏହି ଗଞ୍ଜେଇ କେଉଁ ଠାରୁ କେଉଁ ସ୍ଥାନକୁ ଯାଉଥିଲା ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଆହତ ଡ୍ରାଇଭରକୁ ଜେରା କରିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ପ୍ରତକ୍ଷଦର୍ଶିଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗାଡ଼ିରେ ଆନୁମାନିକ ୫ ଲକ୍ଷ ଟଙ୍କାର ୫୦କେଜିରୁ ଅଧୂକ ଗଞ୍ଜେଇ ଚୋରା ଚାଲାଣ ହେଉଥ‌ିବା ଶୁଣିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.