‘ଭାଷା, ସାହିତ୍ୟର ସମୃଦ୍ଧିରେ ଅନୁବାଦର ଭୂମିକା ଗୁରୁତ୍ବପୂର୍ଣ୍ଣ’
ଓଡ଼ିଆ ବାର୍ତ୍ତା/ କୋଲକାତା: କେନ୍ଦ୍ର ସାହିତ୍ୟ ଏକୋଡମୀର ଅନୁବାଦ ପୁରସ୍କାର ପ୍ରଦାନ ସମୋରାହ ସ୍ଥାନୀୟ ଜାତୀୟ ଗ୍ରନ୍ଥାଗାର ସ୍ଥିତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାଷା ଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲେକ୍ଷ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିବା ପୂର୍ବକ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ।
ଡକ୍ଟର କୌଶିକ କହିଥିଲେ ଯେ ଭାରତୀୟ ସାହିତ୍ୟରେ ଅନୁବାଦ ବିଭାଗ ଖୁବ ସମୃଦ୍ଧ। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ବିଦ୍ୱାନ ପ୍ରଫେସର ସୁକାନ୍ତ ଚୌଧୁରୀ ଯୋଗ ଦେଇଥିଲେ। ସେ କହିଥିଲେ ଯେ ଭାଷା ଓ ସାହିତ୍ୟର ସମୃଦ୍ଧିରେ ଅନୁବାଦର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଭାଷା ସହିତ ଆଉ ଗୋଟିଏ ଭାଷା ମଧ୍ୟରେ ଏକ ସେତୁ ଭଳି କାମ କରିଥାଏ ଅନୁବାଦ। ତେଣୁ ଅନୁବାଦ କାର୍ଯ୍ୟ ସମ୍ପାଦନ କଲାବେଳେ ଅନୁବାଦକମାନେ ଖୁବ୍ ସତର୍କ ଓ ସଚେତନ ହେବା ଆବଶ୍ୟକ। ସାରା ଦେଶକୁ ଯୋଡିଥାଏ ଅନୁବାଦ କାର୍ଯ୍ୟ।
ସାହିତ୍ୟ ଏକାଡେମୀର ଉପାଧ୍ୟକ୍ଷ ପ୍ରଫେସର କୁମୁଦ ଶର୍ମା ସମାପନୀ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀର ଉପାଧ୍ୟକ୍ଷା ପ୍ରଫେସର କୁମୁଦ ଶର୍ମା। ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ପୁରସ୍କାରର ମାନପତ୍ର ପାଠ କରିଥିେଳ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ। ପ୍ରାରମ୍ଭରେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୋବନ୍ତି ବନ୍ଦୋପାଧ୍ୟାୟ।
ଅନୁବାଦ ପୁରସ୍କାର ଗ୍ରହଣ କରିଥିଲେ ଅଞ୍ଜନ ଶର୍ମା (ଅହମିୟା), ବାସୁଦେବ ଦାସ (ବଙ୍ଗଳା), ଉତ୍ତରା ବିସୁମୁଥିଆରି (ବୋଡୋ), ଅର୍ଚ୍ଚନା କେସର (ଡୋଗ୍ରି), ଅନିସୁର ରହମାନ (ଇଂରାଜୀ), ରମଣିକ ଅଗ୍ରାୱତ (ଗୁଜୁରାଟୀ), ମଦନ ସୋନି (ହିନ୍ଦୀ), ସିଦ୍ଧଲିଙ୍ଗ ପତ୍ତନସେଟ୍ଟି (କନ୍ନଡ), ମିଲିନ୍ଦ ମହାମଲ (କୋଙ୍କଣୀ), କେଶକର ଠାକୁର (ମୈଥିଳି), କେ. କୁମାରନ୍ (ମାଲୟାଲମ୍), ସୋଏବାମଚା ଇନ୍ଦ୍ରକୁମାର (ମଣିପୁରୀ), ସୁଦର୍ଶନ ଅଠାବଲେ (ମରାଠୀ), ଅମର ବାନିଆ ‘ଲୋହୋରୋ (ନେପାଳୀ), ସୁଭାଷ ଚନ୍ଦ୍ର ଶତପଥି (ଓଡିଆ), ସୋହାନ୍ଦନ ଚାରଣ (ରାଜସ୍ଥାନୀ), ସୋମନାଥ ଦାଶ (ସଂସ୍କୃତ) ସ୍ବର୍ଗତ ଶୋଭା ଲାଲଚାନ୍ଦନୀ (ସିନ୍ଧି), ପି ବିମଳା (ତାମିଲ), ତୁର୍ଲାପାଟୀ ରାଜେଶ୍ୱରୀ (ତେଲୁଗୁ)।
ଗୁଲାମ ନବୀ ଆତସ (କାଶ୍ମୀରୀ) ଅନୁପସ୍ଥିତ ଥିଲେ ଏବଂ ଚନ୍ଦନ ନେଗି (ପଞ୍ଜାବୀ)ଙ୍କ ପୁରସ୍କାର ତାଙ୍କ କନ୍ୟା ଅରବିନ୍ଦର ଘାଇ ଗ୍ରହଣ କରିଥିଲେ। ସିନ୍ଧୀ ଭାଷାର ପୁରସ୍କୃତ ଲେଖିକାଙ୍କର ଦେହାନ୍ତ ହୋଇଯାଇଥିଲା। ଉର୍ଦୁ ଭାଷାରେ ଏଥର କାହାରିକୁ ପୁରସ୍କାର ଦିଆଯାଇନାହିଁ।

ଶନିବାର ସକାଳ ୧୦ ଟାରେ ସାହିତ୍ୟ ଏକାଡେମୀ କାର୍ଯ୍ୟାଳୟ ସ୍ଥିତ ପ୍ରେକ୍ଷାଳୟରେ ଅନୁବାଦକ ସମ୍ମିଳନୀ ଆୟୋଜିତ ହେବ। ସାହିତ୍ୟ ଏକାଡେମୀର ଉପାଧ୍ୟକ୍ଷ ପ୍ରଫେସର କୁମୁଦ ଶର୍ମା ଅନୁବାଦକ ସମ୍ମିଳନୀର ଅଧ୍ୟକ୍ଷତା କରିବେ ଯେଉଁଠାରେ ପୁରସ୍କାର ବିଜେତାମାନେ ଅନୁବାଦକ ଭାବରେ ସେମାନଙ୍କର ଯାତ୍ରା ଏବଂ ଅନୁବାଦର ସୃଜନଶୀଳ ପ୍ରକ୍ରିୟା ବିଷୟରେ ଆଲୋଚନା କରିବେ।

ଏଥର ଓଡିଶାର ତିନି ଜଣ ଅନୁବାଦକ ସାହିତ୍ୟ ଏକାଡେମୀର ଅନୁବାଦ ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା ପାଇଁ ସୁଭାଷ ଚନ୍ଦ୍ର ଶତପଥୀ, ସଂସ୍କୃତ ପାଇଁ ସୋମନାଥ ଦାଶ ଏବଂ ତେଳୁଗୁ ଭାଷା ପାଇଁ ବ୍ରହ୍ମପୁର ନିବାସୀ ତୁର୍ଲାପାଟୀ ରାଜେଶ୍ବରୀ ପୁରସ୍କୃତ ହୋଇଛନ୍ତି। ଏହି ପୁରସ୍କାର ସମାରୋହରେ ବିଭିନ୍ନ ଭାରତୀୟ ଭାଷାର ଲେଖକ ଲେଖିକା ଯୋଗ ଦେଇଥିଲେ।





