ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଶୁକ୍ରବାର ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇ ନର୍ଲା ଚାରିଛକରେ ଏକ ଗାଇ ମରି ପଡିଥିଲା। ତାପରଦିନ ସକାଳେ ଏହା ଦୁର୍ଗନ୍ଧ ହେବା ଆରମ୍ଭ ହୋଇଥିଲା। ଚାରିଛକକୁ ଚା ପିଇବା ପାଇଁ ଆସିଥିବା ନର୍ଲାର ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ସରୋଜ କୁମାର ସାହୁ ସକାଳେ ଏନେଇ ଅଗ୍ନିଶମ ବିଭାଗ ହେଲ୍ପ ଲାଇନ ନମ୍ବର ୧୦୨ ଓ ୧୧୨ କୁ ଫୋନ କରି ଜଣାଇଥିଲେ। ଏହାର ଜବାବରେ ତୁରନ୍ତ ପଦକ୍ଷେପ ନିଆଯାଉଛି କହିଥିଲେ ସେଠାକାର ଅଧିକାରୀ ଜଣକ। ହେଲ୍ପଲାଇନ ନମ୍ବରରୁ ଫୋନ ହେବାରୁ ଏହାପରେ ନର୍ଲା ପୋଲିସ ତରଫରୁ ମଧ୍ୟ ଆଇନଜୀବିଙ୍କୁ ଫୋନ କରି ସମସ୍ତ ବିଷୟ ପଚାରି ବୁଝିଥିଲେ। ଏହାପରେ ପୂର୍ବାହ୍ନ ୧୧ ଟା ବେଳେ ହେଲ୍ପଲାଇନ ନମ୍ବରରୁ ଫୋନ ଆସିଲା ଆଇନଜୀବୀଙ୍କୁ ଯେ ମୃତ ଗାଈ ଟିକୁ ରାସ୍ତା ଉପରୁ କାଢି ଦିଆଯାଇଛି ବୋଲି ହେଲେ, ଏହା ପ୍ରଶାସନ ମିଥ୍ୟା କଥା କହିଥିଲା। କାରଣ ମୃତ ଗାଈଟିକୁ ନା’ ନର୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ନା’ ପୋଲିସ କେହି ମଧ୍ୟ ଛକ ମଧ୍ୟସ୍ଥ ରାସ୍ତାରୁ କାଢି ନଥିଲେ। ପ୍ରଶାସନ ତରଫରୁ ଏ କାମ କେହି ନକରି ମିଛ କହିବା ଦେଖି ଶେଷରେ ନର୍ଲା ଶିଶୁ ମନ୍ଦିରରେ ପ୍ରାଥମିକ ବର୍ଗର ୩ ଦିନିଆ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିବା ଖଣ୍ଡ ବୌଧିକ ପ୍ରମୁଖ ଅଜୟ କୁମାର ନାଏକଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ କର୍ମକର୍ତ୍ତା ତଥା ନର୍ଲା ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ, ସମୀର ରଞ୍ଜନ ନାଏକ ପ୍ରମୁଖ ମୃତ ଗାଇଟିକୁ ଚାଛକରୁ କାଢି ଅଜୟ କୁମାର ନାଏକଙ୍କ ନିଜସ୍ୱ ଟ୍ରାକ୍ଟରରେ ବୋହି ନଦୀପଠାକୁ ନେଇ ପୋତିଥିଲେ। ନର୍ଲାର ବ୍ୟସ୍ତ ବହୁଳ ଛକ ହେଉଛି ନର୍ଲା ଶିଶୁ ମନ୍ଦିର ଛକ ବା ଚାରିଛକ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦୁର୍ଘଟଣା ଗ୍ରସ୍ତ ଗାଈଟିର ମୃତଦେହ ୧୮ ଘଣ୍ଟା ପଡିରହି ଦୁର୍ଗନ୍ଧ ହେଉଥିଲା। ଟୋଲଫ୍ରି ନମ୍ବରରେ ଖବର ପାଇଁ ନର୍ଲା ଅଗ୍ନିଶମ ବିଭାଗ ଓ ନର୍ଲା ପୋଲିସ ଜାଣିଥିଲେ ସୁଦ୍ଧା ସମାଜସେବୀ ଆଇନଜୀବୀ ଶ୍ରୀ ସାହୁଙ୍କୁ ମିଛ କହିଥିଲେ ବିଭାଗୀୟ ଅଧିକାରୀ ମାନେ। ହେଲେ ଶେଷରେ ପ୍ରଶାସନର ଅବହେଳାକୁ ଦେଖି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା ମାନେ ମୃତ ଗାଈକୁ ରାସ୍ତାରୁ ଉଠାଇଲେ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା ମାନଙ୍କ ଏତାଦୃଶା କାର୍ଯ୍ୟକୁ ଦେଖି ନର୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଥିବା ଶୁଣିବାକୁ ମିଳୁଛି।





