ଅସହାୟ ବରିଷ୍ଠ ନାଗରିକଙ୍କୁ ସହଯୋଗର ହାତ ବଢାଇଲା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ 

ଓଡ଼ିଆ ବାର୍ତ୍ତା/ ମୁରିବାହାଲ: ରୋଗାକ୍ରାନ୍ତ ଜଣେ ବରିଷ୍ଠ ନାଗରିକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର କାର୍ଯ୍ୟକର୍ତ୍ତା। ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ପ୍ରୟାସ କ୍ରମେ ଜଣେ ବୃଦ୍ଧ ଚିକିତ୍ସିତ ହୋଇ ବଞ୍ଚିବାର ନୂତନ ରାହା ପାଇ ପାରିଛନ୍ତି। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତୁପାଉଡ଼ାର ପଞ୍ଚାୟତ ସାଲେଭଟା ଗାଁକୁ ଜଣେ ଅଜଣା ବ୍ୟକ୍ତି (ବୟସ ଆନୁମାନିକ ୭୦) ୧୫ ଦିନହେଲା ଆସି ରହିଯାଇଥିଲେ। ସେ ଅଜଣା ରୋଗରେ ପୀଡିତ ଥିବାସହ ତାଙ୍କ ଗୋଡରେ ଭୟଙ୍କର ଘା’ ହୋଇ ଯାଇଥିଲା। ସେ କଷ୍ଟ ଭୋଗୁଥିବା ଦେଖି ଗାଁ ଲୋକେ ମୁରିବାହାଲ ପ୍ରଶାସନକୁ ଜଣାଇଥିଲେ। କିନ୍ତୁ ସାହାଯ୍ୟ ମିଳିପାରି ନଥିଲା। ଏହି ଖବର ପାଇ ଗାଁକୁ ପହଞ୍ଚି ଥିଲେ ପଶ୍ଚିମ ଓଡିଶା ଯୁବା ମଞ୍ଚର ବଲାଙ୍ଗୀର ଜିଲ୍ଲା ସଭାପତି ଜୟନ୍ତ କୁମାର ସାହୁ ଏବଂ ତାଙ୍କ ଟିମ। ସେମାନେ ସଂପୃକ୍ତ ବୃଦ୍ଧଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ନେଇ ଭର୍ତ୍ତି କରି ଚିକିତ୍ସାର ବନ୍ଦୋବସ୍ତ କରିଥିଲେ। ବୃଦ୍ଧ ଜଣକ ସଂପୂର୍ଣ୍ଣ ଆରୋଗ୍ୟ ହେବାପରେ ତାଙ୍କର ଥଇଥାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପଶ୍ଚିମ ଓଡିଶା ଯୁବା ମଞ୍ଚର ଜିଲ୍ଲା ସଭାପତି ଜୟନ୍ତ ସାହୁ କହିଛନ୍ତି। ଏହି ମହତ୍ କାମରେ ରଞ୍ଜନ ବଗର୍ତ୍ତୀ, ସାହିଲ ଖାନ, ମୋହନ ସାହୁ, ଜନ୍ମଜ୍ ଛୁରାଙ୍କ ସମେତ ଗାଁର ୱାର୍ଡ ମେମ୍ବର ରାଜୁ ବାଗ ସହଯୋଗ କରିଥିଲେ। ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଏହି ମହାନ କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.