ନୂଆପଡ଼ା ଉପନିର୍ବାଚନରେ ସମାଜବାଦୀ ପାର୍ଟିକୁ ନେଇ ଚର୍ଚ୍ଚା

ଅଖିଳେଶ ଆସିବା ପରେ ବଦଳିପାରେ ସମିକରଣ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ସରଗରମ ରହିଛି ନୂଆପଡ଼ା ରାଜନୀତି। ବିଶେଷକରି ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡିର ଅନେକ ହେବିଓ୍ବେଟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହା ସହ ରାଜ୍ୟ ଓ ଜାତୀୟ ସ୍ତରର ଅନେକ ନେତା ନୂଆପଡ଼ାରେ ଦୀର୍ଘ ଦିନ ହେଲା ଡେରା ପକାଇଛନ୍ତି। ରୋଚକ ମୋଡରେ ପହଞ୍ଚିଛି ନୂଆପଡ଼ା ରାଜନୀତି। ଆସନ୍ତା ନଭେମ୍ବର ୧୧ ରେ ହେବ ମତଦାନ। ୯ ତାରିଖ ପ୍ରଚାରର ଶେଷ ଦିନ। ଏହିଦିନ ନୂଆପଡ଼ା ଆସି ଦଳୀୟ ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂଆପଡ଼ା ରାଜନୀତିରେ ଏହାକୁ ନେଇ ଦେଖାଦେଇଛି ହଟଚମଟ। ରାସ୍ତାଘାଟ, ଚା ପାନ ଦୋକାନରେ ସମାଜବାଦୀ ପାର୍ଟିକୁ ନେଇ ଜୋର୍ ଧରିଛି ଆଲୋଚନା। ଅଖିଳେଶ ଯାଦବ ପିଡିଏ ନାରା ଦେଇ ବିହାର ନିର୍ବାଚନରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ପ୍ରଚାରର ଶେଷ ଦିନରେ ଆସି ପହଞ୍ଚିବେ ନୂଆପଡ଼ା। ଏପଟେ ପଛୁଆବର୍ଗ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ ଉପରେ ରହିଛି ସମାଜବାଦୀ ପାର୍ଟିର ନଜର। ତେଣୁ ନୂଆପଡ଼ା ରାଜନୀତିରେ ସମାଜବାଦୀ ପାର୍ଟି ମଧ୍ୟ ନିର୍ଣ୍ଣାୟକ ଭୂମିକାରେ ରହିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ, ସମାଜବାଦୀ ପାର୍ଟି ପ୍ରାର୍ଥୀ ରମାକାନ୍ତ ହାତୀ, ଓଡ଼ିଶା ଜନତା ପାର୍ଟି ପ୍ରାର୍ଥୀ ଶୁକଧର ଦଣ୍ଡସେନା ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ଆଶ୍ରୟ ମହାନନ୍ଦ, କିଶୋର କୁମାର ବାଗ, ଚକ୍ରାନ୍ତ ଜେନା, ନିତା ବାଗ, ଭକ୍ତବନ୍ଧୁ ଧରୁଆ, ଭୁବନଲାଲ ସାହୁ, ହେମନ୍ତ ତାଣ୍ଡି, ଲକ୍ଷ୍ମୀକାନ୍ତ ତାଣ୍ଡି ଓ ଲୋଚନ ସିଂ ମାଝୀ ଲଢେଇ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.