କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦଘାଟିତ

“କୃତ୍ରିମ ଶିକ୍ଷକ ପ୍ରକୃତ ଶିକ୍ଷକର ସ୍ଥାନ ନେଇ ପାରିବ ନାହିଁ”

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜିର ଯୁଗ ଡିଜିଟାଲ ଯୁଗ, କୃତ୍ରିମ ବୁଦ୍ଧିମତ୍ତାର ଯୁଗ। ହାତ ପାଅନ୍ତାରେ, ମୋବାଇଲ ଟିପରେ ସାରା ବ୍ରହ୍ମାଣ୍ଡର ଜ୍ଞାନ। ତଥାପି ମୋବାଇଲ ବା କମ୍ପ୍ୟୁଟର ଆମକୁ ସାମଗ୍ରିକ ଶିକ୍ଷା ଦେବା ସମ୍ଭବ ନୁହେଁ। ଶିକ୍ଷକଟିଏ କେବେ ମୋବାଇଲର ବିକଳ୍ପ ନୁହେଁ, ଶିକ୍ଷକ ହେଉଛି ଜ୍ଞାନର ଏକମାତ୍ର ବିକଳ୍ପ। କୃତ୍ରିମ ଶିକ୍ଷକ ପ୍ରକୃତ ଶିକ୍ଷକର ସ୍ଥାନ ନେଇ ପାରିବ ନାହିଁ। ତେଣୁ ଗୁରୁ ଚିର ନମସ୍ୟ ବୋଲି କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି-୨୦୨୫ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ମତପ୍ରକାଶ କରିଛନ୍ତି।

ଭବାନୀପାଟଣା ସହରସ୍ଥ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି-୨୦୨୫ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ସ୍ଵତନ୍ତ୍ର ଅତିଥି ଭାବେ ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ-ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନି, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ସମଗ୍ର ଶିକ୍ଷାର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଆୟୋଜକ ବିଦ୍ୟାଳୟର ଛାତ୍ରୀ ଜୁଲି ସାହୁ ଓ ନିତୁ ବେହେରା ସ୍ୱାଗତ ଅଭିବ୍ୟକ୍ତି ପ୍ରଦାନ କରିଥିବା ବେଳେ ଶ୍ରୀୟାଶ୍ରୀ ପଟ୍ଟନାୟକ ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ। ତଳବେଲଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷକ ନୀଳାଞ୍ଚଳ ପାନଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ସିଆରସିସି ଡିଲେଶ୍ୱର ରଣା ସଭା ପରିଚାଳନା କରିଥିଲେ।

ଏଥିରେ ଜିଲ୍ଲା ଅନ୍ତର୍ଗତ ୧୩ଟି ବ୍ଲକରୁ ପ୍ରଥମ ହୋଇ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଣ୍ଠ ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା, ବିତର୍କ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ୍, ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଜାରି ରହିଛି।

କାର୍ଯ୍ୟକ୍ରମରେ ଆୟୋଜକ କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଡିପିସି ଓ ଡିଇଓ ଅଫିସର ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି। ଅପରାହ୍ନରେ ପୁରସ୍କାର ବିତରଣୀ ତଥା ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.