ବିଶ୍ୱନାଥପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଆଜି କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ଯୋଗଦେଇ ଲୋକଙ୍କ ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ଦାସ, କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ସମ୍ବିତ କୁମାର ମାଝୀଙ୍କ ସହିତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ସେହିପରି ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଡିଓ ଶଶାଙ୍କ ପାତ୍ର, ତହସିଲଦାର ବନମାଳୀ ମେହେର, ସହକାରୀ ନିର୍ବାହୀ ଅଧିକାରୀ ସୁବାସ ବେହେରା, ବ୍ଲକ ଯୋଗାଣ ଅଧିକାରୀ ଦିଲୀପ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କ ସମେତ ସମସ୍ତ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଲୋକେ ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ, ଟେଲିସେବା, ଭତ୍ତା, ଆବାସ ଯୋଜନା ସମ୍ପର୍କିତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ। ବ୍ଲକ ଅଞ୍ଚଳର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା, ବିଳମ୍ବିତ କାର୍ଯ୍ୟ, ରକ୍ଷଣାବେକ୍ଷଣରେ ଅବହେଳା ସମ୍ପର୍କରେ ଅଭିଯୋଗ ହୋଇଥିଲା। ଗ୍ରାମାଞ୍ଚଳରେ ଦେଶୀ ଓ ବିଦେଶୀ ମଦ କୁଟୀରଶିଳ୍ପ ପାଲଟିଥିବା ନେଇ ଲୋକେ ଅଭିଯୋଗ କରିଥିଲେ। ସେହିପରି କାର୍ଯ୍ୟକ୍ଷେତ୍ରରେ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇଦେବା ଓ ପୁଲିସ-ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମ୍ମନ୍ୱୟ ରକ୍ଷା କରିବା ଉପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଲାଞ୍ଜିଗଡ଼ ପ୍ରେସ କ୍ଳବର ଉପଦେଷ୍ଟା କୈଳାସ ସାହୁ ଓ ସଭାପତି ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ସାମ୍ବାଦିକମାନେ ତାଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ସମୁଦାୟ ୧୦୭ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ତେବେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହଶହ ଅଭିଯୋଗ ଗ୍ରହଣ କରାଯାଉଥିବାବେଳେ ସେସବୁର ସମାଧାନରେ ଅହେତୁକ ବିଳମ୍ବ ହେଉଥିବା ନେଇ ମଧ୍ୟ ଅଭିଯୋଗ ଶୁଣାଣିରେ ପ୍ରଶ୍ନ ଉଠିଥିଲା। ଏନେଇ ଜିଲ୍ଲାପାଳ ନିଜର ମତ ରଖି ଜନଶୁଣାଣି ପୋର୍ଟାଲ ଜରିଆରେ ସମସ୍ତ ସୂଚନା ଉପଲବ୍ଧ କରାଯାଉଥିବା ନେଇ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.