ବିଭିନ୍ନ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଓ ପଞ୍ଚାୟତ ପିଡ଼ିଏସ ତଦାରଖ କଲେ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁସିତ ଲାଞ୍ଜିଗଡ଼ ବ୍ଲକ ଏକ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଏହି ବ୍ଲକରେ ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ବିଭିନ୍ନ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟର ସମୀକ୍ଷା ପାଇଁ ଜିଲ୍ଲା ଏବଂ ରାଜ୍ୟ ସ୍ତରରୁ ଅନେକ ପଦାଧିକାରୀ ଆସୁଥିବା ବେଳେ ଆଜି ରାଜ୍ୟ ଫୁଡ୍ କମିଶନ ସଦସ୍ୟ ଦେବାଶିଷ ଦାସ ଓ ଅକ୍ଷୟ କୁମାର ବେହେରା ଲାଞ୍ଜିଗଡ଼ ବ୍ଲକକୁ ଦିନିକିଆ ଗସ୍ତ କରି ଅଙ୍ଗନବାଡ଼ି କେନ୍ଦ୍ର,ପଞ୍ଚାୟତ ପିଡିଏସ, ସ୍କୁଲ ମାନଙ୍କ ଏମଡିଏମ, ଆରୋଗ୍ୟ କେନ୍ଦ୍ର, ଅମ୍ଲାନ, ପୁଷ୍ଟି କର ଖାଦ୍ୟ ସହିତ ଛତୁଆ ପ୍ରସ୍ତୁତି ପ୍ରକିୟା କେନ୍ଦ୍ର ସମୀକ୍ଷା କରିଛନ୍ତି। ଆଜି ପ୍ରଥମେ ଲାଞ୍ଜିଗଡ଼ ବ୍ଲକର ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ କାଉଗୁଡାରେ ପହଞ୍ଚି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରାଙ୍କ ସହିତ ଆଲୋଚନା କରିବା ସହିତ ବାଳକ ହଷ୍ଟେଲରେ ଏମଡିଏମକୁ ନେଇ ବିରକ୍ତି ପ୍ରକାଶ କରିଥିଲେ। ରୋଷେଇ କରିବା ପାଇଁ ଶୁଖଲା ଓ ପଚା ପନିପରିବା ବ୍ୟବହାର କରି ଏମଡିଏମ୍ ଦିଆଯାଉ ଥିବା ଦେଖିବାକୁ ପାଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଶୋଇବା ପାଇଁ ମେଟ୍ରସ ବା ଗଦି ନଥିବା ବେଳେ ସେମାନଙ୍କୁ ଶୀଘ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ। ଏହାପରେ ପୋଖରୀବନ୍ଧ ପଞ୍ଚାୟତ ପିଡ଼ିଏସ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏମଡିଏମ, ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ଏହାପରେ ବିଶ୍ବନାଥପୁର ପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଶିଶୁଙ୍କୁ ବିଳମ୍ବରେ ଖାଦ୍ୟ ଦିଆଯାଇଛି ବୋଲି ବିରକ୍ତ ପ୍ରକାଶ କରିବା ସହ ସେଠାରେ ଥିବା ପ୍ରାଥମିକ ବିଦ୍ୟାଳୟର ଏମଡିଏମ୍ ତଦାରଖ କରି ପିଲାଙ୍କୁ ପାଠ କିଭଳି ପଢ଼ା ଯାଉଛି ସେନେଇ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଡୁମେରମୁଣ୍ଡା ଠାରେ ଥିବା ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହିତ ଆଲୋଚନା କରି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିରୁପମା ପଟ୍ଟନାୟକଙ୍କୁ ଚତୁଆ ପ୍ରସ୍ତୁତି ପୂର୍ବରୁ ଥରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଚମ୍ପାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରକୁ ଆସି ପିଲାଙ୍କ ପାଠପଢା ସହିତ ସ୍କୁଲ ଏମଡିଏମ୍ ନେଇ ତଦନ୍ତ କରିଥିଲେ। ସେହିପରି ବିଶ୍ୱନାଥପୁର ସ୍ଥିତ ଧଅଁରାଭଟାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯାଇ ସ୍କୁଲ ଏମଡିଏମକୁ ନେଇ ପାଚିକା ମାନଙ୍କ ସହିତ ଆଲୋଚନା କରିଥିଲେ।ପାଚିକା ମାନେ ନିୟମିତ ତାଙ୍କ ବେତନ ମିଳୁନଥିବା ଅଭିଯୋଗ କରିଥିଲେ। ଏହାପରେ ତ୍ରିଲୋଚନପୁର ପଞ୍ଚାୟତ ଫୁଲଡୁମେର ଗାଁକୁ ଯାଇ ଲିଭିଟିଜି ଲୋକଙ୍କ ଜୀବନ ଶୈଳୀକୁ ନେଇ ଆଲୋଚନା କରିଥିଲେ। ତ୍ରିଲୋଚନପୁର ପଞ୍ଚାୟତରେ ଅଙ୍ଗନବାଡି କେନ୍ଦ୍ର ମାନେ ନିୟମିତ ଖୋଲୁନଥିବା ନେଇ ପଞ୍ଚାୟତ ନାଏବ ସରପଞ୍ଚ ତରଣିସେନ ବାଗ ଅଭିଯୋଗ କରିଥିଲେ। ଏହି ଗସ୍ତରେ ଫୁଡ଼୍ କମିଶନ ସଦସ୍ୟଙ୍କ ସହିତ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ବିଇଓ ରୁଷିଆ ମେହେର, ବ୍ଳକ ଯୋଗାଣ ଅଧିକାରୀ ଦିଲ୍ଲୀପ ନାୟକ,ସିଡ଼ିପିଇଓ ନିରୁପମା ପଟ୍ଟନାୟକ, ବ୍ଳକ ମଙ୍ଗଳ ଅଧିକାରୀ ପଙ୍କଜ ବଳିଆର ସିଂ ପ୍ରମୁଖ ଉପସ୍ଥିତ ଥିଲେ।





