ଅଜଣା ରୋଗରେ ପିଡୀତ ସସ୍ମିତାଙ୍କ ଘଟଣା: ଉଦ୍ଧାର ପରେ ତୁରନ୍ତ ଆରମ୍ଭ ହେଲା ଚିକିତ୍ସା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଜଣା ରୋଗରେ ପୀଡ଼ିତ ହୋଇ ଦୀର୍ଘ ଦିନ ଧରି ଯନ୍ତ୍ରଣା ଭୋଗୁଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଦୋରାସାର୍ଲି ଗାଁର ସସ୍ମିତା ସାହୁଙ୍କୁ ଶେଷରେ ଉଦ୍ଧାର କରାଯାଇଛି। ସସ୍ମିତାଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ଶଲ୍ୟ ଚିକିତ୍ସକ ଡା. ସୁନୀଲ କର ଦେବଦୂତ ଭାବେ ଆଗେଇ ଆସିବା ସହିତ ତାଙ୍କ ଚିକିତ୍ସା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହାପରେ ତାଙ୍କ ଆଗ୍ରହ କ୍ରମେ ସସ୍ମିତାଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏ ଦିଗରେ ଆଗକୁ ଆସି ସାମ୍ବାଦିକ ସୁଶୀଲ କୁମାର ବାଗ ତୁଳସୀରାମ ପ୍ରଧାନୀ, ଦିଲୀପ ନାଏକ, ମନୋଜ ଦୋରା ପ୍ରମୁଖ ସସ୍ମିତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ଯୋଗାଯୋଗ ପରେ ବେଦାନ୍ତ କର୍ତ୍ତୃପକ୍ଷ ଏକ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ। ଶେଷରେ ସମସ୍ତଙ୍କ ଉଦ୍ୟମରେ ଶନିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହିଳା ଶଲ୍ୟ ଚିକିତ୍ସା ବିଭାଗରେ ସସ୍ମିତାଙ୍କୁ ଭର୍ତ୍ତି କରାଯାଇଥିବାବେଳେ ଡା. କରଙ୍କ ପ୍ରମୁଖ ତତ୍ୱାବଧାନରେ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି। ସେହିପରି ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ନାଏବ ସରପଞ୍ଚ ବୈଦ୍ୟନାଥ ନାଏକ ପ୍ରମୁଖ କ୍ରାଉଡ଼ ଫଣ୍ଡିଂ ଜରିଆରେ ଦଶ ହଜାର ଟଙ୍କା ସଂଗ୍ରହ କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି। ବର୍ତ୍ତମାନ ଡା. କର ସସ୍ମିତାର ଚିକିତ୍ସା ଦାୟିତ୍ୱ ନିଜେ ନେଇଥିବାବେଳେ ସସ୍ମିତାଙ୍କ ପରିବାର ଡା. କରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଏହି ମାନବିକତାପୂର୍ଣ୍ଣ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.