ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତିରେ ଆଜି ସ୍ଥାନୀୟ ରାଜାବଗିଚା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ‘ଭଲ କବିତାର ଖୋଜ୍’ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ‘ଭଲ କବିତାର ଖୋଜ୍’ର ଅନ୍ୟତମ ଆବାହକ କବି କୃଷ୍ଣ କୁମାର ମହାନ୍ତି କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସମ୍ପର୍କରେ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ କବିଙ୍କ କବିତା ପାଠ କରିଥିଲେ। ଏହି ସ୍ମୃତି ସଭାରେ ସଭାପତିତ୍ବ କରି ଶ୍ରୀ ମହାନ୍ତି କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଶୈଳୀ ଓ ଭିନ୍ନତା ବିଷୟରେ ଆଲୋଚନା କରିଥିଲେ। ଶବ୍ଦ ନିର୍ମାଣର ଜଣେ ଅସାଧାରଣ ଶିଳ୍ପୀ ଥିଲେ କବି ରାଜେନ୍ଦ୍ର ପଣ୍ଡା। ‘ଭଲ କବିତାର ଖୋଜ୍’ ପକ୍ଷରୁ କବି ଉତ୍ପଳ ମହାନ୍ତି ଏହି ଅବସରରେ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ କବି ପ୍ରଶାନ୍ତ ଦାସ, ଗଙ୍ଗାଧର ବିଶ୍ୱାଳ, ଅଭୟ ଦାସ, ଶୁଭେନ୍ଦୁ ଦାସ, ସିତାଂଶୁ ଲେଙ୍କା, ରଞ୍ଜନ ବାଗ, ଦୀପିକା ସେନାପତି, ଶୁଭଶ୍ରୀ ଦାଶ, ଦେବଯାନୀ ଦାସ, ପ୍ରୀତିଲେଖା ଦାସ୍, କମଳିନୀ କାସ୍ତ, ମଧୁସୂଦନ ମିଶ୍ର, ହିମାଂଶୁ ଦାସ, ଉତ୍ପଳ ମହାନ୍ତି ଓ କୃଷ୍ଣ କୁମାର ମହାନ୍ତି ନିଜ ନିଜର କବିତା ଆବୃତ୍ତି କରିଥିଲେ। ଶେଷରେ ଉତ୍ପଳ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।





